ଭୁବନେଶ୍ୱର,୧୬/୧୧: ରାଜ୍ୟରେ ପୁଣିଥରେ  ଚାଲିଛି ହାତୀ ଗଣନା । ପୂର୍ଣ୍ଣମୀ ପକ୍ଷ ଥିବାରୁ ଗୁରୁବାର  ଠାରୁ ତିନି ଦିନିଆ ହାତୀ ଗଣନା କରାଯାଉଛି । ରାଜ୍ୟର  ୫୧ଟି ଡିଭିଜନରୁ ୪୮ଟି ଡିଭିଜନରେ ହାତୀ ଗଣନା  ଚାଲିଛି । ୪୮ଟି ଡିଭିଜନର ଜଙ୍ଗଲରେ ୧୩୭୦ଟି ମଞ୍ଚାରେ ସମୁଦାୟ ୫୭୦୦ ବନ କର୍ମଚାରୀ ନିୟୋଜିତ ହୋଇଛନ୍ତି ।  ଗତ ହାତୀ ଗଣନାରେ ରାଜ୍ୟରେ ୨୦୯୮ ହାତୀ ଥିଲେ ।  ତେବେ ଶୀତଦିନେ ଖାଦ୍ୟ ଅନ୍ୱେଷଣରେ ସୀମାବର୍ତ୍ତୀ ରାଜ୍ୟ  ଝାଡ଼ଖଣ୍ଡ, ଛତିଶଗଡ଼ ଓ ପଶ୍ଚିମବଙ୍ଗ ଜଙ୍ଗଲରୁ ହାତୀମାନେ  ଓଡି଼ଶାକୁ ପଶି ଆସୁଛନ୍ତି । ତେଣୁ ଏହି ଗଣନାରେ ରାଜ୍ୟରେ  ଏବେ କେତେ ହାତୀ ଅଛନ୍ତି, ତାହା ସ୍ପଷ୍ଟ ଜଣା ପଡ଼ିଯିବ ବୋଲି  ପିସିସିଏଫ୍‌ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି ।  

ଗତ ମାର୍ଚ୍ଚମାସ ଗଣନାରେ ରାଜ୍ୟରେ ସମୁଦାୟ ୨୦୯୮  ହାତୀ ଥିବା ଜଣାପଡ଼ିଥିଲା । ସେମାନଙ୍କ ମଧ୍ୟରେ ମୋଟ  ୩୧୩ ପ୍ରାପ୍ତବୟସ୍କ ଦନ୍ତା, ୧୩ଟି ପ୍ରାପ୍ତ ବୟସ୍କ ମାଖ୍‌ନା ହାତୀ,  ୭୪୮ ପ୍ରାପ୍ତବୟସ୍କ ମାଈ ହାତୀ, ୧୪୮ଟି ଯୁବ ଅଣ୍ଡିରା ହାତୀ  ଓ ୨୮୨ଟି ଯୁବ ମାଈ ହାତୀ ଥିବା ବେଳେ ୨୦୯ଟି ଛୁଆ ହାତୀ  ଠାବ କରା ଯାଇଥିଲା । ସେହିପରି ୩୮୫ଟି ଶାବକଙ୍କୁ ମଧ୍ୟ  ହାତୀ ଗଣନାରେ ଠାବ କରାଯାଇଥିଲା ।  

ରାଜ୍ୟରେ ୩୮ଟି ବନଖଣ୍ଡରେ ହାତୀଙ୍କ ଉପସ୍ଥିତି ଜଣା ପଡ଼ିଥିଲା । ୧୩ ବନଖଣ୍ଡ ସଂପୂର୍ଣ୍ଣ ହାତୀଶୂନ୍ୟ ଥିଲା । ଅନୁଗୋଳ,  ଆଠଗଡ଼, ଢ଼େଙ୍କାନାଳ, ବାରିପଦା, ଚନ୍ଦକା, ଖୋର୍ଦ୍ଧା ଓ କେନ୍ଦୁଝରରେ  ହାତୀ ସଂଖ୍ୟା ଅପ୍ରତ୍ୟାଶିତ ଭାବେ ବଢ଼ିଥିବା ଜଣା ପଡ଼ିଥିଲା ।  କିନ୍ତୁ ଶିମିଳିପାଳ, ବାଲେଶ୍ୱର, ରାଇରଙ୍ଗପୁର, ବଲାଙ୍ଗୀର ଓ  ପାରଳାଖେମୁଣ୍ଡିରେ ପୂର୍ବ ଅପେକ୍ଷା ହାତୀ କମିଥିଲେ । ଅନୁଗୁଳ  ସର୍କଲରେ ସର୍ବାଧିକ ୭୭୯ଟି ହାତୀଙ୍କୁ ଚିହ୍ନଟ କରା ଯାଇଥିବାବେଳେ  ଏହି ସର୍କଲ ଅଧୀନସ୍ଥ କେବଳ ଢ଼େଙ୍କାନାଳ ବନଖଣ୍ଡରେ ୨୩୯ ହାତୀ  ଥିଲେ । ଆଠଗଡ଼ରେ ୧୭୮ଟି, ସାତକୋଶିଆରେ ୧୩୮ଟି, ଅନୁଗୋଳ  ବନଖଣ୍ଡରେ ୧୧୯ଟି ହାତୀ ଚଳପ୍ରଚଳ କରୁଥିଲେ । ସର୍କଲ ତାଲିକା ଅନୁସାରେ ଦ୍ୱିତୀୟ ସର୍ବାଧିକ ୪୩୧ଟି ହାତୀ ବାରିପଦାରୁ ଠାବ  ହୋଇଥିଲେ । ସେଠାକାର ବାରିପଦା ବନଖଣ୍ଡରେ ୧୦୫, ଉତ୍ତର ଶିମିଳିପାଳରେ ୧୦୩ ଓ ଦକ୍ଷିଣ ଶିମିଳିପାଳରେ ୧୦୧ ହାତୀଙ୍କ  ଚଳପ୍ରଚଳ ରହିଥିବା ଜଣା ପଡ଼ିଥିଲା । ଏଥର ହାତୀ ଗଣନାରେ  ଡ୍ରୋନ କ୍ୟାମେରା ବ୍ୟବହାର କରାଯାଉଛି । ଶନିବାର ଗଣନା  ସରିବାକୁ ଥିବା ବେଳେ ରିପୋର୍ଟ ମାସ ଶେଷସୁଦ୍ଧା ପ୍ରକାଶ  ପାଇବ ବୋଲି ପିସିସିଏଫ୍‌ ଶ୍ରୀ ନନ୍ଦ କହିଛନ୍ତି।