ଥରେ ଜଣେ ଲୋକ ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କୁ ଗାଳିଦେବା କଥା ଶୁଣି ବିଦ୍ୟାସାଗର କହିଥିଲେ ମୁଁ ତ ତାର କିଛି ଉପକାର କରିନାହିଁ । ତେଣୁ ବାକ୍ ସ୍ୱାଧୀନତା ବିବେକ, ନୈତିକତା ଓ ଜୀବନବୋଧର ଅନୁମୋଦିତ ସ୍ୱାଧୀନତା । ସାମ୍ବିଧାନିକ ସ୍ୱାଧୀନତା କହି ଆମେ ପରୋକ୍ଷରେ ବାକ୍ ସଂଯମହୀନତାକୁ ପ୍ରଶ୍ରୟ ଦେଉଛୁ । ଏଥିପ୍ରତି ସମସ୍ତେ ସଜାଗ, ସତର୍କ ରହିବା ଉଚିତ ।
ଭାଷା ସୃଷ୍ଟି ମଣିଷର ସର୍ବଶ୍ରେଷ୍ଠ ଉଦ୍ଭାବନ, ଯାହା ମୁଁ ବାରମ୍ବାର କହିଆସିଛି । କାରଣ ଭାଷା ହିଁ ବିଶ୍ୱପ୍ରକୃତିର ବାସ୍ତବ ରହସ୍ୟ, ଆଧ୍ୟାତ୍ମିକତା ଖୋଲିଦିଏ ଆମ ସମ୍ମୁଖରେ । ଅବଶ୍ୟ ଯୁକ୍ତି କରାଯାଏ ଶବ୍ଦ ଓ ଭାବ ମଧ୍ୟରେ ଆମେ ଏକ କୃତ୍ରିମ ସଂଯୋଗ ସୃଷ୍ଟି କରିଛୁ । କିନ୍ତୁ ଅନ୍ୟ କଣ ଉପାୟ ଅଛି? ପାଣି କହିଲେ ଆମେ ନଦୀ, ପୋଖରୀ, ସମୁଦ୍ରର ତରଳ ପଦାର୍ଥକୁ ବୁଝୁ । ପାଣିର ଅନ୍ୟ ଅର୍ଥ ହାତ ମଧ୍ୟ ବୁଝୁ ପ୍ରସଙ୍ଗ ଅନୁସାରେ । ତେଣୁ ଭାଷା ଓ ବାସ୍ତବ ଯୋଡ଼ିବା ଲାଗି ଆମ କଳ୍ପିତ ଶବ୍ଦ ହିଁ ସତ୍ୟ । ମଣିଷ ପ୍ରାଣୀଜଗତରେ ଏକମାତ୍ର ଜୀବ ଯାହାର ଅଭିବ୍ୟକ୍ତି ଇଚ୍ଛା ସବୁଠାରୁ ବେଶି । ଚିନ୍ତା, ଆବେଗ ନେଇ ମଣିଷ ସବୁକଥାରେ ପ୍ରତିକ୍ରିୟା ପ୍ରକାଶ କରେ । ତେଣୁ ଅଭିବ୍ୟକ୍ତିର ସ୍ୱାଧୀନତା ବିଶ୍ୱର ସବୁ ଗଣତାନ୍ତ୍ରିକ ରାଷ୍ଟ୍ରରେ ବ୍ୟକ୍ତିକୁ ଦିଆଯାଇଛି । ଭାରତର ସମ୍ବିଧାନ ବ୍ୟକ୍ତିର ଅଭିବ୍ୟକ୍ତି ସ୍ୱାଧୀନତା ସ୍ୱୀକାର କରେ । ଅର୍ଥାତ୍ ବ୍ୟକ୍ତି ବିନା ଭୟ ବା ସଂକୋଚରେ ତାର ମନୋଭାବ, ଅଭିମତ ପ୍ରକାଶ କରିପାରିବ । ସ୍ୱାଧୀନତା ଏପରି ଏକ ଭାବନା ବା ଅନୁଭବ ଯାହାର ସଂଜ୍ଞା ଏପର୍ଯ୍ୟନ୍ତ ଅସ୍ପଷ୍ଟ । ମୁଁ ସ୍ୱାଧୀନ କହିଲେ ଅର୍ଥ ହେଇପାରେ ମୁଁ ରାସ୍ତାରେ ଚାଲିବାପାଇଁ ସ୍ୱାଧୀନ । ଜଙ୍ଗଲ ସମୁଦ୍ରକୂଳ ସବୁଠି ମୁଁ ଚାଲିପାରେ । ଅବଶ୍ୟ ମତେ ଟିକସ ଦେବାକୁ ହେବ । ରାତି ୧୨ଟା ପରେ ସମୁଦ୍ରକୂଳରେ ଗୀତ ଗାଇବା ବା ମସ୍ତି କରିବା ବା ବସିବା ଲାଗି ପୁଲିସର ଅନୁମତି ନେବାକୁ ହେବ ।
ମୁଁ ବସ୍ତ୍ର, ଖାଦ୍ୟ, ଆବାସ ମୋର ଇଚ୍ଛା ଅନୁସାରେ ଗ୍ରହଣ ନିର୍ମାଣ କରିପାରେ, ଅବଶ୍ୟ ସେଥିପାଇଁ ଦେୟ ଦେବାକୁ ପଡ଼ିବ । ମୁଁ କିନ୍ତୁ ଶୁଳ୍କ ନଦେଲେ ବା ଅନୁମତି ନମିଳିଲେ ପାର୍କ, ଅଫିସ ବା ରାଷ୍ଟ୍ରପତି ଭବନ ଯାଇପାରିବି ନାହିଁ । ପ୍ରଧାନମନ୍ତ୍ରୀଙ୍କୁ ଦେଖାକରିବା ଲାଗି ଏବଂ ସେକ୍ରେଟାରିଏଟରେ ଜଣେ କିରାଣିକୁ ଭେଟିବା ଲାଗି ମଧ୍ୟ ମତେ ଅନୁମତି ନେବାକୁ ପଡ଼େ । ଏହାର ତାତ୍ପର୍ଯ୍ୟ ହେଲା, ମୋର ସ୍ୱାଧୀନତା ଅବାଧ ନୁହେଁ । ଆମେରିକାରେ ମୁଁ ରାସ୍ତାର ବାମପାଶ୍ୱର୍ରେ ଯାଇପାରିବି ନାହିଁ । ଅନୁମତି ମଧ୍ୟ ମିଳିବ ନାହିଁ । ଯଦି ଯୁକ୍ତିକରେ ଯେ ମୁଁ ସ୍ୱାଧୀନ, ମୋ ଦେଶ ସ୍ୱାଧୀନ, ମୁଁ ଯେପରି ଇଚ୍ଛା ସେପରି ବାମଡାହାଣ, ଉତ୍ତର-ଦକ୍ଷିଣ ସବୁ ବାଟରେ ଯାଇପାରେ । ଏପରି ଯୁକ୍ତି କଲେ ହୁଏତ ମତେ ଜେଲରେ ଅଟକ ରହିବାକୁ ପଡ଼ିପାରେ । କିନ୍ତୁ ମୁଁ ଯାହା ଇଚ୍ଛା ତାହା ବଡ଼ପାଟିରେ କହିପାରେ । ଲେଖିପାରେ ମଧ୍ୟ । କିନ୍ତୁ ଲେଖିବାଟା ମଧ୍ୟ ସ୍ୱାଧୀନ ଆତ୍ମପ୍ରକାଶ ନୁହେଁ । ସଲମାନ ରସଦୀ, ସୋଲବିନସ୍ତିନ ଏବଂ ବିଶ୍ୱରେ ଅନେକ ଲେଖକଙ୍କ ବହି ବ୍ୟାନ ହୋଇଛି । ଏପରିକି ଡି.ଏନ. ଲରେନ୍ସଙ୍କ ବହି ମଧ୍ୟ ଦୁଇଥର ବ୍ୟାନ ହୋଇଛି । ସାଟାର୍ନିକ ଭର୍ସେସ ଲେଖିବାର ୪୦ବର୍ଷ ପରେ ମଧ୍ୟ ଆମେରିକା ପରି ବାକ୍ ସ୍ୱତନ୍ତ୍ରତା ଓ ଅଖଣ୍ଡ ସ୍ୱାଧୀନତାରେ ବିଶ୍ୱାସ କରୁଥିବା ଦେଶରେ ରସଦୀଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲା । ଭାଗ୍ୟବଳରୁ ସେ ଗୋଟିଏ ଆଖି ହରାଇ ବଞ୍ଚିଯାଇଛନ୍ତି । ଭାରତରେ ସାରସ୍ୱତ ସମାରୋହରେ ରସଦୀଙ୍କର ଯୋଗଦାନକୁ ମଧ୍ୟ ମନା କରାଯାଇଚି । ତସଲିମା ନସରିନ ଭାରତରେ ଆଶ୍ରୟ ନେଇ ଅଛନ୍ତି ‘ଲଜ୍ଜା’ ଉପନ୍ୟାସ ଲେଖି । ଗୋଟିଏ ନିର୍ଦ୍ଦିଷ୍ଟ ଆସ୍ଥାର ଗୋଷ୍ଠୀର ବିରୋଧ ଯୋଗୁଁ ଉଭୟ ସଲମାନ ରସଦୀ ଓ ତସଲିମା ସ୍ୱାଭାବିକ ଜୀବନ ବଞ୍ଚିପାରି ନାହାନ୍ତି ସ୍ୱାଧୀନ ଭାବରେ ।
କିନ୍ତୁ ଆମେ କହିଚାଲିଛୁ ଯେ ଗଣତନ୍ତ୍ରରେ ମଣିଷ ସ୍ୱାଧୀନ ଭାବେ ବଞ୍ଚିପାରେ । ଏଜରା ପାଉଣ୍ଡ ପରି ମହାନ କବି ଆମେରିକା ସରକାରଙ୍କୁ ଆକ୍ଷେପ କରିଥିବା ହେତୁ ପ୍ରାୟ ୩୦ବର୍ଷ ଜେଲ ଭୋଗିଲେ । ବିଶ୍ୱର ମହାନ ଦାର୍ଶନିକ ସକ୍ରେଟିସଙ୍କଠାରୁ ଆରମ୍ଭ କରି ରସଦୀ (ଏବଂ ଅନ୍ୟ ଅନେକ ଲେଖକ) ପର୍ଯ୍ୟନ୍ତ ଚିନ୍ତାନାୟକ ଓ ମୌଳିକ ଚିନ୍ତକମାନେ ଦଣ୍ଡ ଭୋଗୁଛନ୍ତି ବିଭିନ୍ନ ସମୟର କ୍ଷମତାସୀନ ଗୋଷ୍ଠୀ ବା ବ୍ୟକ୍ତିଦ୍ୱାରା । ତେବେ ପ୍ରଶ୍ନ ଉଠେ, ଗୋଟିଏପଟେ ଆମେ ଚିନ୍ତା, ବାକ୍ୟ ଓ ଅଭିବ୍ୟକ୍ତିର ସ୍ୱାଧୀନତା ସଭ୍ୟତାର ଲକ୍ଷଣ ବୋଲି କହୁଥିଲାବେଳେ କାହିଁକି କେତେକ ଚିନ୍ତକମାନଙ୍କୁ ଦଣ୍ଡ ଦେଇଆସିଛୁ? ସେହିପରି କଥା କହିବାର ସ୍ୱାଧୀନତା ଉପରେ ଗଣତନ୍ତ୍ର ରାଷ୍ଟ୍ରମାନଙ୍କରେ ଆଇନ ଗଢ଼ାଯାଇଛି । ଆମେରିକା, ଇଂଲଣ୍ଡ(ଅଲିଖିତ) ଓ ଭାରତର ସମ୍ବିଧାନରେ ବାକ୍ ସ୍ୱାଧୀନତାକୁ ପ୍ରାଧାନ୍ୟ ଦିଆଯାଇଛି । କିନ୍ତୁ ବାକ୍ ସ୍ୱାଧୀନତା ନାମରେ ଅନେକ ଅସଭ୍ୟ, ଅନୈତିକ ଓ ବେଆଇନ ଉଚ୍ଚାରଣ ଆମର ସଭ୍ୟଚେତନାକୁ ଦୋହରାଇ ଦେଇଛି । କିଛି ମାସ ତଳେ ଭାରତରେ ତାମିଲନାଡୁର ଜଣେ ମନ୍ତ୍ରୀ ହିନ୍ଦୁ ସନାତନ ଧର୍ମକୁ ଡେଙ୍ଗି, ମହାମାରୀ କହି ତାର ସମୂଳ ଧ୍ୱଂସ ପାଇଁ ବକ୍ତବ୍ୟ ଦେଲେ । ଏହା ଉପରେ କିଛି ପ୍ରତିକ୍ରିୟା ପ୍ରକାଶ ପାଇଲା । କିଛି ଅପିଲ ସୁପ୍ରିମକୋର୍ଟରେ ପଡ଼ିଲା । କିନ୍ତୁ କିଛି ହିଂସାକାଣ୍ଡ ସୌଭାଗ୍ୟବଶତଃ ହେଲାନାହିଁ, ଯାହା ନୂପୁର ଶର୍ମା ହାଡିଥ ବାକ୍ୟ ଉଦ୍ଧାର କରିବାପରେ ଘଟିଥିଲା ଏବଂ ଏପର୍ଯ୍ୟନ୍ତ ନୂପୁର ଶର୍ମା ସ୍ୱାଭାବିକ ଜୀବନ ବଞ୍ଚିପାରୁ ନାହାନ୍ତି । ସୁପ୍ରିମକୋର୍ଟ ମଧ୍ୟ ତାଙ୍କୁ ଭର୍ତ୍ସନା କରିଥିଲେ । କିନ୍ତୁ ଉଦୟବିଧି ଷ୍ଟାଲିନ ପ୍ରମୋସନ ପାଇଁ ଏବେ ତାମିଲନାଡ଼ୁର ଉପମୁଖ୍ୟମନ୍ତ୍ରୀ (ପିତା ମୁଖ୍ୟମନ୍ତ୍ରୀ) ଏବଂ ସେ ସୁପ୍ରିମକୋର୍ଟ ତାଗିଦ୍ ପରେ ମଧ୍ୟ କ୍ଷମା ମାଗିବା ଲାଗି ପ୍ରସ୍ତୁତ ନୁହନ୍ତି । କଂଗ୍ରେସ ଓ ବିଜେପି ପରସ୍ପରକୁ ବାକ୍ ସ୍ୱାଧୀନତାର ଅନେକ ଅଶ୍ଳୀଳ, ଅଭଦ୍ର ନମୁନା ଦେଖାଇଛନ୍ତି ।
ସୋସିଆଲ ମିଡିଆରେ ଅମୁହାଁ ବ୍ୟକ୍ତିମାନେ ଏପରି ଭାଷା ପ୍ରୟୋଗ କରୁଛନ୍ତି ଯାହା ମିଥ୍ୟା, ଅକଳ୍ପନୀୟ ଓ ଅଗଣତାନ୍ତ୍ରିକ ତଥା ଅଶୋଭନୀୟ । ମୁଁ ଆଉ ନୀଚସ୍ତରର ଭାଷା ବ୍ୟବହାର କରିପାରିବି ନାହିଁ । କିନ୍ତୁ ପ୍ରଶ୍ନ କରିବି ଯାହା ଅନେକ ଲୋକ ପ୍ରଶ୍ନ କରିଛନ୍ତି ମଧ୍ୟ । ଏକବିଂଶ ଶତାବ୍ଦୀରେ ମଣିଷର ଜ୍ଞାନ ବିସ୍ଫୋରଣ ଆକାଶ ଛୁଇଁବା ବେଳେ ଏପରି ଭାଷା, ଶବ୍ଦ କିପରି ବ୍ୟବହାର କରାଯାଉଛି? କାଳିଦାସଙ୍କ ଶକୁନ୍ତଳା ନାଟକରେ ଦୁଷ୍ମନ୍ତଙ୍କ ସମସ୍ତ ଅପଶବ୍ଦ ଯାହା ରାଜୋଚିତ ପ୍ରେମୋଚିତ ନଥିଲା, ତାର ପ୍ରତ୍ୟୁତ୍ତରରେ ଶକୁନ୍ତଳା କେବଳ ଗୋଟିଏ ଶବ୍ଦ କହିଥିଲେ- ଅନାର୍ଯ୍ୟ । ଅନାର୍ଯ୍ୟ ଶବ୍ଦକୁ କେହି ଗାଳିଭାବେ ଗ୍ରହଣ କରିବେନାହିଁ । ଯଦି ଶକୁନ୍ତଳା ଅନ୍ୟ କୌଣସି ଅସଭ୍ୟ ଶବ୍ଦ କହିଥାନ୍ତେ ତାହା ଶକୁନ୍ତଳାଙ୍କୁ ଅମର୍ଯ୍ୟାଦା ଦେଇଥାନ୍ତା । ନିଜ ଦୃଷ୍ଟିରେ ଶକୁନ୍ତଳା ଲଜ୍ଜିତ, ନୀଚ ହୋଇଥାନ୍ତେ । କିନ୍ତୁ ଆଜିର ପୃଥିବୀରେ ଆମେ ନୀଚ ଭାଷା ପ୍ରୟୋଗ କରି ପ୍ରