ନୂଆଦିଲ୍ଲୀ,୨୪/୧୧: ଟେସ୍‌ଲା ତଥା  ସ୍ପେସ୍‌ଏକ୍ସ ସିଇଓ ଏଲନ ମସ୍କ ଇତିହାସର  ସବୁଠୁ ଧନୀ ମାନ୍ୟତା ହାସଲ କରିଛନ୍ତି । ତାଙ୍କ  ସମ୍ପତ୍ତି ୩୪୮ ବିଲିୟନ ଡଲାର ବା ୩୪୮୦୦  କୋଟି ଡଲାରକୁ ବୃଦ୍ଧି ହୋଇଥିବା ବ୍ଲୁମ୍‌ବର୍ଗ  ବିଲିୟନେୟାର ସୂଚୀରୁ ଜଣାପଡ଼ିଛି । ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ  ବିଜୟ ପରେ ଟେସ୍‌ଲା ସେୟାର ଉପରମୁହାଁ  ହୋଇଚାଲିଛି । ଏଥିଯୋଗୁ ଏଲନ ମସ୍କଙ୍କ  ସମ୍ପତ୍ତି ଦ୍ରୁତ ବେଗରେ ବଢୁଛି । ଫଳରେ ସେ  ଇତିହାସ ରଚିଛନ୍ତି । ବ୍ଲୁମ୍‌ବର୍ଗ ବିଲିୟନେୟାର  ସୂଚୀ ମୁତାବକ, ଶନିବାର ଏଲନ ମସ୍କଙ୍କ  ସମ୍ପତ୍ତି ୩୪୮ ବିଲିୟନ ଡଲାରକୁ ବଢ଼ିଛି ।  ଗତ ବର୍ଷକରେ ୧୧୯ ବିଲିୟନ ଡଲାର ସମ୍ପତ୍ତି  ଯୋଡ଼ିବାକୁ ସକ୍ଷମ ହୋଇଛନ୍ତି ମସ୍କ । ୱାଲ୍‌ଷ୍ଟ୍ରିଟ  ଜର୍ଣ୍ଣାଲ ରିପୋର୍ଟ ଅନୁସାରେ, ଏଲନ୍‌ ମସ୍କଙ୍କ  ଜେନେରେଟିଭ ଏଆଇ କମ୍ପାନି ଏକ୍ସଏଆଇର  ଭାଲ୍ୟୁଏସନ ଏବେ ୫୦ ବିଲିୟନ ଡଲାରକୁ ବୃଦ୍ଧି ହୋଇଛି । ଫଳରେ ଏହା ଏଲନ୍‌ ମସ୍କଙ୍କ  ସମ୍ପତ୍ତିରେ ୧୩ ବିଲିୟନ ଡଲାର ଯୋଡ଼ିଛି । 

ଆମେରିକା ନିର୍ବାଚନ ଦିନ ଟେସଲା  ସେୟାର ୪୦% ବୃଦ୍ଧି ହୋଇଥିଲା । ଟ୍ରମ୍ପଙ୍କ  କାର୍ଯ୍ୟକାଳରେ ଟେସ୍‌ଲାର ଅଭିବୃଦ୍ଧିକୁ ନେଇ  ବେଶ୍‌ ଆଶାବାଦୀ ରହିଛନ୍ତି ବିଶେଷଜ୍ଞ ।  ବିଶେଷ କରି ସ୍ୱଂୟଚାଳିତ ଯାନ କ୍ଷେତ୍ରରେ  କମ୍ପାନି ଅଧିକ କାମ କରିବାକୁ ସକ୍ଷମ ହେବ  ବୋଲି ଅନୁମାନ କରାଯାଇଛି । ଟ୍ରମ୍ପଙ୍କ ନିର୍ବାଚନ  ପ୍ରଚାରରେ ଏଲନ ମସ୍କ ୧୦୦ ନିୟୁତ ଡଲାର  ଖର୍ଚ୍ଚ କରିଥିଲେ । ବିଜୟ ପରେ ଟ୍ରମ୍ପ ଏଲନ ମସ୍କ  ଏବଂ ବିବେକ ରାମାସ୍ୱାମୀଙ୍କୁ ଏକ ନୂଆ ବିଭାଗ  ଡିପାର୍ଟମେଣ୍ଟ ଫର୍‌ ଗଭର୍ଣ୍ଣମେଣ୍ଟ ଏଫିସିଏନ୍ସିର  ଦାୟିତ୍ୱ ଦେଇଛନ୍ତି । ଟ୍ରମ୍ପଙ୍କ ଶାସନକାଳ ଆରମ୍ଭ  ପରେ ବିଭିନ୍ନ ନିୟମକୁ ବ୍ୟବସ୍ଥିତ କରାଯିବା  ଯୋଗୁ ଏହାର ଲାଭ ଟେସ୍‌ଲା ବିଶେଷ ଭାବେ  ପାଇବ ବୋଲି ଆଶା କରାଯାଏ । ବର୍ତ୍ତମାନର  ନିୟାମକ ଆହ୍ୱାନ ମଧ୍ୟରେ କମ୍ପାନି ସେଲ୍ଫ  ଡ୍ରାଇଭିଂ ଟେକ୍ନୋଲୋଜି ଉପରେ ବିଶେଷ  ଧ୍ୟାନ ଦେବାକୁ ସକ୍ଷମ ହୋଇନି । ଯାହା ଆଗାମୀ  ଦିନରେ ତ୍ୱରାନ୍ୱିତ ହେବାର ଢ଼େର ସମ୍ଭାବନା  ରହିଛି । 

ସେହିଭଳି ସ୍ପେସ୍‌ଏକ୍ସର ପରବର୍ତ୍ତୀ ପର୍ଯ୍ୟାୟ  ପାଣ୍ଠି ସଂଗ୍ରହ କାର୍ଯ୍ୟକ୍ରମକୁ ନେଇ ଏବେ  ଜୋରଦାର ଚର୍ଚ୍ଚା ଜାରି ରହିଛି । ଏହା ଦ୍ୱାରା  କମ୍ପାନିର ଭାଲ୍ୟୁ ୨୫୦ ବିଲିୟନ ଡଲାରକୁ  ବୃଦ୍ଧି ପାଇପାରେ । ଏହା ମସ୍କଙ୍କ ସମ୍ପତ୍ତିକୁ  ଅତିରିକ୍ତ ୧୮ ବିଲିୟନ ଡଲାର ବଢ଼ାଇପାରେ ।  ସ୍ପେସ୍‌ଏକ୍ସରେ ଏଲନ ମସ୍କଙ୍କର ୪୨% ମାଲିକାନା  ରହିଛି । ଏହି ଫାର୍ମର ଭାଲ୍ୟୁ ଜୁନ୍‌ରେ ୨୧୦  ବିଲିୟନ ଡଲାର ରହିଥିଲା । ଏହାବାଦ ସେ  ଅନ୍ୟ କମ୍ପାନିରେ ମଧ୍ୟ ନିବେଶ କରିଛନ୍ତି । ଏହା  ମଧ୍ୟରେ ନ୍ୟୁରାଲିଙ୍କ ଏବଂ ଏକ୍ସ ରହିଛି ।