ଭୁବନେଶ୍ୱର,୦୮/୧୨: ଆସନ୍ତା ଶନିବାର ‘ରାମୁ’ ହାତୀର କଙ୍କାଳ ଉଦ୍ଧାର ହେବ । ରବିବାର ଏକ ବିଶେଷଜ୍ଞ ଟିମ୍ ଭରତପୁର ଜଙ୍ଗଲରେ ପହଞ୍ଚି ରାମୁର କବରସ୍ଥଳ ପରିଦର୍ଶନ କରିଥିଲେ । ପ୍ରାଣୀ ବିଜ୍ଞାନୀ ଡଃ. ଶିବ ପ୍ରସାଦ ପରିଡ଼ା, ଏମ୍‌ସ ଭୁବନେଶ୍ୱରର ଫୋରେନସିକ୍ ମେଡିସିନ ବିଭାଗର ପ୍ରଫେସର ଡା. ସୁଦୀପ୍ତ ରଞ୍ଜନ ସିଂହ, ଭୁବନେଶ୍ୱର ୱାଇଲ୍ଡ ଲାଇଫ୍ ରେଞ୍ଜ ଅଫିସର ଧ୍ୟାନ ଟୁଡୁ, ଖୋର୍ଦ୍ଧା ଜିଲ୍ଲା ପୂର୍ବତନ ଅବୈତନିକ ବନ୍ୟ ପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ ଏବଂ ସିଟି ଫରେଷ୍ଟ ଡିଭିଜନର ଫରେଷ୍ଟର ସମୀର ବେହେରା ପ୍ରମୁଖ କବରସ୍ଥଳରେ ପହଞ୍ଚି କଙ୍କାଳ ଉଦ୍ଧାର ଯୋଜନା ପ୍ରସ୍ତୁତ କରିଛନ୍ତି ।

ଆସନ୍ତା ଶନିବାର ମାସର ଦ୍ୱିତୀୟ ଶନିବାର ଛୁଟି ପଡ଼ୁଥିବାରୁ ଉକ୍ତ ଦିନ ହିଁ କବର ଖୋଳାଯାଇ କଙ୍କାଳ ଉଦ୍ଧାର କରିବା ପାଇଁ ସମୟ ଧାର୍ଯ୍ୟ ହୋଇଛି । ଉଦ୍ଧାରକାରୀମାନେ ସମସ୍ତେ ପିପିଇ କିଟ୍ ପରିଧାନ କରିବା ପାଇଁ ନିଷ୍ପତ୍ତି ହୋଇଛି । କଙ୍କାଳ ଉଦ୍ଧାର ପରେ ସେସବୁକୁ ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ମୁଖ୍ୟ ଫାଟକ ଗୋଡ଼ିବାରୀକୁ ନିଆଯିବ । ସେଠାରେ କଙ୍କାଳ ସବୁକୁ ଖଞ୍ଜାଯିବା ପରେ କେମିକାଲ ଦିଆଯାଇ ଏକ କାଚ ଘରେ ରଖାଯିବ । ରାମୁ ହାତୀର ଏହି କଙ୍କାଳ ସର୍ବସାଧାରଣଙ୍କ ପାଇଁ ପ୍ରଦର୍ଶିତ ହେବ ।

ସୂଚନାଥାଉକି, ଚନ୍ଦକା ଅଭୟାରଣ୍ୟର ଶୋଭା ବର୍ଦ୍ଧନ କରୁଥିବା ବିଶାଳକାୟ ଦନ୍ତା ହାତୀ ରାମୁ ଯେତିକି ଆତଙ୍କ ରଚୁଥିଲା, ସେତିକି ଲୋକଙ୍କର ପ୍ରିୟ ଥିଲା । ରାଜଧାନୀ ଉପକଣ୍ଠରେ ଜନବସତି ଭିତରେ ପଶି ଲୋକଙ୍କ ବାଡ଼ିବଗିଚା ନଷ୍ଟଭ୍ରଷ୍ଟ କରୁଥିଲେ ମଧ୍ୟ କେବେ ବି ଲୋକଙ୍କୁ ଆକ୍ରମଣ କରି ନଥିଲା । ଗତବର୍ଷ ଅଗଷ୍ଟ ୧୯ରେ ଭରତପୁର ଜଙ୍ଗଲ ଚୁନକୋଳି ବସ୍ତି ନିକଟରେ ବିଦ୍ୟୁତ୍ ଆଘାତରେ ରାମୁ ହାତୀର ମୃତ୍ୟୁ ଘଟିଥିଲା । ରାମୁ ହାତୀର କଙ୍କାଳ ସଂରକ୍ଷଣ କରି ରଖିବା ପାଇଁ ବିଭିନ୍ନ ମହଲରୁ ଦାବି ହୋଇଥିଲା । ଶେଷରେ ବିଭାଗୀୟ ଅନୁମତି ମିଳିବା ପରେ ସଂରକ୍ଷଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।