ନୂଆଦିଲ୍ଲୀ,୦୧/୦୪: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଙ୍ଗଠନ  (ଇପିଏଫ୍‌ଓ)ଭବିଷ୍ୟନିଧି ଆକାଉଣ୍ଟରୁ ଅଟୋ ସେଟଲ୍‌ମେଣ୍ଟ ଅଫ୍‌ ଆଡ୍‌ଭାନ୍ସ  କ୍ଲେମ(ଏଏସ୍‌ଏସି) ସୀମାକୁ ୧ ଲକ୍ଷ  ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି ସଂକ୍ରାନ୍ତ  ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି । 

ଏଏନ୍‌ଆଇ ରିପୋର୍ଟ ମୁତାବକ,  ଶ୍ରମ ଏବଂ ରୋଜଗାର  ମନ୍ତ୍ରଣାଳୟ ସଚିବ ସୁମିତ୍ରା  ଡାବରା ୨୮ ମାର୍ଚ୍ଚରେ ଶ୍ରୀନଗରରେ ଅନୁଷ୍ଠିତ ଇପିଏଫ୍‌ଓର  କର୍ମଚାରୀ ସମିତି (ଇସି)ର ୧୧୩ ତମ ବୈଠକରେ ଏହି  ପ୍ରସ୍ତାବ ପାସ୍‌ କରିଛନ୍ତି । ପ୍ରସ୍ତାବକୁ ଇପିଏଫ୍‌ଓର ସର୍ବୋଚ୍ଚ  ନୀତି ନିର୍ଦ୍ଧାରକ ସଂସ୍ଥା ସେଣ୍ଟ୍ରାଲ ବୋର୍ଡ ଟ୍ରଷ୍ଟି (ସିବିଟି) ମଞ୍ଜୁରୀ  ମିଳିବା ପରେ କର୍ମଚାରୀ ବିନା ମାନୁଆଲ ଯାଞ୍ଚରେ ପିଏଫ୍‌  ଆକାଉଣ୍ଟରୁ ୫ଲକ୍ଷ ଟଙ୍କା ଯାଏ ଉଠାଣ  କରିପାରିବେ ।

ବର୍ତ୍ତମାନ ଇପିଏଫ୍‌ଓ  ଉପଭୋକ୍ତା ୧ ଲକ୍ଷ ଟଙ୍କା ଯାଏ ପିଏଫ୍‌  ଅଟୋକ୍ଲେମ କରିପାରୁଛନ୍ତି । ଏହା ଠାରୁ  ଅଧିକ ମୂଲ୍ୟର ରାଶି ଉଠାଣ କ୍ଷେତ୍ରରେ  ଇପିଏଫ୍‌ଓ ଅଧିକାରୀଙ୍କ ଦ୍ୱାରା  ମାନୁଆଲ ଯାଞ୍ଚର ଆବଶ୍ୟକତା  ହୋଇଥାଏ । ନୂଆ ପ୍ରସ୍ତାବ ପରେ ଅଟୋ କ୍ଲେମ୍‌ ଲିମିଟ  ୫ ଗୁଣା ବଢ଼ି ୫ ଲକ୍ଷ ଟଙ୍କା  ହେବ । 

ଏହା ପୂର୍ବରୁ ୨୬ ମାର୍ଚ୍ଚରେ ସୁମିତ୍ରା ଡାବରା କହିଥିଲେ, ଇପିଏଫ୍‌ଓ ସଦସ୍ୟ ଶୀଘ୍ର ୟୁପିଆଇ ଏବଂ ଏଟିଏମ୍‌ରେ ପିଏଫ୍‌  ଅର୍ଥ ଉଠାଣ କରିପାରିବେ । ଏହାର ସୀମା ୧ ଲକ୍ଷ ଟଙ୍କା ଯାଏ  ରହିବ । ଚଳିତ ବର୍ଷ ମେ’ ଶେଷ କିମ୍ବା ଜୁନ ଆରମ୍ଭରେ  ଏହି ସେବା ଆରମ୍ଭ ହେବାର ଢ଼େର ସମ୍ଭାବନା ରହିଛି ।