କେତେବେଳେ ପାରିବାରିକ ସଂସ୍କାର ଏହାର ଆଧାର ହୋଇଥାଏ ତ ଆଉ କେତେବେଳେ ଧର୍ମୀୟ ପରମ୍ପରା ଏହାର ବୀଜଟି ବୁଣିଦେଇଥାଏ ସେ ପରିବେଶରେ ବଢୁଥିବା ସାମାଜିକ ପ୍ରାଣୀଟି ଦେହରେ । ଗାଲାର୍ଡୋ-ପୁଜୋଲ୍ ଏବଂ ସାଥୀଙ୍କ ଏକ ଲେଖାରୁ ଅଳ୍ପ ଟିକିଏ ନେଇ ମୁଁ ମୋ ଲେଖାଟିକୁ ଭିନ୍ନ ଏକ ଆୟାମ ଦେବାପାଇଁ ଚାହିଁବି ।
ପାଖାପାଖି ତିରିଶି ବର୍ଷ ତଳେ ଚାକିରି ସଂକ୍ରାନ୍ତୀୟ ସାକ୍ଷାତକାର ପାଇଁ ମଣିପୁରର ରାଜଧାନୀରୁ ମୋ ପାଖକୁ ଡାକରାଟିଏ ଆସିଥାଏ । ଢେର ଦୂର ବାଟ ସାଙ୍ଗକୁ ଅଶାନ୍ତ ବାତାବରଣ । ମୋର ଗୋଟିଏ ସାଙ୍ଗ ଓ ମୋ ଯିବା ଆସିବା ପାଇଁ ଉଡ଼ାଜାହାଜର ଟିକେଟ ଖରିଦ କରାହେଲା । କଲିକତାରୁ ସିଧା ଉଡ଼ିଗଲୁ ଆଇଜଲ । ସାକ୍ଷାତକାର ବି ଭଲରେ ସରିଲା । ଆରଦିନକୁ ଘର ବାହୁଡ଼ା । ହେଲେ କିଛି କାରଣରୁ ବିମାନ ସେବା ବନ୍ଦ ହେବା କଥା ସନ୍ଧ୍ୟାରେ ଜଣାଯିବାରୁ ମୁଣ୍ଡରେ ଚଡ଼କ ପଡ଼ିଲା । ଅବିଳମ୍ବେ ବସ୍ଷ୍ଟାଣ୍ଡକୁ ଆସି ବସ୍ କଥା ବୁଝାବୁଝି ପରେ ଟିକେଟ ନମିଳିବାରୁ ବାଧ୍ୟହୋଇ ଏକ ଟାଟା ସୁମୋ ଗାଡ଼ିରେ ସିଟ୍ ବୁକ୍ କରି ଫେରିଲୁ, ପରଦିନ ସକାଳୁ ସିଲଂ ଯାତ୍ରା ପାଇଁ। ସକାଳ ଛଅଟାରୁ ଯାତ୍ରା । ତଳ ଗିୟରରେ ଗୁରୁ ଗମ୍ଭୀର ଶବ୍ଦ କରି ଗାଡ଼ି ଆମ ଧାଇଁଥାଏ ବନାଚ୍ଛାଦିତ ସର୍ପିଳ ପାହାଡ଼ିଆ ସରୁ ଅସରନ୍ତି ବୁଲାଣିଆ ରାସ୍ତାରେ, କେତେବେଳେ ତଳୁ ଉପରକୁ ଚଢ଼ି ଚଢ଼ି ତ ଆଉ କେତେବେଳେ ଉପରୁ ତଳକୁ ଗଡ଼ି ଗଡ଼ି । ଅନ୍ୟ ସଭିଙ୍କ ପାଇଁ ତାହା ମୋଟାମୋଟି ପନ୍ଦର ଘଣ୍ଟାର ଏକ ଯନ୍ତ୍ରଣାଦାୟକ ଯାତ୍ରା ହୋଇଥିଲେ ହେଁ ମୋ ପାଇଁ କିନ୍ତୁ ହେଉଥାଏ ଏକ ନିଆରା ଅନୁଭୂତି, ସୁବିସ୍ତୃତ ପୂର୍ବ-ଭାରତୀୟ ପର୍ବତମାଳାର ସବୁଜିମାଭରା କୋଳରେ । ମୂଳରୁ ଶେଷଯାଏଁ ମୁଁ ଖାଲି ବାହାରକୁ ଅନେଇଥାଏ ଆଖିଡୋଳା ବଡ଼ ବଡ଼ କରି । ମତେ କିନ୍ତୁ ଯେଉଁ କଥାଟି ସବୁଠୁ ବେଶି ଆଶ୍ଚର୍ଯ୍ୟ କରୁଥାଏ ତାହା ହେଉଛି, ବାଟଟା ସାରା ରହି ରହି ଆସୁଥାଏ ବାଉଁଶ ଝୁପୁଡ଼ି ସବୁ, ଭିତରେ ଅନୁଚ୍ଚ ବାଉଁଶଖଟିଆ ଉପରେ ରଖାହୋଇଥାଏ ପନିପରିବା ବା ସେମିତି ଆଉ କିଛି ଚିଜ ଏବଂ ପ୍ରାୟ ସବୁଠି ମଝିରେ ଥାଏ ଏକ ସାନ ଟିଣଡବା, ହେଲେ ଯାହା ଅଭାବ ଥାଏ ତା’ ହେଉଛି ବିକିବାବାଲାର ।
ଅନେକ ଏମିତି ବିଚିତ୍ର ବିକାଳିହୀନ ଦୋକାନ ଦେଖିଲା ପରେ କୁତୁହଳୀ ହୋଇ ସହଯାତ୍ରୀ ସ୍ଥାନୀୟ ଶିକ୍ଷକ ମହାଶୟଙ୍କୁ ନପଚାରି ରହିପାରିଲିନି, କଥା କ'ଣ ବୋଲି? ସେ ଅତି ସହଜ ଭାବରେ ଯାହା ଉତ୍ତର ଦେଲେ ତାର ସାରମର୍ମ ହେଲା, ସେଠାରେ ଲୋକେ ସ୍ୱ-ଉତ୍ପାଦିତ ଜିନିଷ ରାସ୍ତାକଡ଼ରେ ରଖିଦେଇ ନିଜ ନିଜ କାମଧନ୍ଦାକୁ ବାହାରି ଯାଆନ୍ତି ଜିନିଷର ଦାମ୍ ଲେଖା କାଗଜଟିମାନ ରଖିଦେଇ । ପଥଚାରୀମାନେ ସେତିକି ପଇସା ଟିଣଡବାଗୁଡ଼ିକରେ ଥୋଇ ନିଜ ଚାହିଦା ମୁତାବକ ଜିନିଷ ସେଠୁ ଘରକୁ ନେଇଥାନ୍ତି, ମୁଁ ଖାଲି ଶୁଣିଯାଉଥାଏ ଗାଉଁଲୀ ସଚ୍ଚୋଟପଣିଆ ରୂପକ ସେ ନୀତିଗତ ଆଦର୍ଶକୁ ମନେ ମନେ ସଲାମ କରି । ସେ ସ୍ମୃତିଟି ହଠାତ୍ ମନକୁ ଆସିଲାକ୍ଷଣି ଏ ଦିବ୍ୟ ଗୁଣଟିର ବୈଜ୍ଞାନିକ ଆଧାର ଖୋଜିବାକୁ କାହିଁକି ଯେ ଖିଆଲ ହେଲା ସେକଥା ମୁଁ ବୁଝିପାରିନି । ହେଲେ ଏ ବିଶ୍ଳେଷଣର ଏକ ଛୋଟିଆ ସଂସ୍କରଣକୁ ପରଷି ଦେଇ ଆତ୍ମସନ୍ତୋଷ ରୂପକ ବିଭବରେ ଲାଭବାନ ହୋଇଥିବା କଥାଟି କହିବାରେ ମୋର ଟିକିଏ ବି ସଂକୋଚ ନାହିଁ ।
