ଭୁବନେଶ୍ୱର,୧୩/୦୩:  ରାଜଧାନୀ ଭୁବନେଶ୍ୱରର ଚେହେରା ବଦଳିବ । ରାଜଧାନୀରେ  ଭିଡ଼ କମାଇବାକୁ ନୂଆ ରାସ୍ତା, ପୋଲ, ଫ୍ଲାଇ ଓଭର ବ୍ରିଜ୍‌ ଓ ରୋଡ୍‌ ଓଭରବ୍ରିଜ୍‌ ନିର୍ମାଣ କରାଯିବ । ଏହା ସହିତ ଏକାମ୍ର କ୍ଷେତ୍ରର ଐତିହ୍ୟ ସମୂହର ବିକାଶ ପାଇଁ ଚଳିତ  ଆର୍ଥିକ ବର୍ଷରେ ୫୦ କୋଟି ଟଙ୍କାର  ବ୍ୟୟବରାଦ କରାଯାଇଛି ବୋଲି  ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ  ସୂଚନା ଦେଇଛନ୍ତି ।   

ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି, ରାଜଧାନୀର ରାଜରାସ୍ତାରେ ଯିବା ଆସିବା ପାଇଁ ଆଉ ଘଣ୍ଟା ଘଣ୍ଟା ଧରି  ଅପେକ୍ଷା କରିବାକୁ ପଡ଼ିବ ନାହିଁ । ସହର ମୁଖ୍ୟ ରାସ୍ତାକୁ ଭିଡ଼ ହ୍ରାସ ଯୋଜନା (ଡିକଞ୍ଜେସନ୍‌ ପ୍ଲାନ୍‌)  ପ୍ରସ୍ତାବ ପ୍ରସ୍ତୁତ କରାଯାଇଛି ।  ସଡ଼କ ନେଟୱାର୍କକୁ ବ୍ୟାପକ  କରିବା ପାଇଁ ରାଜଧାନୀ ରାସ୍ତାର  ଉନ୍ନତୀକରଣ କାର୍ଯ୍ୟକ୍ରମ ଆରମ୍ଭ  କରାଯାଇଛି । ଏ ବାବଦରେ ଚଳିତ  ଆର୍ଥିକ ବର୍ଷ(୨୦୨୫-୨୬)ରେ  ୨୦୦ କୋଟି ଟଙ୍କା ବ୍ୟୟବରାଦ  କରାଯାଇଛି । ଏହି ଯୋଜନାରେ ୨୦  କିଲୋମିଟର ରାସ୍ତାର ଉନ୍ନତୀକରଣ  ପାଇଁ ପ୍ରସ୍ତାବ ଅଛି । 

ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ  ଏଲିଭେଟେଡ୍‌ କରିଡର୍‌ ନିର୍ମାଣ  କରାଯିବ । ଏହା ସହିତ ବାରଙ୍ଗରୁ  ପଟିଆ ଷ୍ଟେସନ୍‌ ଛକ ତଥା ଜାତୀୟ ରାଜପଥ-୧୬ ଓ ସୁଆଙ୍ଗ ମୌଜା ଦେଇ ଜଟଣୀକୁ ସଂଯୋଗ କରୁଥିବା  କେନାଲ ବନ୍ଧ ରାସ୍ତା(ଦୟା ୱେଷ୍ଟ କେନାଲ୍‌) ର ଉନ୍ନତୀକରଣ କରାଯିବ । କଳ୍ପନା ଛକ ଓ  ମ୍ୟୁଜିୟମ ଛକରେ ଫ୍ଲାଇ ଓଭର୍‌ ନିର୍ମାଣ ହେବ । ଶିଶୁ ଭବନ ଛକରୁ ମ୍ୟୁଜିୟମ ରାସ୍ତାରେ ରୋଡ୍‌ ଓଭରବ୍ରିଜ୍‌(ଆରଓବି) ନିର୍ମାଣ ହେବ । ଏଜି ଛକରେ  ଭୂତଳ ରାସ୍ତା ନିର୍ମାଣ ହେବ । କଳାରାହାଙ୍ଗରୁ ବରିମୁଣ୍ଡ  ଓ ଗୁରୁ କେଳୁଚରଣ ପାର୍କରୁ ଫୁଲନଖରା ପର୍ଯ୍ୟନ୍ତ  ଗୋଟିଏ ନୂଆ ରାସ୍ତା ହେବ । ଏହି ରାସ୍ତାରେ ଏକ ନୂଆ  ରେଳ ଓଭରବ୍ରିଜ୍‌ ନିର୍ମାଣ କରାଯିବ । ଭୁବନେଶ୍ୱର  ଭିତରେ ଓ ବାହାରେ ରିଂ ରୋଡ୍‌ ନିର୍ମାଣ ହେବ।