ମୁମ୍ବାଇ,୦୩/୦୧: ଭାରତୀୟ ଇକ୍ୱିଟି ବଜାରରେ ଗୁରୁବାର ଜବର୍‌ଦସ୍ତ ଉତ୍ସାହ ଦେଖିବାକୁ ମିଳିଛି । ନୂଆବର୍ଷରେ ନିବେଶକ ଉତ୍ସାହିତ । ଗୁରୁବାର ପୁଞ୍ଜି ବଜାରରେ ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିଳିଛି । ନିବେଶକ ୬ ଲକ୍ଷ କୋଟି ଟଙ୍କାରୁ ଊଦ୍ଧ୍ୱର୍ ଲାଭ ପାଇଛନ୍ତି । 

ବର୍ଷର ଦ୍ୱିତୀୟ ଦିନ କାରବାର ଶେଷରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ସୂଚକାଙ୍କ ସେନ୍‌ସେକ୍ସରେ ୧୦୦୦ ପଏଣ୍ଟରୁ ଊଦ୍ଧ୍ୱର୍ ବୃଦ୍ଧି ଘଟିଛି । ନିବେଶକ ହୋଇଛନ୍ତି ମାଲାମାଲ । ସେନ୍‌ସେକ୍ସରେ ୧,୪୩୬.୩୦ ପଏଣ୍ଟ ବୃଦ୍ଧି ଘଟିଛି । ଫଳରେ ଏହା ୭୯,୯୪୩.୭୧ ପଏଣ୍ଟରେ ବନ୍ଦ ହୋଇଛି । ଅନ୍ୟପକ୍ଷରେ, ନ୍ୟାସ୍‌ନାଲ ଷ୍ଟକ୍‌ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ) ନିଫ୍‌ଟି ୪୪୫.୭୫ ପଏଣ୍ଟ ବଢ଼ି ୨୪,୧୮୮.୬୫ ପଏଣ୍ଟରେ ବନ୍ଦ ହୋଇଛି । ଆଜି କାରବାରରେ ଅଟୋ ଏବଂ ଆଇଟି ସେୟାରରେ ଜବର୍‌ଦସ୍ତ ଉତ୍ସାହ ଦେଖିବାକୁ ମିଳିଛି । ନିଫ୍‌ଟି ଅଟୋ ୩.୮% ବଢ଼ି ୨୪,୦୧୬ ପଏଣ୍ଟରେ ବନ୍ଦ ହୋଇଛି । ନିଫ୍‌ଟି ଫାଇନାନ୍‌ସିଆଲ ସର୍ଭିସେସ୍‌, ବ୍ୟାଙ୍କ, ଏଫ୍‌ଏମ୍‌ସିଜି, ତୈଳ ଓ ଗ୍ୟାସ ଏବଂ କଞ୍ଜ୍ୟୁମର ଡ୍ୟୁରେବଲ୍ସରେ ୧%ରୁ ଅଧିକ ବୃଦ୍ଧି ଦେଖିବାକୁ ମିଳିଛି । ନିଫ୍‌ଟି ଆଇଟି ବି ୨%ରୁ ଅଧିକ ବଢ଼ିଛି । ବଜାରରେ ଆଜିର ଏହି ବୃଦ୍ଧି ପରେ ସେୟାର ବଜାର ନିବେଶକ ତଗ୍‌ଡା ଲାଭ କରିଛନ୍ତି । ବିଏସ୍‌ଇରେ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ମାର୍କେଟ କ୍ୟାପ୍‌ ଆଜି ବଢ଼ି ୪୫,୨୦୦,୩୨୧.୨୭ କୋଟି ଟଙ୍କା ହୋଇଛି । ଏହା ଜାନୁଆରୀ ୧ରେ ୪୪,୫୯୪,୪୭୪ କୋଟି ଟଙ୍କା ଥିଲା । 

ଗୁରୁବାର କାରବାରରେ ବିଏସ୍‌ଇରେ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ନିବେଶକଙ୍କୁ ୬.୦୫ ଲକ୍ଷ କୋଟି ଟଙ୍କାରୁ ଅଧିକ ଫାଇଦା ିଳିଛି । ସେନ୍‌ସେକ୍ସର ୩୦ଟି ସେୟାର ମଧ୍ୟରୁ ୨୯ଟି ଊଦ୍ଧ୍ୱର୍ମୁଖୀ ହୋଇଛି ।  ବଜାରରେ ଦେଖାଦେଇଥିବା ବୃଦ୍ଧିର ଅନେକ କାରଣ ରହିଛି । ଡିସେମ୍ବରରେ ଦେଶରେ ୧.୭୭ ଲକ୍ଷ କୋଟି ଟଙ୍କାର ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି) ଆଦାୟ ହୋଇଛି । ୨୦୨୩ ଡିସେମ୍ବର ତୁଳନାରେ ଏହା ୭.୩% ଅଭିବୃଦ୍ଧି । ଏହା ଅର୍ଥନୀତିର ଦୃଢ଼ତାକୁ ଦର୍ଶାଉଛି । ଏହାର ସକାରାତ୍ମକ ପ୍ରଭାବ ଆଜି ଦେଶର ପୁଞ୍ଜି ବଜାରରେ ପଡ଼ିଥିବା ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । 

ଆମେରିକା ଫେଡେରାଲ ରିଜର୍ଭ ପକ୍ଷରୁ ସୁଧ ହାରରେ ୨୫ ବେସିସ୍‌ ପଏଣ୍ଟ୍‌ର ହ୍ରାସ ପରେ ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି ଯେ, ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଏହାର ପରବର୍ତ୍ତୀ ମୁଦ୍ରାନୀତି ସମୀକ୍ଷା ବୈଠକରେ ସମାନ ପଦାଙ୍କ ଅନୁକରଣ କରିବ ଏବଂ ଏହାର ପ୍ରମୁଖ ସୁଧ ହାର ରେପୋରେଟ୍‌ରେ ହ୍ରାସ କରିପାରେ । ଫେଡେରାଲ ରିଜର୍ଭର ସୁଧ ହାର ହ୍ରାସ ଦ୍ୱାରା ବିଶ୍ୱ ବଜାରରେ ଲିକ୍ୱିଡିଟି ବଢ଼ିବ । ଏହାଦ୍ୱାରା ଭାରତୀୟ ବଜାରରେ ବିଦେଶୀ ନିବେଶକଙ୍କ ଆଗ୍ରହ ଆହୁରି ବଢ଼ିବାର ଅନୁମାନ ରହିଛି । ଏସବୁ ପୁଞ୍ଜି ବଜାରରେ ଉତ୍ସାହ ଭରି ଦେଇଥିବା ବଜାର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।