ଏକ ବିରଳ ମାନବୀୟ ଗୁଣ, ଯାହାର ପ୍ରଭାବରେ କୌଣସି ଏକ ଘଟଣାର ପୁଙ୍ଖାନୁପୁଙ୍ଖ ମାନସିକ ତର୍ଜମା ପରେ ‘ସଠିକ୍' ବିଚାରର ଅନୁଧାବନକୁ ଗୋଟିଏ ହିସାବରେ ହୁଏତ ‘ନୈତିକତା'ର ଆଖ୍ୟା ଦିଆଯାଇପାରେ । ଭିନ୍ନ ଏକ ଦିଗରୁ ମିଛର ପ୍ରଲୋଭନରୁ ନିଜକୁ ଦୂରେଇ ରଖି ସବୁବେଳେ ସତକୁ ଆବୋରିଥିବା ଲୋକକୁ ହିଁ ନୀତିବାନ ବା ଆଦର୍ଶ ମାନବ ବୋଲାଯାଇପାରେ, ଯାହାକି କାୟ-ମନ-ବାକ୍ୟରେ ପ୍ରତିଫଳିତ ହୋଇଥାଏ । ମାନବ ଜାତିର କ୍ରମବିକାଶ ଧାରାରେ ଏକାକୀପଣରୁ ଗୋଷ୍ଠୀ ଗଠନ ଏବଂ ପରେ ସାମାଜିକତା ରୂପରେ ଏହାର ପ୍ରସାରଣକୁ ଦୃଷ୍ଟିରେ ରଖି କୁହାଯାଇପାରେ ଯେ, ସଂଘବଦ୍ଧ ହେବା ହୁଏତ ଏ ପ୍ରଜାତିର ସହଜାତ ପ୍ରବୃତ୍ତି । ବିଶ୍ୱପ୍ରସିଦ୍ଧ ଜୀବବିଜ୍ଞାନୀ ଚାର୍ଲସ୍ ଡାର୍ଉଇନ୍ ତାଙ୍କ ଲିଖିତ ‘ଦ ଡିସେଣ୍ଟ ଅଫ୍ ମେନ୍ ଏଣ୍ଡ ସିଲେକ୍ସନ ଇନ୍ ରିଲେସନ୍ ଟୁ ସେକ୍ସ' ବହିଟିରେ କହିଯାଇଥିବା କଥାରୁ ଏ ଆଲୋଚନାକୁ ଆଗକୁ ନେବା ଉଚିତ ହେବ ବୋଲି ମୁଁ ମନେକରେ । ତାଙ୍କ ଭାଷାରେ “ମନୁଷ୍ୟ ଏବଂ ଅନ୍ୟ ତଳ-ସ୍ତରୀୟ ପ୍ରାଣୀମାନଙ୍କ ଭିତରେ ଥିବା ପ୍ରଭେଦର ମୂଳରେ ‘ନୈତିକତା' ବା ‘ବିବେକର ଡାକ' ରୂପକ ଗୁଣ ହିଁ ରହିଛି ବୋଲି କହୁଥିବା ବ୍ୟକ୍ତିମାନଙ୍କ ସହ ମୁଁ ପୂରାପୂରି ଭାବରେ ଏକମତ” । ଡାର୍ଉଇନ୍ଙ୍କ ଉକ୍ତିଟି ଯେ ନିରାଟ ସତ ଏଥିରେ ଦ୍ୱିମତ ହେବାର ଅବକାଶ ବା କାହିଁ? ୨୦୨୨ ମସିହାରେ ‘ଫ୍ରଣ୍ଟିଅର୍ ଇନ୍ ସାଇକୋଲୋଜି' ନାମକ ଏକ ଜର୍ଣ୍ଣାଲ୍ରେ ଲିମୋନେ ଏବଂ ଟୋଟୋଙ୍କ ଦ୍ୱାରା ଲିଖିତ ଏକ ପ୍ରବନ୍ଧରେ ନୈତିକତାର ଆରମ୍ଭକୁ ନେଇ ବିସ୍ତୃତ ମତାମତ ସଂଗ୍ରହଟିଏ କରାଯାଇଅଛି । ଏଥିରେ ଗ୍ଲୋବୋକର୍ଙ୍କ ଲିଖିତ ତଥ୍ୟକୁ ଆଧାର କରି କୁହାଯାଇଛି ଯେ, ନୈତିକତା ସହଜାତ ବା ପ୍ରାକୃତିକ ଭାବରେ ଆମଠେଇଁ ଆସିଥାଏ କି ସାମାଜିକ ଚଳଣି ମାଧ୍ୟମରେ ଆମ ଭିତରେ ଜାଗୃତ ହୋଇଥାଏ ତାହା ହୁଏତ କହିବା ମୁସ୍କିଲ ବ୍ୟାପାର ।
