ମୁମ୍ବାଇ ୧୫/୧୨: ପରଦାରେ ଗମ୍ଭୀର ଭୂମିକା ପାଇଁ ବେଶ ଜଣାଶୁଣା ତାରା ସୁତାରିଆ । ଏକ ସାକ୍ଷାତକାରରେ ସେ ବଲିଉଡ୍‌ରେ ପ୍ରତିଯୋଗିତା ବିଷୟରେ ଆଲୋଚନା କରିଛନ୍ତି । ଗତ ବର୍ଷ ଶେଷରେ ତାଙ୍କର ଫିଲ୍ମ ‘ଅପୂର୍ବା’ର ରିଲିଜ୍‌ ସମୟ କଥା ସେ ମନେପକାଇଛନ୍ତି । ସେତେବେଳେ ସୁହାନା ଖାନ୍‌, ଖୁସି କପୁର ଓ ଆହୁରି ଅନେକ ନୂଆ ମୁହଁ ଚର୍ଚ୍ଚାର ଶିଖରରେ ଥିଲେ । ଏଭଳି ଏକ ସମୟରେ ତାରା ସେମାନଙ୍କୁ ନିଜ ପ୍ରତିଯୋଗୀ ଭାବେ ଦେଖୁଥିଲେ କି ବୋଲି ପ୍ରଶ୍ନ କରାଯାଇଥିଲା । 

ଉତ୍ତରରେ ତାରା କହିଲେ, ପ୍ରତ୍ୟେକ କଳାକାର ନିଜକୁ କିଭଳି ଉପସ୍ଥାପନ କରନ୍ତି ଏବଂ କେଉଁ ପ୍ରକାର ଫିଲ୍ମ ଚୟନ କରନ୍ତି, ସେଥିରେ ପାର୍ଥକ୍ୟ ରହିଛି । କିନ୍ତୁ ତାଙ୍କ ପାଇଁ ଏହା ପ୍ରତିଯୋଗିତା ନ ଥିଲା । ସେ ନିଜର ପ୍ରଥମ ଫିଲ୍ମ ‘ଷ୍ଟୁଡେଣ୍ଟ୍‌ ଅଫ୍‌ ଇୟର-୨’ରେ ଅନନ୍ୟା ପାଣ୍ଡେଙ୍କ ଅପୋଜିଟ୍‌ରେ ସ୍କ୍ରିନ୍‌ ଶେୟାର କରିଥିଲେ । ଦୁହେଁ ୨୦୧୯ ମସିହାରେ ଏହି ଫିଲ୍ମ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ । କିନ୍ତୁ ତାଙ୍କ ମନରେ ପ୍ରତିଯୋଗିତାର ବିଚାର କଦାପି ଆସିନାହିଁ । ଯାହା ଜୀବନରେ ଘଟିବାର ଅଛି, ତାହା ହିଁ ହେଉଛି ବୋଲି ତାଙ୍କର ବିଶ୍ୱାସ ।

ଜଣେ ଆଉଟ୍‌ସାଇଡର୍‌ ଭାବେ ବଲିଉଡ୍‌ରେ ଏଣ୍ଟ୍ରି କରିବା ଯେତିକି ନିଆରା ସେତିକି ଚାଲେଞ୍ଜିଂ ଥିଲା ବୋଲି ତାରା କହିଛନ୍ତି । ଏଠି ଏକ ବିଶାଳ ସମୂହରେ ରେସ୍‌ ଉପରେ ଫୋକସ୍‌ ନ କରି ସେ ନିଜର ସ୍ୱତନ୍ତ୍ର ସ୍ଥାନ ପ୍ରସ୍ତୁତ କରିଛନ୍ତି । ତାରା ‘ଏକ୍‌ ଭିଲେନ୍‌ ରିଟର୍ନସ୍‌’, ‘ହିରୋପନ୍ତି-୨’, ‘ତଡ଼ପ୍‌’ ଓ ‘ମରଜାୱାଁ’ ଭଳି ଫିଲ୍ମରେ ନଜର ଆସିଛନ୍ତି । ପ୍ରତ୍ୟେକ ଫିଲ୍ମରେ ସେ ଜଣେ ବହୁମୁଖୀ ଓ ପ୍ରତିଭାସମ୍ପନ୍ନ କଳାକାର ବୋଲି ପ୍ରମାଣ ଦେଇଛନ୍ତି । ବିଭିନ୍ନ ପ୍ରକାର ଫିଲ୍ମରେ ନିଜର ଭିନ୍ନ ଚରିତ୍ର ମାଧ୍ୟମରେ ସେ ପ୍ରଶଂସା ସାଉଁଟିଛନ୍ତି ।