ଆଠମଲ୍ଲିକ,୧୬/୧୧: କୂଅରେ ପଡ଼ିଥିବା ପାଞ୍ଚ ବର୍ଷୀୟା ମାଈ ହାତୀକୁ ଉଦ୍ଧାର କଲା ବନ ବିଭାଗ । ଶୁକ୍ରବାର ରାତିରେ ଆଠମଲ୍ଲିକ ବନଖଣ୍ଡ ରାଜିଙ୍ଗ ଗ୍ରାମର ବିଲ କୂଆରେ ଏକ ମାଈ ହାତୀ ପଡି ଯାଇଥିବା ବେଳେ ଶନିବାର ଉଦ୍ଧାର ହୋଇଛି । ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅଞ୍ଚଳରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ଆଠମଲ୍ଲିକ ଅଞ୍ଚଳରେ ଏକ ତିନି ଟିକିଆ ହାତୀ ପଲ ଥିଲା । ତେବେ ଶୁକ୍ରବାର ରାତିରେ ଦୁର୍ଭାଗ୍ୟ ବଶତଃ ସେହି ହାତୀ ପଲର ଏକ ପାଞ୍ଚ ବର୍ଷୀୟା ମାଈ ହାତୀ ରାଜିଙ୍ଗ ଗ୍ରାମର ବିଲ କୂଅରେ ପଡ଼ି ଯାଇଥିଲା । ଶନିବାର ହାତୀଟି କୂଅରେ ପଡି ଯାଇଥିବା ଦେଖିଥିଲେ ଲୋକେ । ଏହା ଦେଖି ଗ୍ରାମବାସୀ ତୁରନ୍ତ ବନ ବିଭାଗର କର୍ମଚାରୀଙ୍କୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ବନ ବିଭାଗର ଏକ ଟିମ୍‌ ପହଞ୍ଚି ଗଜ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଏକ ଜେସିବି ଆସି ମାଟି ଖୋଳିବା ପରେ ହାତୀଟି ଉପରକୁ ଉଠିବାରେ ସକ୍ଷମ ହେଇଥିଲା । ଉପରକୁ ଉଠିବା ପରେ ହାତୀଟି ଜଙ୍ଗଲ ଭିତରକୁ ଚାଲି ଯାଇଛି । ଏହା ଦେଖି ଗ୍ରାମବାସୀ ଆଶ୍ବସ୍ତି ପାଇଛନ୍ତି । ତେବେ କିଛି ଦିନ ହେଲା ଏହି ହାତୀ ପଲ ରାଜିଙ୍ଗ ଗ୍ରାମରେ ବ୍ୟପକ ଫସଲ ନଷ୍ଟ କରୁଥିଲେ ।