ଭାରତର ଶକ୍ତି ପାଖରେ ହାର୍ ମାନିଲା ପାକିସ୍ତାନ, ଅର୍ଥାତ୍ ତାର ଯେକୌଣସି ସ୍ଥାନକୁ ଯେତେବେଳେ ଭାରତ ଚାହିଁବ ଉଡ଼ାଇ ଦେଇପାରିବ । ଏଥିରେ ବି ଆମରି ଆକାଶ ସିଷ୍ଟମ, ବ୍ରହ୍ମୋସ୍ ମିଜାଇଲର ବାସ୍ତବ ଯୁଦ୍ଧ କ୍ଷେତ୍ରରେ ପରୀକ୍ଷଣ ବି ହେଇଗଲା । ଯାହା ଚୀନ, ପାକିସ୍ତାନ ଓ ଆମେରିକାର ନିଦ ହଜେଇ ଦେଲା ତାହା ଥିଲା ଆମେରିକା ନିର୍ମିତ ଏଫ-୧୬ ଫାଇଟର ଜେଟକୁ ଧ୍ୱଂସ କରିବା ।
ଏହା ଯୁଦ୍ଧର ଯୁଗ ନୁହେଁ । ଏହା ବି ନୁହେଁ ଆତଙ୍କବାଦର ଯୁଗ । ଆତଙ୍କୀ ଆକ୍ରମଣକୁ ମୁହଁତୋଡ଼ ଜବାବ ଦିଆଯିବ ନିଜ ଢଙ୍ଗରେ, ନିଜ ସର୍ତ୍ତରେ। ନ୍ୟୁକ୍ଲିଅର ବ୍ଲାକ୍ମେଲ୍ ଚଳିବ ନାହିଁ । ଆତଙ୍କୀ ଆକ୍ରମଣ ଓ ସେନା ଆକ୍ରମଣକୁ ଅଲଗା ଅଲଗା ଭାବରେ ଦେଖାଯିବ ନାହିଁ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ୱରର ସ୍ପଷ୍ଟତା ଓ ଦୃଢ଼ତା ବାରି ହେଇପଡ଼ୁଥିଲା ଦେଶବାସୀଙ୍କୁ ସମ୍ବୋଧିତ କରିବା ଅବସରରେ, ପାକିସ୍ତାନ ସହିତ ଯୁଦ୍ଧକୁ ସ୍ଥଗିତ ରଖିବାର ଦୁଇଦିନ ପରେ । ପହଲଗାଓଁରେ ଜଘନ୍ୟ ଆତଙ୍କୀ ଆକ୍ରମଣରେ ୨୬ଜଣ ଭାରତୀୟ ଓ ଜଣେ ନେପାଳୀ ଟୁରିଷ୍ଟଙ୍କ ମୃତ୍ୟୁ ପରେ ସମଗ୍ର ଦେଶରୁ ଗୋଟିଏ ସ୍ୱର ଶୁଭୁଥିଲା- ପ୍ରତିଶୋଧ । ‘ଅପରେସନ ସିନ୍ଦୂର’ ଆରମ୍ଭ କରାଯାଇଥିଲା ହିନ୍ଦୁ ମହିଳାଙ୍କ କପାଳରୁ ସିନ୍ଦୂର ଲିଭାଇ ଦେବା ପରିପ୍ରେକ୍ଷୀରେ । ସିନ୍ଦୂର ଲିଭାଇ ଦେବାର ପରିଣାମ କେତେ ଭୟଙ୍କର ହେଇପାରେ ତାହା ବୋଧେ ପାକିସ୍ତାନ ମଗଜରେ ପଶିନଥିଲା । ପରମାଣୁ ଆକ୍ରମଣର ଧମକ ଦେଇ ଚାଲିଥିଲା । ଭାବିଥିଲା ସବୁବେଳେ ଆତଙ୍କୀଙ୍କ ପଛପଟେ ଲୁଚିଥିବା ପାକିସ୍ତାନ ଏଥର ପରମାଣୁ ଅସ୍ତ୍ର ପଛରେ ଲୁଚି ରହି ସେନା କାର୍ଯ୍ୟାନୁଷ୍ଠାନକୁ ଏଡ଼େଇ ଦବ । ୪ ଦିନର ସେନା କାର୍ଯ୍ୟାନୁଷ୍ଠାନ ପରେ ଅଣ୍ଟା ସଳଖାଇ ଠିଆ ହେବା ଅବସ୍ଥାରେ ନଥିଲା ପାକିସ୍ତାନ । ଆମ ଦେଶ ଲଢ଼ୁଥିଲା ଆତଙ୍କବାଦୀଙ୍କ ବିରୁଦ୍ଧରେ, ପାକିସ୍ତାନ ଆର୍ମି ବିରୁଦ୍ଧରେ ନୁହେଁ କି ସାଧାରଣ ଜନତାଙ୍କ ବିରୁଦ୍ଧରେ ନୁହେଁ । ୭ ତାରିଖ ଭୋର ବେଳାରେ ଆତଙ୍କୀଙ୍କ ଆଡ୍ଡା ସ୍ଥଳକୁ ୯ଟି ଟାର୍ଗେଟ କରିଥିଲେ ଭାରତୀୟ ସେନା । ୧୦୦କିମି. ପର୍ଯ୍ୟନ୍ତ ଭିତରକୁ ବି ଷ୍ଟ୍ରାଇକ୍ କରାଯାଇ ପାରିବ ଏହା ନା ଜଣା ଥିଲା ଆତଙ୍କୀଙ୍କ ମୁଖ୍ୟଙ୍କୁ ନା ଥିଲା ପାକିସ୍ତାନ ଆର୍ମିକୁ । ସେଥିରୁ ୫ଟି ଥିଲା ପାକିସ୍ତାନ ଅଧିକୃତ ଜାମ୍ମୁ କାଶ୍ମୀରରେ ଓ ୪ଟି ଥିଲା ମୁଜାଫରାବାଦ, ରାଓଲକୋଟ ଓ ବାହାବଳପୁର ଭଳି ପାକିସ୍ତାନ ଭିତରେ ।
ଏହି ଆକ୍ରମଣ ପରେ ପରେ ଦେଶର ଡାଇରେକ୍ଟର ଜେନେରାଲ ମିଲିଟାରୀ ଅପରେସନ ବା ଡିଜିଏମ୍ ପରିଷ୍କାର ଭାବେ ଏକଥା ଜଣାଇ ଦେଇଥିଲେ ପାକିସ୍ତାନର ଡିଜିଏମ୍ଓଙ୍କୁ । ୧୯୭୧ ଯୁଦ୍ଧ ପରେ ଏହି ହଟ୍ଲାଇନ୍ ପ୍ରତିଷ୍ଠା କରାଯାଇଥିଲା । ଏହି ଅପରେସନ ସିନ୍ଦୂର ସମୟରେ ଏହା ଖୋଲା ଥିଲା । ସେମାନେ କଥା ହୁଅନ୍ତି ଯେପରି ଅପରେସନ/ ଯୁଦ୍ଧକୁ ତୀବ୍ର କରାଇ ନଦବା ପାଇଁ । ଏହି ଅପରେସନରେ ଜୈସ-ଇ-ମହମ୍ମଦ ଓ ଲସ୍କର-ଇ-ତଇବା ଆତଙ୍କବାଦୀଙ୍କ ଆଡ୍ଡା ସ୍ଥଳ ଯେଉଁଠି ସେମାନେ ଆତଙ୍କୀଙ୍କୁ ପଞ୍ଜିକୃତ କରନ୍ତି, ରାଡିକାଲାଇଜ କରନ୍ତି, ଟ୍ରେନିଂ ଦିଅନ୍ତି ଓ ସୀମା ପାର କରାଇ ଦିଅନ୍ତି, ହେଭିଲି ଆର୍ମଡ କରି ଆମ ଦେଶରେ ଆତଙ୍କ ସୃଷ୍ଟି କରିବା ପାଇଁ । ଅନେକ ଆତଙ୍କୀ ନେତାଙ୍କ ସମେତ ଶତାଧିକ ଆତଙ୍କୀଙ୍କୁ ନିପାତ କରିବାକୁ ଏହା ଯଥେଷ୍ଟ ଥିଲା, ରାତି ଗୋଟାଏ ୫ ମିନିଟରୁ ଗୋଟାଏ ୩୦ ମନିଟ୍ ପର୍ଯ୍ୟନ୍ତ, ମାତ୍ର ୨୫ ମିନିଟର ଷ୍ଟ୍ରାଇକ୍ । ମାତ୍ର ପାକିସ୍ତାନ ଆତଙ୍କୀ ବିରୁଦ୍ଧରେ ଏହି କାର୍ଯ୍ୟାନୁଷ୍ଠାନକୁ ନିଜ ଉପରକୁ ନେଇଥିଲା ଓ ଆମ ଦେଶ ଉପରେ ଆକ୍ରମଣ ଆରମ୍ଭ କରିଦେଲା ମେ’ ମାସ ୮ ଓ ୯ ତାରିଖ ରାତିରେ । ଏହି ଆକ୍ରମଣକୁ ମୁହଁତୋଡ଼ ଜବାବ ଦେଇଥିଲା ଆମ ସେନା ।
ଆମରି ଶକ୍ତିଶାଳୀ ଏୟାର ଡିଫେନ୍ସ ସିଷ୍ଟମ ଆକାଶ ମାର୍ଗର ସବୁ ମିଜାଇଲ, ଡ୍ରୋନ, ଏୟାର କ୍ରାଫ୍ଟକୁ ଇଣ୍ଟରସେପ୍ଟ କରିଦେଇଥିଲା । ସେମାନେ ଟାର୍ଗେଟ କରିଥିଲେ ଆମରି ୧୫ଟି ଏୟାରବେସ୍କୁ । ଏଥିରେ ଅଂଶଗ୍ରହଣ କରିଥିଲେ ରୁଷିଆ ନିର୍ମିତ ଏସ୍-୪୦୦ ଯାହାକୁ କୁହାଯାଏ ସୁଦର୍ଶନ ଚକ୍ର । ଏହା ୬୦୦କି.ମି. ପର୍ଯ୍ୟନ୍ତ ଦୂରରେ ଥିବା କ୍ରୁଇଜ ମିଜାଇଲ, ଟାକ୍ଟିକାଲ ବାଲିଷ୍ଟିକ ମିଜାଇଲ, ଏୟାରକ୍ରାପ୍ଟକୁ ଚିହ୍ନଟ କରିପାରିବ ଓ ୪୦୦କି.ମି. ପର୍ଯ୍ୟନ୍ତ ଦୂରତାରୁ ତାକୁ ଧ୍ୱଂସ କରିଦେଇପାରିବ । ଆହୁରି ମଧ୍ୟ ଥିଲା ନିଜସ୍ୱ କାରିଗରୀରେ ନିର୍ମିତ ଆକାଶ ଏୟାର ଡିଫେନ୍ସ ସିଷ୍ଟମ ବା ଆକାଶ ତୀର । ଏହାର ଭାରତୀୟ ସ୍ଥଳବାହିନୀର ଏୟାର ଡିଫେନ୍ସ । ଏହା ନୌବାହିନୀ ଓ ଆକାଶ ବାହିନୀ ସହିତ ସହଜରେ କନେକ୍ଟ କରାଯାଇପାରିବ ଯାହାଦ୍ୱାରା କି ଯୁଦ୍ଧକ୍ଷେତ୍ରର ପରିଷ୍କାର, ସଦ୍ୟତମ ଚିତ୍ର ପ୍ରଦର୍ଶିତ ହୋଇପାରିବ । ଫଳରେ କ୍ଷୀପ୍ରଗତିରେ ଆତ୍ମରକ୍ଷା ଓ ଆକ୍ରମଣକୁ ସହଜ କରିଦେଇପାରିବ । ତାହା ସହିତ ସ୍ଥଳଭାଗରୁ ଆକାଶକୁ, ଆକାଶ ମିଜାଇଲ ସିଷ୍ଟମ କ୍ଷୀପ୍ର