ଭୁବନେଶ୍ୱର, ୨୩/୦୩: ଆଉ ଶୁଭିବନି ତାଙ୍କ ଗିଟାରର ଧୂନ୍ । ତାଙ୍କ ମୃତ୍ୟୁ ସହ ଗିଟାରଟି ସବୁ ଦିନ ପାଇଁ ନିରବି ଯାଇଛି । ଚେନ୍ନାଇରେ ଅବସ୍ଥାପିତ ଓଡ଼ିଆ ପୁଅ ତଥା ଜଣାଶୁଣା ଗିଟାର ବାଦକ ଦେବାଂଶୁ ରଥ(କାବୁଲି) ଙ୍କ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା ।
ଗଙ୍ଗାଧର ରଥ ଓ ପ୍ରଭାବତୀ ରଥଙ୍କ ସୁପୁତ୍ର ତଥା ପୁରୀର ମୂଳବାସିନ୍ଦା ଶ୍ରୀ ରଥ ଭୁବନେଶ୍ୱରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମାଆ ପ୍ରଭାବତୀ ରଥ ମଧ୍ୟ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ଥିଲେ । କାବୁଲି ବିଶିଷ୍ଟ ପଖାଉଜ ବାଦକ ସ୍ୱର୍ଗତ କ୍ଷେତ୍ରମୋହନ କରଙ୍କ ନାତି ଏବଂ କିମ୍ବଦନ୍ତୀ ସଙ୍ଗୀତ ନିର୍ଦ୍ଦେଶକ ପ୍ରଫୁଲ୍ଲ କରଙ୍କ ଭଣଜା । ତାଙ୍କ ସାନ ଭାଇ ଗୁଡ୍ଲି ରଥ ମଧ୍ୟ ଜଣେ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ।
ସେ ଦୀର୍ଘ ୪୦ ବର୍ଷ ଧରି ଗିଟାରର ଯାଦୁରେ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରି ଆସୁଥିଲେ । ଓଡ଼ିଆ ସିନେମାରେ ଜଣେ ପ୍ରଚ୍ଛଦପଟ୍ଟ ସଂଗୀତ ନିର୍ଦ୍ଦେଶକ ଭାବେ ସେ ୮୦ରୁ ଅଧିକ ସିନେମାରେ କାମ କରିଛନ୍ତି । ସେ ହିନ୍ଦୀ, ତେଲୁଗୁ ଓ ତାମିଲ ସଙ୍ଗୀତ ଜଗତରେ ମଧ୍ୟ ନିଜ ଛାପ ଛାଡ଼ିଯାଇଛନ୍ତି । ସେ ଚେନ୍ନାଇରେ ରହୁଥିଲେ । ସେଠାରେ ବିଶିଷ୍ଟ ତାମିଲ ସଂଗୀତ ନିର୍ଦ୍ଦେଶକ ଇଲିଆ ରାଜା, ଏଆର ରହମାନଙ୍କ ଚଳଚ୍ଚିତ୍ରରେ ମୁଖ୍ୟ ଗିଟାର ବାଦକ ଭାବେ କାମ କରିଥିଲେ । ପ୍ରସିଦ୍ଧ ଚଳଚ୍ଚିତ୍ର ‘ରୋଜା’ ଓ ‘ରକ୍ଷ୍ଟାର୍’ରେ ତାଙ୍କ ଗିଟାରର ଧୂନ୍ ସିନେପ୍ରେମୀଙ୍କୁ ମତୁଆଲା କରିଥିଲା । ଏହାବାଦ୍ ଚେନ୍ନାଇର ଏକମାତ୍ର ହାରମୋନିକା ବାଦ୍ୟକାର ଭାବେ ମଧ୍ୟ ସେ ସୁଖ୍ୟାତି ଲାଭ କରିଥିଲେ । ସେ ଅଭିନେତା ବିଜୟ ସେତୁପତିଙ୍କୁ ହାରମୋନିକା ଶିକ୍ଷା ମଧ୍ୟ ଦେଉଥିଲେ । ‘ହେ ରାମ୍’ ଚଳଚ୍ଚିତ୍ରରେ ସେ ଏସ୍ପି ବାଲସୁବ୍ରମଣ୍ୟମଙ୍କ ସହ କାମ କରିଛନ୍ତି ।
ଗତ ଶନିବାର ସେ ଘରେ ଅନ୍ଲାଇନ୍ରେ ଛାତ୍ରମାନଙ୍କୁ ଗିଟାର ଶିଖାଉଥିଲେ । ହଠାତ୍ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା । ଡାକ୍ତରଖାନାରେ ହିଁ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଶେଷଶଯ୍ୟା ନିକଟରେ ପତ୍ନୀ ସୁଜାତା ମିଶ୍ର, ଝିଅ ତଥା କଣ୍ଠଶିଳ୍ପୀ ସାଲୋନୀ ଏବଂ ପୁଅ ଜଗନ୍ନାଥ ଉପସ୍ଥିତ ଥିଲେ । ସିନେ ସମୀକ୍ଷକ ଶ୍ୟାମା ପ୍ରସାଦ ମିଶ୍ର ଶୋକ ପ୍ରକାଶ କରିଛନ୍ତି । ଆସନ୍ତାକାଲି ଚେନ୍ନାଇରେ ତାଙ୍କର ଶେଷକୃତ୍ୟ ହେବ ବୋଲି ପରିବାର ସୂତ୍ରରୁ ପ୍ରକାଶ ।
ଅଧିକ ପଢ଼ନ୍ତୁ :- ଉପକୂଳ, ଉତ୍ତର ଓଡ଼ିଶାରେ ଘଡ଼ଘଡ଼ ସହ ଝଡ଼ିବର୍ଷା ସମ୍ଭାବନ, ୩୦ରୁ ୪୦ କିମି ବେଗରେ ବହିପାରେ ପବନ