ନୂଆଦିଲ୍ଲୀ,୦୯/୧୧: ଆମେରିକା  ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍‌ଡ ଟ୍ରମ୍ପଙ୍କୁ ବଡ଼ ମାତ୍ରାରେ ସମର୍ଥନ ଦେଇଥିଲେ  ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲ୍‌ନ ମସ୍କ । ଟୁଇଟର୍‌ରେ ଟ୍ରମ୍ପଙ୍କ ପାଇଁ ପ୍ରଚାର ଅଭିଯାନ ଚଳାଇଥିଲେ । ଟ୍ରମ୍ପଙ୍କ ନିର୍ବାଚନ ପ୍ରଚାର ପାଇଁ ୧୩ କୋଟି ଡଲାର ପ୍ରଦାନ କରିଥିଲେ ମସ୍କ । ଏଥିସହିତ ଏଥର ଆମେରିକା  ନିର୍ବାଚନରେ ସର୍ବବୃହତ୍‌ ଦାତା ଭାବେ  ପରିଗଣିତ ହୋଇଥିଲେ ସେ । ଏହି  ସମର୍ଥନ ଏଲନ୍‌ ମସ୍କଙ୍କ ସମ୍ପତ୍ତିକୁ ବଡ଼  ମାତ୍ରାରେ ବଢ଼ାଇଦେଇଛି । ଟ୍ରମ୍ପଙ୍କ ବିଜୟ  ପରେ ମସ୍କଙ୍କ ଇଲେକ୍ଟ୍ରିକ୍‌ ଯାନ କମ୍ପାନି  ଟେସ୍‌ଲାର ସେୟାର ରକେଟ୍‌ ବେଗରେ  ବଢ଼ିଯାଇଥିଲା । ନିର୍ବାଚନ କ୍ୟାମ୍ପେନ୍‌ରେ  ମସ୍କ ଯେତିକି ଖର୍ଚ୍ଚ କରିଥିଲେ ତାହାଠାରୁ  ଢେର ଗୁଣା ଲାଭ ପାଇଯାଇଛନ୍ତି ।

ଟ୍ରମ୍ପଙ୍କ ବିଜୟ ପରେ ମସ୍କଙ୍କ  କମ୍ପାନି ଟେସ୍‌ଲାର ସେୟାର ମୂଲ୍ୟରେ  ପ୍ରାୟ ୧୫% ବୃଦ୍ଧି ଦେଖିବାକୁ ମିଳିଥିଲା ।  ସେୟାର ମୂଲ୍ୟରେ ବୃଦ୍ଧି ସହିତ ଏଲନ୍‌  ମସ୍କଙ୍କ ସମ୍ପତ୍ତି ୨୬୦୦ କୋଟି ଡଲାର ବୃଦ୍ଧି  ପାଇଛି । ଅର୍ଥାତ୍‌ ୧୩ କୋଟି ଡଲାର ଖର୍ଚ୍ଚ  କରି ୨୬୦୦ କୋଟି ଡଲାର ଯୋଡ଼ିଛନ୍ତି  ମସ୍କ । ନିର୍ବାଚନ ଫଳାଫଳ ଆସିବା ପରେ  ତାଙ୍କ ସମ୍ପତ୍ତି ୨୯୦୦୦ କୋଟି ଡଲାରକୁ ବୃଦ୍ଧି  ପାଇଥିବା ବ୍ଲୁମ୍‌ବର୍ଗ ବିଲିୟନେୟାର ସୂଚୀରୁ  ଜଣାପଡ଼ିଛି । ଟ୍ରମ୍ପଙ୍କ ବଡ଼ ସମର୍ଥକ ମସ୍କ  ନୂଆ ସରକାରଙ୍କ ନୀତି ନିର୍ଦ୍ଧାରଣରେ ବଡ଼  ଭୂମିକା ଗ୍ରହଣ କରିବେ ବୋଲି ଅନୁମାନ  ରହିଛି । ଏହା ଟେସ୍‌ଲାରେ ନିବେଶକଙ୍କ  ଆସ୍ଥାକୁ ଆହୁରି ମଜଭୁତ କରିବା ନେଇ  ଆଶା ରହିଛି । ଉକ୍ତ ଆଶାରୁ ଟେସ୍‌ଲାର  ସେୟାର ମୂଲ୍ୟରେ ବଡ଼ ବୃଦ୍ଧି ଘଟିଛି । 