ଗତିରେ ଯାଇ ନିଜ ଲକ୍ଷ୍ୟସ୍ଥଳକୁ ଚିହ୍ନଟ କରି ଧ୍ୱଂସ କରିଦେଇପାରିବ ଏକଦମ୍ ନିର୍ଭୁଲ ଭାବରେ । ପାକିସ୍ତାନର ଏପରି ଆକ୍ରମଣର ପାଲଟା ଜବାବ ଦେଇଥିଲା ଆମ ସୈନ୍ୟବାହିନୀ । ୧୩ଟି ସାଇଟ୍କୁ ଚିହ୍ନଟ କରାଯାଇଥିଲା । ଏଠାରେ ସୂଚନାଯୋଗ୍ୟ ଯେ, ଆମ ଦେଶର ତିନି ସୈନ୍ୟବାହିନୀ ପାଇଁ ୩ଜଣ ମୁଖ୍ୟ ଅଛନ୍ତି । ସେମାନଙ୍କ ମଧ୍ୟରେ ସହଯୋଗ ସବୁବେଳେ ସମ୍ଭବ ହୁଏନା, ଯଦିଓ ଯୁଦ୍ଧରେ ତିନିବାହିନୀ ଅଂଶଗ୍ରହଣ କରନ୍ତି ।
୧୯୬୨ ଚୀନ ସହିତ ଯୁଦ୍ଧ, ୧୯୬୫ ପାକିସ୍ତାନ ସହିତ ଯୁଦ୍ଧ, ଏପରିକି ଶ୍ରୀଲଙ୍କାରେ ମୁତୟନ ଥିବାବେଳେ ପିସ୍ କିପିଙ୍ଗ ଫୋର୍ସ, ଘୋର ଅସୁବିଧାର ସମ୍ମୁଖୀନ ହେଉଥିଲେ । କିନ୍ତୁ ବିଦେଶରେ ତିନି ବାହିନୀ ନିଜ ଭିତରେ ସମନ୍ୱୟ ରକ୍ଷା କରି ଲଢ଼େଇ କରନ୍ତି । କାର୍ଗିଲ ଯୁଦ୍ଧବେଳେ ଆମେ ନିଜକୁ ସଂଶୋଧନ କରିନେଇଥିଲୁ । ୨୦୦୧ରେ ବସିଥିବା କମିଟି ଗୋଟିଏ ସିଙ୍ଗଲ କମାଣ୍ଡ ଅଧୀନରେ ନିଜ ନିଜ ମଧ୍ୟରେ ସମନ୍ୱୟ ରକ୍ଷା କରି ଲଢ଼େଇ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହାକୁ ବହୁତ ଡେରିରେ ୨୦୧୯ରେ କାର୍ଯ୍ୟକାରୀ କରାଯାଇ ସିଡିଏସ୍ ପଦବି ସୃଷ୍ଟି କରାଗଲା । ସେ ହେବେ ଚିପ୍ ଅଫ୍ ଡିଫେନ୍ସ ଷ୍ଟାଫ୍ । ଏହି ଅପରେସନ ସିନ୍ଦୂର ହେଉଛି ସେହି ସିଙ୍ଗଲ କମାଣ୍ଡ ଅଧୀନରେ ପ୍ରଥମ ମେଜର ଅପରେସନ ପାକିସ୍ତାନ ବିରୁଦ୍ଧରେ । ଆମ ଦେଶରେ, ରୁଷିଆ ସହିତ ଜଏଣ୍ଟ କୋଲାବୋରେସନ ବା ଯୌଥ ସହଯୋଗିତାରେ ନିର୍ମିତ ବ୍ରହ୍ମୋସ୍ ସୁପରସୋନିକ କ୍ରୁଇଜ ମିଜାଇଲକୁ ବ୍ୟବହାର କରାଯାଇଥିଲା । ଏହାର ଶବ୍ଦର ଗତିରେ ତିନିଗୁଣ ବେଗରେ ଗତି କରିପାରିବ ।
