ଅନୁଗୁଳ, ୨୭/୦୪ : ହାତୀଙ୍କ ଚରାଭୂଇଁ ଅନୁଗୁଳ ବନଖଣ୍ଡ । ଜଙ୍ଗଲ ଛାଡ଼ି ଗାଁ’ ମୁହାଁ ହାତୀପଲ । ଜଙ୍ଗଲକୁ ଫେରିବାକୁ ନାରାଜ୍‌ । ଖାଦ୍ୟାଭ୍ୟାସରେ ବଡ଼ ପରିବର୍ତ୍ତନ ଯୋଗୁଁ ଘୂରି ବୁଲୁଛନ୍ତି ଜନବସତିରେ। ଯଦିଓ ଅନୁଗୁଳ ବନ ବିଭାଗ ହାତୀ-ମଣିଷ ବିବାଦ ହ୍ରାସ କରିବାକୁ ବହୁ ପ୍ରଭାବୀ ପଦକ୍ଷେପ ହାତକୁ ନେଇଛି, ତଥାପି ହାତୀ ଉପଦ୍ରବରେ ରୋକ୍‌ ଲାଗିପାରୁନି । ଗତ ୩ ବର୍ଷରେ ହାତୀପଲ ଅନୁଗୁଳ ବନଖଣ୍ଡର ପ୍ରାୟ ୮ ହଜାର ଏକର ଚାଷ ଜମି ଉଜାଡି ଦେଇଛନ୍ତି । ପାଦରେ ଦଳିମକଚି ଚାଷୀର ଝାଳବୁହା ପରିଶ୍ରମକୁ ଛାର୍‌ଖାର୍‌ କରିଛନ୍ତି । ଯଦିଓ ସରକାର ଫସଲ ହାନି ବାବଦକୁ କ୍ଷତିପୂରଣ ପ୍ରଦାନ କରୁଛନ୍ତି, ଏହି ଅନୁକମ୍ପାରାଶି କିନ୍ତୁ ଉଜୁଋା ଫସଲକୁ ଦେଖି ହିଡ଼ମୁଣ୍ଡରେ କାନ୍ଦୁଥିବା ଚାଷୀର ଲୁହକୁ ପୋଛି ପାରୁନି ।

ଅନୁଗୁଳ ବନଖଣ୍ଡରେ ବର୍ଷତମାମ୍‌ ୧୦୦ରୁ ଊର୍ଦ୍ଧ୍ୱ ହାତୀଙ୍କ ଚଳପ୍ରଚଳ ରହିଛି । ଜନବସତିରେ ସୁବିଧାରେ ସୁଆଦିଆ ଖାଦ୍ୟ ମିଳୁଥିବାରୁ ହାତୀପଲ ଜଙ୍ଗଲକୁ ଆଉ ଫେରୁନାହାନ୍ତି । ପାଚିଲା ଧାନ, ଆମ୍ବ, ପଣସ, ତାଳ, ବାଉଁଶ ଗଛ ଖାଇବାକୁ ଏ ଗାଁ’ରୁ ସେ ଗାଁ’କୁ ଘୂରି ବୁଲୁଛନ୍ତି । ଗତବର୍ଷ ହାତୀପଲ ବଅଁରପାଳ ବ୍ଲକର ତୁଳସୀପାଳ ଠାରୁ ସନ୍ତ୍ରୀ, ଆଙ୍କୁଲା, ବେନ୍ତପୁର, କାଙ୍ଗୁଲା, ଫୁଲପଡ଼ା ଆଦି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲେ । ହାତୀଙ୍କ ଚଳପ୍ରଚଳ ମଧ୍ୟରେ ଦୁଇ ବର୍ଷ ହେଲା ହାତୀ ଉପଦ୍ରବ ବହୁମାତ୍ରାରେ କମିଛି । ଚାଷୀ ‘ଅନୁକମ୍ପା’ ଆପ୍‌ ଜରିଆରେ ଆବେଦନ କରିବା ମାତ୍ରେ ତ୍ୱରିତ ବେଗରେ କ୍ଷତିପୂରଣ ରାଶି ପ୍ରଦାନ କରାଯାଉଥିବା ବନ ବିଭାଗ ପକ୍ଷରୁ କୁହାଯାଉଛି ।

ସରକାରୀ ତଥ୍ୟ ମୁତାବକ, ୨୦୨୩- ୨୪ ମସିହାରେ ଅନୁଗୁଳ ବନଖଣ୍ଡର ମୋଟ୍‌ ୨ ହଜାର ୯୩୯ ଏକର ଜମିରେ ଫସଲ ଉଜାଡ଼ିଥିଲେ ହାତୀପଲ । ଏହି ବାବଦରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ୩ କୋଟି ୭୭ ଲକ୍ଷ ୨୯ ହଜାର ୩୭୧ ଟଙ୍କା ପ୍ରଦାନ କରାଯାଇଛି । ସେହିପରି ୨୦୨୪-୨୫ ମସିହାରେ ହାତୀପଲ ୩୦୫୩ ଏକର ଚାଷ ଜମି ନଷ୍ଟ କରିଥିବା ବେଳେ ଚାଷୀଙ୍କୁ ୬ କୋଟି ୪୮ ଲକ୍ଷ ୪୩ ହଜାର ୧୨୬ ଟଙ୍କା ଦିଆଯାଇଛି । ୨୦-୨୫- ୨୬ ବର୍ଷରେ ହାତୀ ପାଦ ତଳେ ୨ ହଜାର ୨୦୮ ଏକର ଫସଲ ଉଜୁଡିଛି । କ୍ଷତିପୂରଣ ବାବଦକୁ ୬ କୋଟି ୨୦ ଲକ୍ଷ ୧୪ ହଜାର ୩୮୫ ଟଙ୍କା ପ୍ରଦାନ କରାଯାଇଛି । ଗତ ୩ ବର୍ଷରେ ହାତୀ ଆକ୍ରମଣରେ ୨୬ଟି ଗୋରୁଙ୍କ ଜୀବନ ଯାଇଛି । ୨୦୨୩-୨୪ରେ ୧୨ଟି ଗୋରୁ ମୃତ୍ୟୁ ବାବଦରେ ୨ ଲକ୍ଷ ୯୨ ହଜାର ଟଙ୍କାର କ୍ଷତିପୂରଣ ଦିଆଯାଇଛି ।

ସେହିପରେ ୨୦୨୪- ୨୫ରେ ୮ଟି ଗୋରୁ ମୃତ୍ୟୁ ବାବଦରେ ୭୦ ହଜାର ୫୦୦ ଟଙ୍କା ଓ ୨୦୨୫-୨୬ରେ ୬ଟି ଗୋରୁ ମୃତ୍ୟୁ ବାବଦରେ ୩ ଲକ୍ଷ ୪ ହଜାର ୫୦୦ ଟଙ୍କା କ୍ଷତିପୂରଣ ରାଶି ମିଳିଛି । ହାତୀପଲଙ୍କ ଉତ୍ପାତରେ ଗତ ୩ ବର୍ଷରେ ୧୩୫ଟି ଘର ଭାଙ୍ଗିଛି । ୨୦୨୩-୨୪ ମସିହାରେ ହାତୀପଲ ୭୨ଟି ଘର ଭାଙ୍ଗିଥିଲେ । ଏହି ବାବଦରେ ୭ ଲକ୍ଷ ୧୨ ହଜାର ଟଙ୍କାର କ୍ଷତିପୂରଣ ଦିଆଯାଇଛି । ସେହିପରି ୨୦୨୪- ୨୫ ମସିହାରେ ୪୧ଟି ଘର ଭାଙ୍ଗିଥିବା ବେଳେ ୬ ଲକ୍ଷ ୭୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ୨୦୨୫-୨୫ ବର୍ଷରେ ହାତୀ ଉପଦ୍ରବ ବହୁମାତ୍ରାରେ ଖସିଛି । ଏହିବର୍ଷ ହାତୀ ୨୨ଟି ଘର ଭାଙ୍ଗିଛନ୍ତି । କ୍ଷତିଗ୍ରସ୍ତ ପରିବାରକୁ ୪ ଲକ୍ଷ ୩୬ ହଜାର ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ କରାଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏନେଇ ଅନୁଗୁଳ ବନଖଣ୍ଡର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ହାତୀମଣିଷ ବିବାଦ ହ୍ରାସ ପାଇଁ ବିଭିନ୍ନ ପଦକ୍ଷେପ ସାଙ୍ଗକୁ କ୍ଷତିଗ୍ରସ୍ତ ଲୋକଙ୍କୁ କ୍ଷତିପୂରଣ ରାଶି ପ୍ରଦାନକୁ ଗୁରୁତ୍ୱ ଦିଆଯାଉଛି । ‘ଅନୁକମ୍ପା’ ଆପ୍‌ରେ କ୍ଷତିଗ୍ରସ୍ତ ଚାଷୀ ଆବେଦନ କରିବା ପରେ ତ୍ୱରିତ ପଦକ୍ଷେପ ନେଇ କ୍ଷତିପୂରଣ ଦିଆଯାଉଛି । ହାତୀପଲ ଅଧିକ କ୍ଷତି ଘଟାଉଥିବା ଗାଁ’ମାନଙ୍କରେ ସ୍ୱତନ୍ତ୍ର ‘ଅନୁକମ୍ପା’ କ୍ୟାମ୍ପ୍‌ କରାଯାଉଥିବା ସେ ପ୍ରକାଶ କରିଛନ୍ତି।

ଏହି ଖବରଟିକୁ ପଢନ୍ତୁ- ଅଜଣା ପିକଅପ୍ ଧକ୍କାରେ ମାମୁ-ଭଣଜା ମୃତ