ସେହିପରି ତୁରିଏଲ୍ ନାମକ ବିଜ୍ଞାନୀ ଏହା ଧୀରେ ଧୀରେ ଆମ ସଭିଙ୍କ ଭିତରେ ଆରମ୍ଭ ହେଉଥିବା କଥାକୁ ଗୁରୁତ୍ୱ ଦେଇଥାନ୍ତି ବୋଲି ମଧ୍ୟ କୁହାଯାଇଛି ଲେଖାଟିରେ । ହେଲେ ଫିମିଆନି ପରି କିଛି ଗବେଷକଙ୍କ ମତରେ ଏହା ମାନବର ବିକାଶଧାରାର ଏକ ଅଂଶବିଶେଷ ହୋଇଥିବା ହେତୁ ବିବିର୍ତ୍ତନ ବେଳେ ମାନବ ଭେଟିଥିବା ସାମଜିକ ତଥା ପରିବେଶୀୟ ଘଟଣାକ୍ରମର ଛାପ ମାଧ୍ୟମରେ ହିଁ ଏହା ଆସିଥିବାର ସୂଚନା ବି ଏଥିରୁ ମିଳିଯାଏ । ଯଦି ଆମେ ଏ ଦିଗରେ ଆହୁରି ଟିକିଏ ବେଶି ଚିନ୍ତା କରି ଦେଖିବା ଆମେରିକାର ନାସନାଲ୍ ଏକାଡେମୀ ଅଫ୍ ସାଇନ୍ସ ଦ୍ୱାରା ପ୍ରକାଶିତ ପୁସ୍ତକ ‘ଦ ଲାଇଟ୍ ଅଫ୍ ଇଭୋଲୁସନ୍'ର ଚତୁର୍ଥ ଭାଗରେ ଫ୍ରାନ୍ସିସ୍କୋ ଆୟାଲାଙ୍କ ଲେଖାର କିୟଦଂଶକୁ ଏଠାରେ ବିଚାରକୁ ଆଣିଲେ ଖୁବ୍ ଭଲ ହେବ ବୋଲି ମୁଁ ଭାବୁଛି । ଏଥିରେ ଆୟାଲା ଆମ ଭିତରେ ନୈତିକତା ଭଳି ଗୁଣର ଉତ୍ଥାନର ଆଧାର ହିସାବରେ ନିଜେ ନିଜ କାର୍ଯ୍ୟର ପରିଣାମକୁ ଆଗରୁ ସଠିକ୍ ଅନୁମାନ କରିପାରିବା, ଘଟଣାଟିର ସବୁଦିଗରୁ ମୂଲ୍ୟଯୁକ୍ତ ବିଚାର କରିପାରିବା ଏବଂ ନିଜ କାର୍ଯ୍ୟଧାରାର ବିକଳ୍ପ ଚିନ୍ତା କରିପାରିବା ଭଳି ତିନିଟି ଜୈବିକ କାରଣ ଯଦିଓ ଦେଇଛନ୍ତି, ତଥାପି ସେ କହିଛନ୍ତି ଯେ ଏହି ଭଲ ଗୁଣଟି ପରିସ୍ଥିତି ସହିତ ନିଜକୁ ଖାପ ଖୁଆଇ ଚଳିବା ପାଇଁ ହୁଏତ ଆମ ବିବର୍ତ୍ତନରେ ସାମିଲ ହୋଇନାହିଁ, ବରଂ ଏହା ପ୍ରକୃତିର ଚୟନ ପ୍ରକ୍ରିୟା ଦ୍ୱାରା ସମର୍ôଥତ ଏକ ବୌଦ୍ଧିକ ମାନବୀୟ ଗୁଣ ହିସାବରେ ଆମ ନିକଟରେ ପହଞ୍ଚିଛି । ମାତ୍ର ଯେଉଁ ରୂପରେ ଆମ ମଗଜ ଭିତରକୁ ଆସିଲେ ବି ଏହା ଆମକୁ ବିପଥଗାମୀ ହେବାରୁ ବାରମ୍ବାର ନିବୃତ୍ତ ରହିବାକୁ ପରାମର୍ଶ ଦେଇଥାଏ, ଏଥିରେ ସନ୍ଦେହ ନାହିଁ ।
