କେନ୍ଦୁଝର, ୧୨/୦୯:​​​​​​ କେନ୍ଦୁଝର ଜିଲ୍ଲାରେ ଥମୁନି ହାତୀପଲଙ୍କ ଉପଦ୍ରବ। ଦିନକୁ ଦିନ ହାତୀ ଓ ମଣିଷ ମଧ୍ୟରେ ଲଢେଇ ଚରମ ସୀମାରେ ପହଞ୍ଚିଲାଣି। ବିଳମ୍ବିତ ରାତିରେ୨୯ ଟିକିଆ ହାତୀପଲ ସଦର ରେଞ୍ଜ ମହାଦେଇଯୋଡ଼ା ପଞ୍ଚାୟତ କୁଡ଼ିଆଘରା ଗାଁରେ ଆତଙ୍କ ଖେଳାଇଛନ୍ତି । ସରକାରୀ ପ୍ରାଥମିକ ବିଦ୍ୟାଳୟର ଫାଟକ ଭାଙ୍ଗିବା ସହ ଅଙ୍ଗନ ବାଡ଼ି କେନ୍ଦ୍ର ଭାଙ୍ଗି ଛତୁଆ ଖାଇ ନଷ୍ଟ କରିଦେଇଛନ୍ତି।

ଏଥିସହ ଟିକରପଡା ଗାଁର ଶ୍ୟାମସୁନ୍ଦର ବେହେରାଙ୍କ ଘର ଭାଙ୍ଗି ଘର ଭିତରୁ ଧାନ ଚାଉଳ ଖାଇ ନଷ୍ଟ କରିଦେଇଛନ୍ତି।ପରିବାର ଲୋକେ ଘରେ ଶୋଇଥିବା ସମୟରେ ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ହାତୀପଲ ଦିନ ସାରା ଗାଁ ପାଖ ଜଙ୍ଗଲରେ ରହୁଥିବା ବେଳେ ରାତି ହେଲେ ଭୋକ ବିକଳରେ ଖାଦ୍ୟ ଅନ୍ୱେଷଣରେଗାଁ ମୁହାଁ ହୋଇ ଆତଙ୍କ ଖେଳାଉଛନ୍ତି। ହାତୀପଲଙ୍କ ଉପଦ୍ରବରେ ଲୋକେ ଭୟଭୀତ ହୋଇ ରାତି ଅନିଦ୍ରା ହେଉଛନ୍ତି। ବନ ବିଭାଗ ହାତୀପଲଙ୍କ ଉପରେ କଡା ନଜର ରଖିଛି।