ଏହାର ନାମକରଣ କରାଯାଇଛି ଆମ ଦେଶର ବ୍ରହ୍ମପୁତ୍ର ଓ ରୁଷିଆର ମୋସୱା ନଦୀକୁ ନେଇ । ଏହାର ଷ୍ଟ୍ରାଇକ୍ ରେଟ୍ ୯୯.୯ ପ୍ରତିଶତ । ଏହାକୁ ସୁଖୋଇ-୩୦ ଫାଇଟର ଜେଟ୍ରୁ ଲଞ୍ଚ କରାଯାଇଥିଲା । ଫାଇଟର ଜେଟ୍ ଆମ ସୀମା ଅତିକ୍ରମ କରିନଥିଲା । ଏହି ମିଜାଇଲର ରେଞ୍ଜ ୮୦୦କି.ମି. । ଏହାର ଅଛି ନିଜସ୍ୱ କମ୍ପ୍ୟୁଟର ସିଷ୍ଟମ । କେବଳ ଲକ୍ଷ୍ୟର କୋ-ଅଡିନେଟ୍ ସେଥିରେ ଫିଡ୍ କରିଦେଲେ ଆଉ ଅଧିକ କିଛି ଆବଶ୍ୟକ ନଥାଏ, ନଥାଏ ବି କିଛି ଗାରସନ୍ସ । ଏହା ଟାର୍ଗେଟକୁ ହିଟ୍ କରିଥିଲା ୪୫ ସେକେଣ୍ଡରେ ଶବ୍ଦର ଗତିଠାରୁ ତୀବ୍ର ଗତିରେ ଯାଇ । ଯେଉଁ ଟାର୍ଗେଟଗୁଡ଼ିକୁ ହିଟ୍ କରାଯାଇଥିଲା ସେଗୁଡ଼ିକ ହେଲା- ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଥିବା ପସରୁର୍ ଏୟାରବେସ୍ । ଏହା ସବୁବେଳେ କଡ଼ା ନିରାପତ୍ତା ବଳୟରେ ଥାଏ ସେଠାରେ ଅନେକ ଶିଳ୍ପ ପ୍ରତିଷ୍ଠାନ ଥିବା ଯୋଗୁଁ । ଏହା ସଂପୂର୍ଣ୍ଣ ଧ୍ୱଂସପ୍ରାପ୍ତ ହୋଇଛି । ସେହିପରି ଜାକୋବାବାଦ ଏୟାରବେସ୍ ସିନ୍ଧ ପ୍ରଦେଶର, ଯେଉଁଠି ଗଚ୍ଛିତ ଅଛି ଏଫ-୧୬ ଫାଇଟର ଜେଟ୍ ସବୁ । ଏହି ଏୟାବେସ୍କୁ ଆମେରିକା ବ୍ୟବହାର କରୁଥିଲା ଆଫଗାନିସ୍ତାନ ସହିତ ଲଢ଼େଇରେ । ପଞ୍ଜାବ ପ୍ରଦେଶରେ ଥିବା ରହିମ୍ ୟାର ଖାନ୍ ଏୟାରବେସ୍, ଏହା ଭିତରର ଦୁଇଟା ଟାର୍ଗେଟକୁ ହିଟ୍ କରାଯାଇଥିଲା । ଏହି ସ୍ଥାନର କୂଟନୈତିକ ଗୁରୁତ୍ୱ ଥାଏ ପାକିସ୍ତାନର । ଏହାର ରନୱେରେ ବିଶାଳ ଗର୍ତ୍ତ ଦେଖିବାକୁ ମିଳିଛି ମିଜାଇଲ ଷ୍ଟ୍ରାଇକ ପରେ । ତାହାପରେ ସିନ୍ଧ ପ୍ରଦେଶର ସୁକ୍କୁର ଏୟାରବେସ୍ର ଦୁଇଟି ଟାର୍ଗେଟ, ଗୋଟେ ରାଡାର ସାଇଟ୍ ଓ ଅନ୍ୟଟି ଏୟାରକ୍ରାଫ୍ଟ ସେଲଟର । ତାହା ସହିତ ଭୋଲାରି ଏୟାରବେସ୍ କରାଚି ସହରର । ଏହା ତୀକ୍ଷ୍ଣ ନଜର ରଖିଥାଏ ପାକିସ୍ତାନ କୋଷ୍ଟ ଲାଇନ୍ ବା ଉପକୂଳ ଉପରେ ।
