ଜି ଉଦୟଗିରି,୬/୧୦ : ଜି ଉଦୟଗିରି ମାଲାନସୁଗା ଛକ ଅଞ୍ଚଳରେ ରବିବାର ରାତିରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି।  ଦୁଇଟି ହାତୀ ଆସି ଦୁଇଟି ଘର ଭାଙ୍ଗି ଦେଇଛନ୍ତି।  ଭୀମସେନ ମଲ୍ଲିକ ଓ ଭାରତୀ ମଲ୍ଲିକଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ସୁମନ୍ତ ପ୍ରଧାନଙ୍କ ଘର ଆଂଶିକ ଭାବରେ ନଷ୍ଟ ହୋଇଛି।

ଭୀମସେନ ଓ ଭାରତୀ  ଫଳ ଓ ପନିପରିବା ଚାଷ କରି ଜୀବନଯାପନ କରନ୍ତି। କିନ୍ତୁ ଲଗାତାର ହାତୀ  ଉପଦ୍ରବ ଯୋଗୁଁ ସେମାନେ ଘୋର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ରବିବାର ରାତିରେ ହାତୀ ଧାନ, ମାଣ୍ଡିଆ, ଚାଉଳ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଖାଇ ଦେଇଥିବା ଅଭିଯୋଗ ହୋଇଛି । ଘର ଭିତରେ ଥିବା ହାଣ୍ଡି, ମାଠିଆ ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଭାଙ୍ଗି ନଷ୍ଟ କରିଛନ୍ତି। ଏହାସହିତ ତ୍ରିବେଣୀ ପ୍ରଧାନଙ୍କ ଦୋକାନ ସମ୍ମୁଖ ଟିଣ  ମଧ୍ୟ ହାତୀ ଭାଙ୍ଗି ଦେଇଛି। ସଂଧ୍ୟା ୭ଟା ବେଳେ ଦୁଇଟି ହାତୀ ଆସି ଧାନ ବିଲ ନଷ୍ଟ କରିବା ସହିତ ସକାଳ ୪ଟା ପର୍ଯ୍ୟନ୍ତ ଉପଦ୍ରବ ଚଳାଇଥିବା  ପ୍ରତ୍ୟକ୍ଷଦର୍ଶୀ ମହର୍ଷି ପ୍ରଧାନ କହିଛନ୍ତି। ଏବେ ଗାଁ ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି।

ସୂଚନା ପାଇ ବନ ବିଭାଗ କର୍ମଚାରୀ ଆସି  ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଲୋକେ ହାତୀ ଭୟରେ  ଜଙ୍ଗଲକୁ ଯାଇ ପାରୁନାହାନ୍ତି। ଫଳରେ ସେମାନଙ୍କ ଜୀବିକା ଗୁରୁତର ସଙ୍କଟରେ ପଡ଼ିଛି। ବନ ବିଭାଗ ଯଦି ଶୀଘ୍ର ପଦକ୍ଷେପ ନ ନିଏ, ତେବେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଗତ ଦିନରେ ଏହି ଅଞ୍ଚଳରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି।  ତେଣୁ ଏବେ ପୁଣି ଆତଙ୍କ ସୃଷ୍ଟି ହୋଇଛି।