ପୁରୀ,୦୧/୦୪: ସବୁଠି ଝଲସିବ  ଓଡ଼ିଆ ଅସ୍ମିତା । ମାତୃଭାଷା ଓଡ଼ିଆ ପାଇବ  ଅଗ୍ରାଧିକାର । ସରକାରୀ ଅନୁଷ୍ଠାନ ହେଉ କି  ବେସରକାରୀ ବ୍ୟବସାୟିକ ପ୍ରତିଷ୍ଠାନ ସବୁଠି  ନାମଫଳକ ଓଡ଼ିଆରେ ରହିବ । ସରକାରୀ ଗାଡ଼ିରେ ମଧ୍ୟ ଓଡ଼ିଆ ଭାଷାକୁ ପ୍ରାଥମିକତା  ଦିଆଯିବ । ଏହି ସବୁ ନିୟମ କଡ଼ାକଡ଼ି ଭାବେ ପାଳନ କରିବାକୁ ଓଡ଼ିଆ ଭାଷା, ସାହିତ୍ୟ ଓ  ସଂସ୍କୃତି ବିଭାଗର ନିର୍ଦ୍ଦେଶ ରହିଛି । ହେଲେ ପୁରୀରେ ଇଂରାଜୀ ମୋହ ତୁଟୁନି । ସରକାରୀ ପ୍ରତିଷ୍ଠାନଠାରୁ ଆରମ୍ଭ କରି ବ୍ୟବସାୟିକ ଅନୁଷ୍ଠାନ ସବୁଠି ଓଡ଼ିଆ ଭାଷା ଉପରେ ପ୍ରଭୁତ୍ୱ  ଜାହିର କରିଛି ଇଂରାଜୀ। ସରକାରୀ ଅଧିକାରୀ ନିଜ ଗାଡ଼ିରେ ଇଂରାଜୀ ଫଳକ ଲଗାଇ ବୁଲୁଥିବା ବେଳେ ସାଧାରଣ ଜନତା ସଚେତନ ହେବେ କେବେ? ଆଜି ସବୁଠି ଓଡ଼ିଆ ଦିବସ ପାଳନ କରାଯାଉଥିବା ବେଳେ ପୁରୀରେ ନାମଫଳକରୁ ଓଡ଼ିଆ ଅସ୍ମିତା ଉଭେଇ ଚାଲିଛି । 

ନିୟମ ଅନୁଯାୟୀ, ନାମଫଳକରେ ମାତୃଭାଷା ଉପରେ ରହିବ । ମଝିରେ ରାଷ୍ଟ୍ରଭାଷା ହିନ୍ଦୀ ଓ ଶେଷରେ ଇଂରାଜୀ କିମ୍ବା  ଅନ୍ୟାନ୍ୟ ଭାଷା ରହିବ । କେବଳ ସେତିକି ନୁହେଁ ନାମ ଫଳକରେ ବ୍ୟବହୃତ ହୋଇଥିବା ବିଭିନ୍ନ ଭାଷାର ଲିପି ମଧ୍ୟରେ ଓଡ଼ିଆ ଭାଷା ଛୋଟ ହୋଇପାରିବ ନାହିଁ । ହେଲେ ଏହି ସବୁ ନିୟମ ପୁରୀରେ ଖୋଲାଖୋଲି ଉଲ୍ଲଙ୍ଘନ  କରାଯାଇଛି । ପୁରୀ ବେଳାଭୂମିଠାରୁ ଆରମ୍ଭ  କରି ବଡ଼ଦାଣ୍ଡ ପର୍ଯ୍ୟନ୍ତ ନାମଫଳକରେ ଓଡ଼ିଆ ଉଭାନ ହେବାରେ ଲାଗିଛି ।  