ଏହାକୁ ଧ୍ୱଂସ କରାଯାଇଛି । ଆଉ ଦୁଇଟି ଅଧିକ ବିକଶିତ ଏୟାରବେସ୍ ହେଲେ କେକ୍ରିୟ ପଞ୍ଜାବର ସରଗୋଧା, ଯେଉଁଠି ମହଜୁଦ ଥାଆନ୍ତି ଏଫ-୧୬ ଫାଇଟର ଜେଟ୍, ଏହାର ଦୁଇଟା ପଏଣ୍ଟକୁ ଓ ନୁର ଖାନ୍ କମାଣ୍ଡ ସେଣ୍ଟର ଏୟାରବେସ୍ ଯାହା ହେଉଛି ପାକିସ୍ତାନର ଷ୍ଟ୍ରାଟେଜିକ ପ୍ଲାନ୍ସ ଡିଭିଜନ ବା ନ୍ୟୁକ୍ଲିଅର କମାଣ୍ଡ ସେଣ୍ଟରର ଅତ୍ୟନ୍ତ ନିକଟବର୍ତ୍ତୀ । ଏହା ପାକିସ୍ତାନର ର’ ଡିଫେନ୍ସ ପାୱାର ସେଣ୍ଟର ରାଓଲପିଣ୍ଡି ଭିତରେ ଥିବା ଚାକ୍ହୋଲା ଠାରେ ଅବସ୍ଥିତ । ଯେଉଁଠି ମହଜୁଦ ଅଛି କିରାନାହିଲ ପାଦଦେଶରେ ନ୍ୟୁକ୍ଲିଅର ୱାର ହେଡ୍ସ । ଏହି ବେସ୍ରେ ମିଜାଇଲ ଯୋଗୁଁ ବିସ୍ଫୋରଣ ପାକିସ୍ତାନକୁ ଆଣ୍ଠେଇ ଦେଇଥିଲା ଯୁଦ୍ଧକ୍ଷେତ୍ରରୁ ଅପସରି ଯିବା ପାଇଁ । ତା’ ପରେ ପରେ ଆସିଲା ପାକିସ୍ତାନ ଡିଜିଏମ୍ଓଙ୍କ ପାଖରୁ ଆମ ଡିଜିଏମ୍ଓଙ୍କ ନିକଟକୁ ଅନୁରୋଧର ବାର୍ତ୍ତା– ଯୁଦ୍ଧ ବନ୍ଦ ପାଇଁ । ଏହା ଥିଲା ମେ’ ୧୦ ତାରିଖର ଘଟଣା ।
ଭାରତର ଶକ୍ତି ପାଖରେ ହାର୍ ମାନିଲା ପାକିସ୍ତାନ, ଅର୍ଥାତ୍ ତାର ଯେକୌଣସି ସ୍ଥାନକୁ ଯେତେବେଳେ ଭାରତ ଚାହିଁବ ଉଡ଼ାଇ ଦେଇପାରିବ। ଏଥିରେ ବି ଆମରି ଆକାଶ ସିଷ୍ଟମ, ବ୍ରହ୍ମୋସ୍ ମିଜାଇଲର ବାସ୍ତବ ଯୁଦ୍ଧ କ୍ଷେତ୍ରରେ ପରୀକ୍ଷଣ ବି ହେଇଗଲା । ଯାହା ଚୀନ, ପାକିସ୍ତାନ ଓ ଆମେରିକାର ନିଦ ହଜେଇ ଦେଲା ତାହା ଥିଲା ଆମେରିକା ନିର୍ମିତ ଏଫ-୧୬ ଫାଇଟର