ଏବେ ଏ ବିଷୟରେ ଆମେ ବେଶି ଟିକିଏ ମୁଣ୍ଡ ଖେଳାଇବା ଆଉ ବୁଝିବାକୁ ଚେଷ୍ଟା କରିବା ନୈତିକତା ଓ ଆମ ମାନବର ଉନ୍ନତ ମସ୍ତିଷ୍କ ଭିତରେ ସମ୍ପର୍କଟି କ'ଣ ବୋଲି? ଆଉ ଏଥିରେ ଆମକୁ ‘ଫ୍ରଣ୍ଟିଅରସ୍ ଇନ୍ ଇଣ୍ଟିଗ୍ରେଟିଭ୍ ନ୍ୟୁରୋସାଇନ୍ସ' ନାମକ ପତ୍ରିକାରେ ପ୍ରକାଶିତ ପାସ୍କୁଏଲ୍ ଏବଂ ସାଥୀଙ୍କ ଲେଖାଟି ଗୁଡ଼ାଏ ତଥ୍ୟ ଯୋଗାଇ ଦେଇପାରିବ ବୋଲି ମୋର ବିଶ୍ୱାସ । ମସ୍ତିଷ୍କର ଯେଉଁ ସ୍ଥାନରେ ନୀତି ବା ଆଦର୍ଶର ବିଶ୍ଳେଷଣ ହୁଏ ତାକୁ ହୁଏତ କହିପାରିବା "ନୈତିକ ମସ୍ତିଷ୍କ’ ଏବଂ ଏହି କାମଟି ଅତ୍ୟନ୍ତ ଜଟିଳ ହୋଇଥିବା ହେତୁ ଏହାର ସ୍ନାୟୁବିକ ସଂରଚନା ମଧ୍ୟ ଜଟିଳ ହେବା ସ୍ୱାଭାବିକ । କହିବାକୁ ଗଲେ ମାନବ ମସ୍ତିଷ୍କର ଅନେକ ଅଂଶ ଏହି କାମରେ ଲାଗିଥିବାର ଯଥେଷ୍ଟ ପ୍ରମାଣ ଆମର ହସ୍ତଗତ ହେଲାଣି । ଏକ ସାଧାରଣ ଆଲୋଚନାରେ ଏ ସମ୍ପର୍କିତ ଗଭୀର ତାତ୍ତ୍ୱିକ ବିଷୟବସ୍ତୁ ଗୁଡ଼ିକର ବିଶେଷ ପ୍ରୟୋଜନୀୟତା ନଥିଲେ ହେଁ ଏକ ବିହଙ୍ଗାବଲୋକନର ଆବଶ୍ୟକତା ରହିଥାଏ ନିଶ୍ଚୟ । ଆମ ମସ୍ତିଷ୍କର ଉପରି ଆଗପଟ ବା ଫ୍ରଣ୍ଟାଲ ଲୋବ୍ର ଭିଏମ୍ପିଏଫ୍ସି, ଓଏଫ୍ସି ଏବଂ ଏସିସି ଅଞ୍ଚଳ³ ମଝି ଉପରପଟ ବା ପେରାଇଟାଲ୍ ଲୋବ୍ର ଆଇପିଆର୍ ଏବଂ ଟିପିଜେ ଭଳି ସ୍ଥାନ, ତଳ ଆଗପଟ ବା ଟେମ୍ପୋରାଲ୍ ଲୋବ୍ର ଏସ୍ଟିଏସ୍ ତଥା ଟେମ୍ପୋରାଲ୍ ଜାଇରସ୍ ଆଦି ତ ଏଥିରେ ସଂଶ୍ଳିଷ୍ଟ ହେବାର ପ୍ରମାଣ ବହୁତ ଅଛି, ହେଲେ ଲିମ୍ବିକ ଅଞ୍ଚଳ ତଥା ହିପୋକେମ୍ପସ୍ ଓ ଅମିଗ୍ଡାଲା ଭଳି କେତେକ ଅଂଶ ଏଥିରେ ସାମିଲ ହୋଇ ବିଚାର ଶକ୍ତିକୁ ବଳ ଦେବାର କଥା ମଧ୍ୟ କୁହାଯାଇଛି ସେ ପ୍ରବନ୍ଧଟିରେ ।
