ନୂଆଦିଲ୍ଲୀ,୨୮।୨: ପୁଣିଥରେ ସୁଧ ହାରରେ କୌଣସି ପରିବର୍ତ୍ତନ କରିନି ଇପିଏଫ୍‌ଓ । ୨୦୨୪-୨୫  ପାଇଁ କର୍ମଚାରୀ ଭବିଷ୍ୟ ନିଧି ସଂସ୍ଥା ବା ଇପିଏଫଓ ବୋର୍ଡ ୮.୨୫% ସୁଦ୍ଧହାର ଧାର୍ଯ୍ୟ କରିଛି। ଏହି ନିଷ୍ପତ୍ତିର ପ୍ରଭାବ ୭ କୋଟି ସବସ୍କ୍ରାଇବର୍ସଙ୍କ ଉପରେ ସିଧା ସଳଖ ପ୍ରଭାବ ପଡିବ। ପୂର୍ବରୁ ହିଁ ଚର୍ଚ୍ଚା ଥିଲା ଯେ, ସୁଦ୍ଧହାରକୁ ଇପିଏଫ୍‌ଓ ବୋର୍ଡ  ବଜାୟ ରଖିପାରେ।

ଇପିଏଫ୍‌ଓ ସମ୍ପର୍କରେ ନିଷ୍ପତ୍ତି ନେଉଥିବା ସର୍ବୋଚ୍ଚ ସଂସ୍ଥା ସେଣ୍ଟ୍ରାଲ ବୋର୍ଡ ଅଫ୍ ଟ୍ରଷ୍ଟି ୨୦୨୪-୨୫ ପାଇଁ ଇପିଏଫ୍‌ଓ ସୁଦ୍ଧହାର ୮.୨୫ ପ୍ରତିଶତ ଧାର୍ଯ୍ୟ କରିଛି। ଶୁକ୍ରବାର ମିଟିଂରେ ଏଭଳି ନିଷ୍ପତ୍ତି ନିଆଯାଇଛି।’ ସେଣ୍ଟ୍ରାଲ ବୋର୍ଡ ଅଫ୍ ଟ୍ରଷ୍ଟିର ନିଷ୍ପତ୍ତିକୁ ଏବେ ଅର୍ଥମନ୍ତ୍ରଣାଳୟ ନିକଟକୁ ପଠାଯାଇଛି। ଯାହାଉପରେ ଅନ୍ତିମ ମୋହର ବାଜିବାକୁ ବାକି ଅଛି। 

ଗତବର୍ଷ ଫେବୃଆରୀ ମାସରେ ଇପିଏଫ୍‌ଓ ସୁଧହାରରେ ବୃଦ୍ଧି କରିଥିଲା। ସେତେବେଳେ ସୁଧହାରକୁ ବଢାଇ ୮.୨୫ ପ୍ରତିଶତ କରି ଦିଆଯାଇଥିଲା। ଆର୍ଥିକ ବର୍ଷ ୨୦୨୨-୨୩ ରେ ଇପିଏଫ୍‌ଓ ପକ୍ଷରୁ ସୁଧହାର ୮.୧୫ % ଧାର୍ଯ୍ୟ କରାଯାଇଥିଲା। ଇପିଏଫ୍‌ଓ ସୁଧହାର ୨୦୧୮-୧୯ ରେ ୮.୬୫% ଥିଲା। ୨୦୧୯-୨୦ ରେ ୮.୫% ଥିଲା। ୨୦୨୧-୨୨ ରେ ଏହା ହ୍ରାସ ପାଇଁ ୮.୧୦% ହୋଇଯାଇଛି। ନିକଟରେ ଇପିଏଫ୍‌ଓ ୨୦୧୫୧୬ ରେ ସର୍ବାଧିକ ସୁଧ ୮.୮% କରିଦେଇଥିଲା। ସେଭଳି ୨୦୧୩-୧୪ ଓ ୨୦୧୪-୧୫ ରେ ଏହା ୮.୭୫% ଥିଲା।  ଇପିଏଫ୍‌ଓ ୨୦୨୪-୨୫ ରେ ୫୦.୫ ମିଲିୟନ କ୍ଲେମ୍ ପ୍ରୋସେସ୍ କରିଥିଲା। ଯାହାକି ୨.୦୫ ଲକ୍ଷ କୋଟି ଟଙ୍କା ଥିଲା। ୨୦୨୩-୨୪ ର ଏହି ସଂସ୍ଥା ୪୪.୫ ମିଲିୟନ କ୍ଲେମ୍‌କୁ ପ୍ରୋସେସ୍ କରିଥିଲା। ଯାହାକି ୧.୮୨ ଲକ୍ଷ କୋଟି ଟଙ୍କା ସହ ସମାନ। ଅର୍ଥାତ ବାର୍ଷିକ ଆଧାରରେ ଯଦି ଦେଖିବା ତେବେ କ୍ଲେମ୍‌ରେ ବୃଦ୍ଧି ହୋଇଛି। ଯାହାକି ସବସ୍କ୍ରାଇବର୍ସ ଦୃଷ୍ଟିରୁ ଭଲ କଥା।