ରାୟଗଡ଼ା,୩୧/୩: ଜିଲ୍ଲାରେ ମେଡିକାଲ୍ କଲେଜ ସ୍ଥାପାନ ହେବ । ଏଥିଲାଗି ଦୁଇ ସରକାର ଦୁଇଥର ଘୋଷଣା କରିଛନ୍ତି । ଅଦ୍ୟାବଧି ଅନୁଦାନ ମିଳିନି କି ନିର୍ମାଣ ଦିଗରେ ପାଦେ ଆଗେଇନି । କେବଳ ଘୋଷଣାରେ ସୀମିତ ରହିଛି ମେଡିକାଲ୍ କଲେଜ ଭାଗ୍ୟ । ଗତ ଶନିବାର ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବ୍ୟୟ ମଞ୍ଜୁରି ବିଧେୟକ ଆଲୋଚନା ହୋଇଛି । ଏଥିରେ ଚଳିତ ବର୍ଷ ରାଜ୍ୟର ୮ଟି ଜିଲ୍ଲାରେ ନୂଆ ମେଡିକାଲ କଲେଜ ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି । ଅଥଚ ସେଥିରେ ରାୟଗଡ଼ାର ନାଁ ନାହିଁ । ଏହାପରେ ବର୍ତ୍ତମାନ ଜିଲ୍ଲାରେ ମେଡିକାଲ କଲେଜ ସ୍ଥାପନ ନେଇ ଅନିଶ୍ଚିତତା ଦେଖାଦେଇଛି । ଏହାକୁ ନେଇ ଜିଲ୍ଲାବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ରାୟାଗଡ଼ା ଏକ ପଛୁଆ ତଥା ଆଦିବାସୀ ବହୁଳ ଜିଲ୍ଲା । ଏଠି ବର୍ଷର ୬ମାସ ଜିଲ୍ଲାବାସୀ ନାନା ରୋଗରେ ପଡ଼ୁଛନ୍ତି । ଡାଇରିଆ, ମ୍ୟାଲେରିଆ, ଡିପ୍ଥେରିଆ ଭଳି ରୋଗ ଜିଲ୍ଲାବାସୀଙ୍କ ଚିରସାଥୀ ହୋଇରହିଛି । ତେଣୁ ଉନ୍ନତ ସ୍ୱାସ୍ଥ୍ୟସେବା ପାଇଁ ଜିଲ୍ଲାରେ ଏକ ମେଡିକାଲ୍ କଲେଜ ସ୍ଥାପନା ଲାଗି ଦୀର୍ଘଦିନରୁ ଦାବି ହୋଇଆସୁଛି । ୨୦୧୬ରେ ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ରାୟଗଡ଼ାରେ ମେଡିକାଲ୍ କଲେଜ ସ୍ଥାପନ ନେଇ ଘୋଷଣା କରିଥିଲେ । ପୂର୍ବ ସରକାର ଅମଳରେ ତାହା ହେଲା ନାହିଁ । ବର୍ତ୍ତମାନର ବିଜେପି ସରକାର ସବୁ ଜିଲ୍ଲାରେ ମେଡିକାଲ୍ କଲେଜ ସ୍ଥାପନା ପାଇଁ ଘୋଷଣା କରିଛନ୍ତି । ଗତ ଜାନୁଆରୀ ୬ରେ ଜିଲ୍ଲା ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଏଠାରେ ମେଡିକାଲ୍ କଲେଜ ହେବ ବୋଲି ଘୋଷଣା କରିଥିଲେ । ବିଡ଼ମ୍ବନାର ବିଷୟ ମେଡିକାଲ କଲେଜ ସମ୍ବନ୍ଧୀୟ ଫାଇଲ୍ ହିଁ ଅଦ୍ୟାବଧି ସରକାରଙ୍କ ଦ୍ୱାରା ପ୍ରସ୍ତୁତ ହୋଇନି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଡିପିଆର୍ ପ୍ରସ୍ତୁତ କରିନାହିଁ । ଫଳରେ ମେଡିକାଲ କଲେଜ ସ୍ଥାପନା ପାଇଁ ଆନୁସଙ୍ଗିକ କାର୍ଯ୍ୟ ଅଗ୍ରସର ହେଉନଥିବା ଜଣାପଡ଼ିଛି । ଏହାକୁ ନେଇ ସାଂସଦ ସପ୍ତଗିରି ଶଙ୍କର ଉଲ୍ଲାକା ଅସନ୍ତୋଷ ବ୍ୟକ୍ତ କରିଛନ୍ତି । କହିଛନ୍ତି, ବିଜେପି ସରକାର ସ୍ୱାସ୍ଥ୍ୟସେବା ନାଁରେ ଜିଲ୍ଲାବାସୀଙ୍କୁ ଲଲିପପ୍ ଦେଖାଇଛନ୍ତି । ବଜେଟ୍ରେ ମେଡିକାଲ୍ କଲେଜ ପାଇଁ ଟଙ୍କାଟିଏ ମଧ୍ୟ ବ୍ୟୟବରାଦ କଲେନି । ଏବେ ବିଧାନସଭାରେ ଆଲୋଚନା ବେଳେ ସବୁ ଲୋକଲୋଚନକୁ ଆସିଛି ।
ବିଧାୟକ ଆପଲାସ୍ୱାମୀ କାଡ୍ରାକା କହିଛନ୍ତି, ଏହା ଜିଲ୍ଲାବାସୀଙ୍କ ପାଇଁ ଏକପ୍ରକାର ଧୋକା । ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ପ୍ରଦାନ ଏବଂ ଅଞ୍ଚଳର ପିଲା ଡାକ୍ତରୀ ପଢ଼ିବାର ସ୍ୱପ୍ନ ପୂରଣ କରିବା ପାଇଁ ସରକାର ଯେଉଁ ଘୋଷଣା କରିଥିଲେ ତାହା କେବଳ ପ୍ରତାରଣା । ପ୍ରକାଶଥାଉକି, ରାୟଗଡ଼ାରେ ମେଡିକାଲ୍ କଲେଜ ସ୍ଥାପନା ପାଇଁ ଆଦାନି ଗ୍ରୁପ୍ ଇଛା ପ୍ରକଟ କରିଥିଲା । ପିପିପି ମୋଡ୍ରେ ମେଡିକାଲ୍ କଲେଜ ସହ ଉନ୍ନତମାନର ହସ୍ପିଟାଲ କରିବ ବୋଲି ଘୋଷଣା ମଧ୍ୟ ହୋଇଥିଲା । ରାଜ୍ୟ ସରକାର ଆଦାନି ଗ୍ରୁପ୍କୁ ସବୁଜ ସଙ୍କେତ ଦେଲେନାହିଁ । ଫଳରେ ସେହି ପ୍ରକଳ୍ପ ମଧ୍ୟ ବର୍ତ୍ତମାନ ଶୀତଳ ଭଣ୍ଡାରରେ ପଡ଼ିରହିଛି ।