ଯଦିଓ ମସ୍କଙ୍କର ସେଭଳି କୌଣସି  ଯୋଜନା ନ ଥିଲା କିନ୍ତୁ ଟ୍ରମ୍ପଙ୍କୁ ସମର୍ଥନ  ହଠାତ୍‌ ତାଙ୍କ ନେଟ୍‌ ସମ୍ପତ୍ତିକୁ ବଡ଼  ଆକାରରେ ବଢ଼ାଇଦେଇଛି । ନାସ୍‌ଡାକ୍‌ରେ  ମସ୍କଙ୍କ କମ୍ପାନି ଟେସ୍‌ଲାର ସେୟାର  ମୂଲ୍ୟରେ ୧୫% ବୃଦ୍ଧି ଘଟି ଏହା  ୨୮୯.୪୧ ଡଲାରରେ ପହଞ୍ଚିଯାଇଥିଲା ।  

ଟେସ୍‌ଲାର ସେୟାର ମୂଲ୍ୟ ବଢ଼ିବାର  ଅନ୍ୟ ଏକ କାରଣ ହେଉଛି, ଫ୍ଲୋରିଡାରେ  ନିଜ ବିଜୟ ଅଭିଭାଷଣରେ ଆମେରିକା  ରାଷ୍ଟ୍ରପତି ନିର୍ବାଚିତ ଡୋନାଲ୍‌ଡ ଟ୍ରମ୍ପଙ୍କ  ମସ୍କଙ୍କୁ ପ୍ରଶଂସା । ନିଜ ଅଭିଭାଷଣରେ  ଟ୍ରମ୍ପ କହିଥିଲେ ଯେ, ମସ୍କ ଜଣେ ବିଶେଷ  ବ୍ୟକ୍ତିତ୍ୱ । ସେ ସୁପର୍‌ ଜିନିୟସ । ଆମକୁ  ଆମ ପ୍ରତିଭାମାନଙ୍କୁ ସୁରକ୍ଷା ଦେବାକୁ  ପଡ଼ିବ । ଏହି ବିବୃତି ଟେସ୍‌ଲା ସେୟାରକୁ  ରକେଟ୍‌ ବେଗରେ ବଢ଼ାଇଥିଲା ।  

ରିପୋର୍ଟ ଅନୁସାରେ, ମସ୍କ ଟେକ୍ସାସରେ  ମତଦାନ କରିଥିଲେ ଏବଂ ନିଜ ଘରୋଇ  ଜେଟ୍‌ରେ ଫ୍ଲୋରିଡାକୁ ଫେରି ଟ୍ରମ୍ପଙ୍କ  ବିଜୟ ଅଭିଭାଷଣ କାର୍ଯ୍ୟକ୍ରମରେ ଯୋଗ  ଦେଇଥିଲେ । ଏଠାରେ ସେ ଟ୍ରମ୍ପ ଏବଂ ତାଙ୍କ  ପରିବାର ସଦସ୍ୟମାନଙ୍କ ସହିତ ଏକାଠି  ମଞ୍ଚରେ ଛିଡ଼ା ହୋଇଥିବା ଦୃଶ୍ୟ ଦେଖିବାକୁ  ମିଳିଥିଲା । ବ୍ଲୁମ୍‌ବର୍ଗ ଅରବପତି ତାଲିକା  ଅନୁସାରେ ବିଶ୍ୱର ଧନକୁବେରମାନଙ୍କ  ସମ୍ପତ୍ତିରେ ରେକର୍ଡ ବୃଦ୍ଧି ଘଟିଛି । ମସ୍କଙ୍କ  ସହିତ ଆମାଜନ ପ୍ରତିଷ୍ଠାତା ଜେଫ୍‌  ବେଜୋସ୍‌ ଏବଂ ଓରାକଲ୍‌ର ଲ୍ୟାରି ଏଲିସନ୍‌  ମଧ୍ୟ ଭଲ ଆୟ କରିଛନ୍ତି ।