ନୟାଗଡ଼, ୧୭/୯ : ନୟାଗଡ଼ ଜିଲ୍ଲା ଦଶପଲ୍ଲା ରେଞ୍ଜ୍ ପୁରୁଣା ପୋଇବାଡି ଖଳିସାହିରେ ହାତୀ ଉପଦ୍ରବ। ନିକଟସ୍ଥ ଜଙ୍ଗଲରେ ରହୁଥିବା ୨୦ ଟିକିଆ ହାତୀପଲ ଖାଦ୍ୟ ଅନ୍ଵେଷଣରେ ଜନବସତିକୁ ପଶି ଆସୁଛନ୍ତି। ଝରଣାକୁ ପାଣି ପିଇବାକୁ ଆସୁଥିବା ବେଳେ ବ୍ୟାପକ ଧାନ ଫସଲ ନଷ୍ଟ କରୁଛନ୍ତି। ଧାନ କିଆରୀରେ ପଶି ଯେତିକି ଖାଉଛନ୍ତି ତାଠୁ ଅଧିକ ଦଳି ଚକଟି ନଷ୍ଟ କରିଦେଉଛନ୍ତି । ହାତୀପଲ ପ୍ରାୟ ୫ ଏକରରୁ ଅଧିକ ଚାଷ ଜମିରେ ଫସଲ ନଷ୍ଟ କରିଥିଲା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। 

ହାତୀପଲ ଜନବସତି ଆଡ଼କୁ ମାଡ଼ି ଆସୁଥିବାରୁ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଧନଜୀବନ ନଷ୍ଟ ହେବାର ସମ୍ଭାବନା ରହିଛି। ପ୍ରତିବର୍ଷ ଚାଷୀମାନେ ଏଭଳି ଫସଲ ନଷ୍ଟର ସମ୍ମୁଖୀନ ହେଉଛନ୍ତି। ହେଲେ ବନବିଭାଗ ପକ୍ଷରୁ କୌଣସି କ୍ଷତିପୂରଣ ମିଳୁନି। ସେହିପରି ହାତୀପଲଙ୍କୁ ଘଉଡ଼ାଇବା ପାଇଁ ମଧ୍ୟ ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନି। ଯେଉଁଥିପାଇଁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଚନ୍ତି। ଖୁବଶୀଘ୍ର କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦେବାକୁ ଦାବି ହୋଇଛି।