ସମୁଦ୍ରକୂଳରେ ଥିବା ବଜାରରେ ଓଡ଼ିଆ ଭାଷା କାଁ ଭାଁ ବ୍ୟବହାର କରାଯାଉଛି । ଏହି  ବଜାରରେ ଥିବା ପ୍ରାୟତଃ ପ୍ରତ୍ୟେକ ଦୋକାନ ବଙ୍ଗାଳୀ ଭାଷାକୁ ଅଗ୍ରାଧିକାର ଦେଉଛନ୍ତି । ୮୦  ଭାଗ ଦୋକାନରେ ବଡ଼ ବଡ଼ ବଙ୍ଗାଳୀ ଫଳକ  ଲଗାଯାଇଛି । ଯେଉଁ ହାତଗଣତି ଦୋକାନୀ ଓଡ଼ିଆ ବ୍ୟବହାର କରିଛନ୍ତି, ସେଠାରେ ଓଡ଼ିଆ ଭାଷାକୁ  ଅତ୍ୟନ୍ତ ଛୋଟ କରି ଲେଖାଯାଇଛି । ପୁରୀର  ବିଭିନ୍ନ ହୋଟେଲ ସମେତ ସରକାରୀ ଗେଷ୍ଟ ହାଉସର ଫଳକରେ ମଧ୍ୟ ଆଦୌ ଓଡ଼ିଆ ନାହିଁ । ସେହିପରି ଅନେକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଫଳକରେ ଓଡ଼ିଆକୁ ଅଣଦେଖା କରାଯାଉଛି । କେଉଁଠି  ଓଡ଼ିଆକୁ ଶେଷରେ ରଖାଯାଇଛି ତ କେଉଁଠି  ଫଳକରେ କେବଳ ଇଂରାଜୀ ଏବଂ ହିନ୍ଦୀରେ  ନାମ ଲେଖାଯାଇଛି । ଓଡ଼ିଆରେ ନାମଫଳକ  ଲେଖିବା ପାଇଁ ସଚେତନ କରିବାକୁ ପୁରୀ  ପୌରପାଳିକାର ପ୍ରମୁଖ ଭୂମିକା ରହିଛି । ହେଲେ  ଖୋଦ୍‌ ପୁରୀ ପୌରପାଳିକାର ଏନ୍‌ଫୋର୍ସମେଣ୍ଟ  ସ୍କ୍ୱାଡ୍‌ଙ୍କ ଗାଡ଼ିର ଫଳକ ଇଂରାଜୀରେ ରହିଛି ।  

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ  ବଡ଼ଦାଣ୍ଡରେ ଥିବା ସମସ୍ତ ବ୍ୟବସାୟିକ  ପ୍ରତିଷ୍ଠାନକୁ ପ୍ରଶାସନ ନାମଫଳକ ଦେଇଥିଲା ।  ମାଟିଆ ରଙ୍ଗର ଫଳକରେ ପ୍ରଥମେ ଓଡ଼ିଆରେ  ପରେ ଇଂରାଜୀରେ ନାମ ଲେଖାଯାଇଥିଲା ।  ହେଲେ ଏବେ ଅନେକ ବ୍ୟବସାୟୀ ସରକାରୀ ଫଳକକୁ ହଟାଇ ପୁନଃ ଇଂରାଜୀ ନାମଫଳକ  ଲଗାଇଛନ୍ତି । ୭୦ ଭାଗ ଦୋକାନୀ ଓଡ଼ିଆ  ନାମଫଳକ ହଟାଇ ଇଂରାଜୀ ଫଳକ ଲଗାଇଛନ୍ତି । 

ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନରେ  ଓଡ଼ିଆରେ ନାମଫଳକ ଲଗାଯିବା ନେଇ କଡ଼ା  ନିରୀକ୍ଷଣ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସମସ୍ତ ଜିଲ୍ଲା ଶ୍ରମ ଅଧିକାରୀ ଓ ପୌରାଞ୍ଚଳ କାର୍ଯ୍ୟନିର୍ବାହୀ  ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଡିଭିଜନାଲ  ଲେବର କମିଶନର ସୁବ୍ରତ କୁମାର ଜେନା  ଏନେଇ କହିଛନ୍ତି, ନିୟମ ଉଲ୍ଲଙ୍ଘନକାରୀଙ୍କୁ  ୭ ଦିନିଆ ନୋଟିସ ଦିଆଯାଉଛି । ଏହାପରେ  ଯଦି ସେମାନେ ଫଳକ ପରିବର୍ତ୍ତନ କରୁନାହାନ୍ତି  ସେମାନଙ୍କ ବିରୋଧରେ ମାମଲା ରୁଜୁ ହେଉଛି ।  ଶ୍ରମ ବିଭାଗ ନଜରରେ ଯେଉଁ ଦୋକାନ ଆସୁଛି  ସେଠିକୁ ନୋଟିସ ଦିଆଯାଇଛି । ଏହାପରେ  ବି ଯଦି କେଉଁଠି ଓଡ଼ିଆ ଭାଷାର ଅସମ୍ମାନ  ହେଉଥିବା ନଜର ଆସେ କାର୍ଯ୍ୟାନୁଷ୍ଠାନ  ନିଆଯିବ ବୋଲି ସେ ପ୍ରକାଶ କରିଛନ୍ତି ।