ସମସ୍ତେ ଜାଣିରଖିବା ଉଚିତ ଯେ ବୈଜ୍ଞାନିକ ଦୃଷ୍ଟିକୋଣରୁ ନୈତିକତାକୁ ପରଖିବା ପାଇଁ ଅନେକ ଉପାୟ ଅବଲମ୍ବନ କରାଯାଇଥାଏ, ସିଧାସଳଖ ନୈତିକ- ଅନୈତିକ ଅଥବା ନୀତିଗତ ଦ୍ୱନ୍ଦ୍ୱଗୁଡ଼ିକୁ ସମ୍ମିଳିତ କରି । ଉଦାହରଣ ସ୍ୱରୂପ ଟ୍ରଲି ବା ଫୁଟବ୍ରିଜ୍ ଦ୍ୱନ୍ଦ୍ୱକୁ ବିଚାରକୁ ଅଣାଯାଇପାରେ, ଯେଉଁଥିରେ କି ପାଞ୍ଚଜଣ ଲୋକଙ୍କ ଜୀବନକୁ ରକ୍ଷାକରିବା ପାଇଁ ଜଣେ ଲୋକର ଜୀବନର ବଳିଦାନକୁ ପ୍ରାଧାନ୍ୟ ଦିଆଯାଇଥାଏ ବିଭିନ୍ନ ପରିସ୍ଥିତିରେ । ଆମ ବାସ୍ତବ ଜୀବନରେ ମଧ୍ୟ ଏହିପରି ଉଦାହରଣର ସଂଖ୍ୟା କିଛି କମ୍ ନୁହେଁ । ନିଜେ ସାଗରର ଅଥଳ ଗର୍ଭରେ ବିଲୀନ ହୋଇ ବାରଶହ ପ୍ରାଣକୁ ଜୀବନ୍ୟାସ ଦେଇଥିବା ଧରମା କଥା ହେଉ, କି ବାଘଟିଏ ଝାମ୍ପ ମାରି ପ୍ରାଣ ବିକଳରେ ଧାଉଁଥିବା ହରିଣକୁ ଧରି ଖାଉଥିବା ଦୃଶ୍ୟ ହେଉ, ମାନସିକ ସ୍ତରରେ ଦ୍ୱନ୍ଦ୍ୱ ତ ସୃଷ୍ଟି କରିବା ସ୍ୱାଭାବିକ ଉଭୟ ଦିଗରୁ ଚିନ୍ତା କରିବା ସମୟରେ । ଅନେକ ସମୟରେ କିଛି ଶବ୍ଦ ଅବା ଦୃଶ୍ୟ ବା ପ୍ରଶ୍ନାବଳୀର ପ୍ରୟୋଗ ବି ଜରୁରି ହୋଇଉଠେ ବ୍ୟକ୍ତିଠେଇଁ ନୈତିକତାର ମାପଚୁପ ବେଳକୁ ।
ଆଜିର ଏ ସ୍ୱାର୍ଥସର୍ବସ୍ୱ ଦୁନିଆରେ ନୈତିକତାରୂପକ ଅମୃତ ଟିକକ ଯେ ପାଣିଚିଆ ହୋଇଯାଉଥିବା କଥାକୁ କେହି ଅସ୍ୱୀକାର କରିପାରିବେନାହିଁ । ରାଜନୈତିକ ବୋଲ କି ସାମାଜିକ, ପୁଣି ବ୍ୟକ୍ତିଗତ କି ସାମୂହିକ ସବୁଠି ଅନୈତିକ କାରବାରର ରାଜୁତି କାଳରେ ହାତଗଣତି ନୀତିବାନଙ୍କ ସ୍ଥିତି ଅତ୍ୟନ୍ତ ଦୟନୀୟ କହିଲେ ଅତ୍ୟୁକ୍ତି ହେବନାହିଁ । ଏ ସଂସାରରେ ଥିବା ଆମ ଦେଶ ବା ଏଥିରୁ ପରତେ ଯିବ କିପରି? ଏହା ବି ସତ ଯେ ନୈତିକତାର ପରିଭାଷା ଏଠି ବଦଳୁଥାଏ ସ୍ୱାର୍ଥ ନାମକ ଶକ୍ତିର ଛତ୍ରଛାୟାରେ, ଠିକ୍ ଏଣ୍ଡୁଅ ଦେହର ରଙ୍ଗ ପରି । ଏଥିସହ ଏହା ମଧ୍ୟ ଜଣାଇ ଦିଆଯାଇପାରେ, ଏହି ଦିବ୍ୟ ତଥା ଜଟିଳ ମାନବୀୟ ଗୁଣଟି ନାନାପ୍ରକାର କାରକମାନଙ୍କ ଦ୍ୱାରା ପ୍ରଭାବିତ ହୋଇଥାଏ । କେତେବେଳେ ପାରିବାରିକ ସଂସ୍କାର ଏହାର ଆଧାର ହୋଇଥାଏ ତ ଆଉ କେତେବେଳେ ଧର୍ମୀୟ ପରମ୍ପରା ଏହାର ବୀଜଟି ବୁଣିଦେଇଥାଏ ସେ ପରିବେଶରେ ବଢୁଥିବା ସାମାଜିକ ପ୍ରାଣୀଟି ଦେହରେ ।
ଗାଲାର୍ଡୋ-ପୁଜୋଲ୍ ଏବଂ ସାଥୀଙ୍କ ଏକ ଲେଖାରୁ ଅଳ୍ପ ଟିକିଏ ନେଇ ମୁଁ ମୋ ଲେଖାଟିକୁ ଭିନ୍ନ ଏକ ଆୟାମ ଦେବାପାଇଁ ଚାହିଁବି । ନୈତିକତାର ଠିକ୍ ଠିକ୍ ବୈଜ୍ଞାନିକ ବିଶ୍ଳେଷଣ କରିବାକୁ ହେଲେ ବ୍ୟକ୍ତିର ବିଭିନ୍ନ ଦିଗବ୍ୟକ୍ତିତ୍ୱ, ଆନୁବଂଶିକ ଗୁଣ, ସାଂସ୍କୃତିକ ଧାରା, ସାମାଜିକ ତଥା ଅର୍ଥନୈତିକ ଆଧାର ଆଦି ଅନେକ କଥା ଉପରେ ଆହୁରି ଗବେଷଣା ଆବଶ୍ୟକ । କାହିଁକି ନା, ଆମ ଶରୀରର ବିକାଶ ସମୟରେ ହିଁ ସମ୍ଭବତଃ ଏହାର ଆନୁବଂଶିକ କାରକ ଏବଂ ପରିବେଶୀୟ କାରକ ଗୁଡ଼ିକ, ନୈତିକ ବିଚାରକୁ ପରିପୁଷ୍ଟ କରୁଥିବା କେତେକ ନିର୍ଦ୍ଦିଷ୍ଟ ସ୍ନାୟୁତନ୍ତ୍ରର ଗଠନକୁ ଶକ୍ତିଶାଳୀ କରିବାରେ ସାହାଯ୍ୟ କରିଥାନ୍ତି । ପରିଶେଷରେ ଅତି ସାଧାରଣ ଲାଗୁଥିବା, ହେଲେ ନୈତିକତାକୁ ବେଶ୍ ସୁନ୍ଦର ଭାବରେ ବୁଝାଇ ଦେଇଥିବା ଆର୍ନେଷ୍ଟ ହେମିଙ୍ଗୱେଙ୍କ ପ୍ରସିଦ୍ଧ ବାକ୍ୟ ‘କାର୍ଯ୍ୟଟିର ସମାପନ ପରେ ଅନ୍ତରାତ୍ମା ପ୍ରଫୁଲ୍ଲିତ ହେଲେ ହୁଏତ ଜାଣିବା ଯେ, ଆମେ କରିଥିବା କାର୍ଯ୍ୟଟି ନୈତିକ ବୋଲି, ଆଉ ଯଦି ସିଏ ବିଷାଦଗ୍ରସ୍ତ ହୁଏ, ତେବେ ନିଶ୍ଚିତରେ ଧରିନେବା ତାହା ଅନୈତିକ ବୋଲି'ର ଛାୟାରେ ମାନସର ଅଭିବ୍ୟକ୍ତିକୁ ମାପଚୁପ କରି ମୋର ଏ ଆଲୋଚନାଟିକୁ ବିରାମ ଦେବାପାଇଁ ଚାହିଁବି ।