ନୂଆଦିଲ୍ଲୀ,୪।୬: ଭାରତ ଗସ୍ତରେ ଆସିଥିବା ଆମେରିକାର ଉଦ୍ୟୋଗପତି ଏଲନ୍ ମସ୍କଙ୍କ ବାପା ଏରୋଲ ମସ୍କ ବୁଧବାର ରାମନଗରୀ ଅଯୋଧ୍ୟାରେ ପହଁଞ୍ଚିଛନ୍ତି। ଏହାପରେ ସେ ରାମଲଲାଙ୍କ ଦର୍ଶନ ପାଇଁ ରାମ ମନ୍ଦିରରେ ପହଁଞ୍ଚିଥିଲେ। ମଧ୍ୟାହ୍ନ ୨ଟା ୧୫ ମିନିଟ୍ରେ ମହର୍ଷି ବାଲ୍ମିକୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ତାଙ୍କର ଚାଟାର୍ଡ ପ୍ଲେନ୍ ଓହ୍ଲାଇଥିଲା। କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମସ୍କଙ୍କୁ ରାମଲାଲାଙ୍କ ଦର୍ଶନ ପାଇଁ ନିଆଯଇଥିଲା।
ଏୟାରପୋର୍ଟରେ ଓହ୍ଲାଇବା ପରେ ଏରୋଲ ମସ୍କ ଗଣମାଧ୍ୟମ ଆଗରେ ଭାରତୀୟ ପୋଷାକରେ ଦେଖିବାକୁ ମିଳିଥିଲେ। ହନୁମାନଗଡିର ମହନ୍ତ ହେମନ୍ତ ଦାସଙ୍କ ଉପସ୍ଥିତିରେ ସେ ଜୟ ଶ୍ରୀରାମ କହି ନିଜର ଯାତ୍ରା ଆରମ୍ଭ କରିଥିଲେ। ଭାରତରେ ନିବେଶ ଯୋଜନା ସମ୍ପର୍କରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ କହିଛନ୍ତି, ନିବେଶ କରିବା ନେଇ ହିଁ ମୋର ଏହି ଭ୍ରମଣ। ଭାରତୀୟ ସଂସ୍କୃତିର ପ୍ରଶଂସା କରି ସେ କହିଛନ୍ତି ଭାରତୀୟ ସଂସ୍କୃତି ଓ ପରମ୍ପରାର ଏକ ଗୌରବଶାଳୀ ଇତିହାସ ରହିଛି। ମୁଁ ଏହାର ସମ୍ମାନ କରୁଛି।
ତୀର୍ଥ କ୍ଷେତ୍ରର କୋଷାଧ୍ୟକ୍ଷ ମହନ୍ତ ଶ୍ରୀ ଗିରି କହିଛନ୍ତି, ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାରେ ଦେଶର ବିଭିନ୍ନ ସ୍ଥାନର ବିଶିଷ୍ଠ ବ୍ୟକ୍ତି ବିଶେଷଙ୍କ ଆଗମନ ହୋଇଛି। ଏହାଛଡା ଦେଶ-ବିଦେଶର ରାଷ୍ଟ୍ରଦୂତ ଓ ସେଠାର ପ୍ରଭାବଶାଳୀ ନେତାଙ୍କର ମଧ୍ୟ ଆଗମନ ହୋଇଛି। ଏବେ ରାଜା ରାମଙ୍କ ପ୍ରତିଷ୍ଠା ହେଉଛି। ତେଣୁ ଦୁନିଆର ସବୁଠାରୁ ଧନୀ ଆମେରିକାର ଉଦ୍ୟୋଗପତି ଏଲନ୍ ମସ୍କଙ୍କ ବାପା ଏରୋଲ ମସ୍କ ମଧ୍ୟ ବୁଧବାର ଅଯୋଧ୍ୟାରେ ପହଁଞ୍ଚିଛନ୍ତି।