ନୂଆଦିଲ୍ଲୀ: ବଦଳୁଛି ଦୁନିଆ । ଆଉ ତା ସହ ତାଳ ଦେଇ ବଦଳୁଛି ପ୍ରଯୁକ୍ତିବିଦ୍ୟା । ବିକଶିତ ପ୍ରଯୁକ୍ତି ମଣିଷ ପାଇଁ ଚ୍ୟାଲେଞ୍ଜ ମଧ୍ୟ ଆଣୁଛି । ଏବେ ଦୁନିଆରେ ଗୋଟିଏ ଚର୍ଚ୍ଚା, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା ଏଆଇ । ଏଆଇ ଆଗକୁ ମଣିଷ ସମାଜ ଉପରେ କିଭଳି ପ୍ରଭାବ ପକାଇବ ତାଉପରେ ମଧ୍ୟ ଅଧ୍ୟୟନ ଜାରି ରହିଛି । କେହି କେହି କହୁଛନ୍ତି, ଏଆଇ ଲୋକଙ୍କୁ ରିପ୍ଲେସ୍ କରିବ ଏବଂ ସବୁ କାମ ନିଜେ କରିପାରିବ । ବିଭିନ୍ନ କମ୍ପାନୀରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଲାଣି । ଏହାରି ମଧ୍ୟରେ ଟେକ୍ ଜାଏଣ୍ଟ ଏଲନ ମସ୍କ ବଡ଼ ଦାବି କରି ଦୁନିଆକୁ ପୁଣି ଥରେ ଚମକାଇ ଦେଇଛନ୍ତି । ସେ କହିଛନ୍ତି, ୨୦୩୦ ବେଳକୁ ଲୋକଙ୍କ ହାତରୁ ସ୍ମାର୍ଟଫୋନ୍ ଗାଏବ ହୋଇଯିବ । ଯଦି ଏଭଳି ହୁଏ, ତେବେ କଲ୍ କିମ୍ବା ମେସେଜ କିଭଳି କରାଯିବ ? ଏହାକୁ ନେଇ ମସ୍କ ଦାବି କରିଛନ୍ତି, ଲୋକଙ୍କ ହାତକୁ ଆସିବ ଏଆଇ ଗ୍ୟାଜେଟସ୍ ।
ସେପଟେ ଏବେର ସ୍ମାର୍ଟଫୋନ୍ରେ ଏଆଇ ବ୍ୟବାହର ହେଉଥିଲେ ହେଁ, ଏହା ପ୍ରକୃତରେ ଏତେ ବିକଶିତ ନୁହେଁ । ଭବିଷ୍ୟତରେ ମଣିଷ ଯେଉଁ ଏଆଇ ଗ୍ୟାଜେଟ୍ସ ବ୍ୟବାହା କରିବ ତାହା ସିଧାସଳଖ ସର୍ଭର ସହ କନେକ୍ଟ ହୋଇଥିବ । ଏକ ପଡକାଷ୍ଟରେ, ଏଲନ୍ ମସ୍କ ପ୍ରଯୁକ୍ତିର ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ଆଗାମୀ ୫ରୁ ୬ ବର୍ଷ ମଧ୍ୟରେ ଆମେ ସ୍ମାର୍ଟଫୋନ୍ ସମ୍ପର୍କରେ ଆମର ପୁରୁଣା ମାନସିକତା ପରିତ୍ୟାଗ କରିବା। ଆଗକୁ ଡିଭାଇସ୍ ଗୁଡ଼ିକ ସ୍କ୍ରିନ୍ ଏବଂ ଭଏସ୍ ମାଧ୍ୟମରେ କାର୍ଯ୍ୟ କରିବ । ଡିଭାଇସ୍ଗୁଡ଼ିକ ଲୋକଙ୍କ ଭାବନାକୁ ବୁଝି କାର୍ଯ୍ୟ କରିବ । ଏଆଇକୁ ନେଇ ମସ୍କ କହିଛନ୍ତି ଯେ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଏତେ ଉନ୍ନତ ହୋଇଯିବ ଯେ, ଏହା ମଣିଷର ଆବଶ୍ୟକତା ଏବଂ ମନୋଭାବକୁ ମଧ୍ୟ ବୁଝିପାରିବ।
ସ୍ମାର୍ଟଫୋନ୍ ସମ୍ପର୍କରେ ମସ୍କଙ୍କ ଦାବିରେ ସତ୍ୟତା ଥିବା ଭଳି ମନେହୁଏ । ଏହା ପଛର କାରଣ ହେଉଛି, OpenAI । କିଛି ମାସ ପୂର୍ବରୁ ଖବର ମିଳିଥିଲା ଯେ, ଓପନଏଆଇ ଏକ ଏପରି ଗ୍ୟାଜେଟ୍ ଉପରେ କାମ କରୁଛି, ଯେଉଁଥିରେ ସ୍କ୍ରିନ୍ ନଥିବ । କିନ୍ତୁ ଏଥିରେ ଆଡଭାନ୍ସଡ୍ ଏଆଇ ଫିଚର ଥିବ । ଭବିଷ୍ୟତର ଗ୍ୟାଜେଟ୍ଗୁଡ଼ିକରେ ଆପ୍ ଏବଂ ଅପରେଟିଂ ସିଷ୍ଟମ୍ ମଧ୍ୟ ରହିନପାରେ । ଏବେ OpenAI ଏବଂ Perplexityର ବ୍ରାଉଜରଗୁଡ଼ିକୁ ଏତେ ଶକ୍ତିଶାଳୀ କରାଯାଇଛି ଯେ, କୌଣସି ଆପ୍କୁ ନଯାଇ ସିଧାସଳଖ ସପିଂ କରାଯାଇପାରିବ। ସେହିପରି ଯଦି ଏଆଇ ଗ୍ୟାଜେଟ୍ଗୁଡ଼ିକ ଭବିଷ୍ୟତର ସ୍ମାର୍ଟଫୋନ୍ଗୁଡ଼ିକୁ ରିପ୍ଲେସ୍ କରନ୍ତି, ତେବେ ଅପରେଟିଂ ସିଷ୍ଟମ୍ ଏବଂ ଆପର ବ୍ୟବହାର ହୋଇନପାରେ ।
ସ୍କ୍ରିନଲେସ୍ ଡିଭାଇସ୍ ଉପରେ OpenAIର ପରୀକ୍ଷା ଏବଂ ଏଲନ ମସ୍କଙ୍କ ଭବିଷ୍ୟବାଣୀ ସୂଚାଇ ଦେଉଛି ଯେ, ଭବିଷ୍ୟତରେ ସ୍କ୍ରିନ୍ ଥିବା ଫୋନ୍ ଇତିହାସ ହୋଇପାରେ । ସମଗ୍ର ଡିଜିଟାଲ୍ ଇକୋସିଷ୍ଟମ୍ ଏକ ନୂତନ ଦିଗରେ ଗତି କରିପାରେ । ଆଉ ଏଥିରେ ଏଆଇ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ । ଉଦାହରଣ ସ୍ୱରୂପ, ଯଦି ଆପଣଙ୍କୁ କୌଣସି ବନ୍ଧୁଙ୍କୁ କଲ୍ କରିବାକୁ ହୁଏ, ତେବେ ଏଆଇ କଲ୍ କରିବ। ଯଦି ଆପଣ ରାସ୍ତାରେ ଅଛନ୍ତି, ଏଆଇ ଆପଣଙ୍କୁ ରାସ୍ତା ଦେଖାଇବ। ଏଲନ ମସ୍କ କହିଛନ୍ତି ଯେ, ଭବିଷ୍ୟତରେ ଏଆଇ ମାନବ ମସ୍ତିଷ୍କ ସହିତ ସଂଯୋଗ କରିବାକୁ ଚେଷ୍ଟା କରିବ। ଏଆଇ ଗ୍ୟାଜେଟ୍ ଆସିବା ପରେ ସ୍କ୍ରିନ୍ ଥିବା ଡିଭାଇସ୍, ଅର୍ଥାତ୍ ସ୍ମାର୍ଟଫୋନ୍ ଲୋକଙ୍କ ହାତରୁ ଗାଏବ ହୋଇଯାଇପାରେ ।