ଜେଟକୁ ଧ୍ୱଂସ କରିବା ଓ ଚୀନ ନିର୍ମିତ ଏୟାର ଡିଫେନ୍ସ ସିଷ୍ଟମକୁ ଅକାମି କରିଦେବା । ତାହା ସହିତ ତୁର୍କୀ ସମେତ ଚୀନ ଓ ପାକିସ୍ତାନର ଡ୍ରୋନ ସବୁକୁ ଧରାଶାୟୀ କରିଦେବା । ଆଉ ଚୀନ ପାଖରୁ କି ଆମେରିକା ପାଖରୁ ଏପରି ଦୁର୍ବଳ, ନିଷ୍କ୍ରିୟ ଯୁଦ୍ଧଯାନ ସବୁ ଚଢ଼ା ଦାମ୍ରେ ବା ପାକିସ୍ତାନ ମାଗଣାରେ କିଣିବାକୁ ବି ଶହେଥର ଭାବିବ । ଆମ ଦେଶ କାହା ବିରୁଦ୍ଧରେ କେବେ ପ୍ରଥମେ ଆକ୍ରମଣ କରିନାହିଁ ।
ପହଲଗାଓଁର ଜଘନ୍ୟ ଆତଙ୍କୀ ଆକ୍ରମଣ ଥିଲା ପାକିସ୍ତାନର ପ୍ରଥମ ଯୁଦ୍ଧର ଆହ୍ୱାନ । ଆମର ଉଦ୍ଦେଶ୍ୟ ନଥିଲା ପାକିସ୍ତାନର ସେନା ସହିତ ଯୁଦ୍ଧ କରିବାକୁ । କେବଳ ଲଢ଼େଇ ଥିଲା ଆତଙ୍କବାଦୀଙ୍କ ବିରୁଦ୍ଧରେ । ଆମ ଏୟାରବେସ୍କୁ ଟାର୍ଗେଟ କରିବାରୁ ଆମ ଦେଶ ଯୁଦ୍ଧ କରିବାକୁ ବାଧ୍ୟ ହେଲା । ପାକିସ୍ତାନକୁ ପଙ୍ଗୁ କରିଦବାର ଇଚ୍ଛା ଆମ ଦେଶର ନଥିଲା । ନା ଥିଲା ସେଠିକା ସାଧାରଣ ବର୍ଗଙ୍କ ଉପରେ ଆକ୍ରୋଶ । ପାକିସ୍ତାନର ଅନେକ ଆର୍ମି ପର୍ସୋନେଲ ନିହତ, ଏୟାରବେସ୍ଗୁଡ଼ିକ କ୍ଷତିଗ୍ରସ୍ତ, ଟେରର୍ ସେଣ୍ଟରରୁ ଅନେକ ଧୂଳିସାତ ଡିଫେନ୍ସ ସିଷ୍ଟମ ଡ୍ୟାମେଜ୍ଡ । ତଥାପି ନିହତ ଟେରରିଷ୍ଟମାନଙ୍କ କଫିନ ଉପରେ ପାକିସ୍ତାନ ପତାକା ଢାଙ୍କିବା, ଆର୍ମି ଅଫିସର ସେଠାରେ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାପରେ ବି ପାକିସ୍ତାନର ବାହାସ୍ଫୋଟର ଅନ୍ତ ନାହିଁ । କହୁଛି– ଆମେ ଯୁଦ୍ଧରେ ଜିତିବୁ । ତାହେଲେ ଏପରି ପାକିସ୍ତାନର ବାରମ୍ବାର ବିଜୟ ହିଁ ଆମେ କାମନା କରିବା ଓ ଟେରରିଷ୍ଟମାନଙ୍କୁ ସ୍ୱର୍ଗକୁ ପଠାଇବାର ବ୍ୟବସ୍ଥା କରିବା ।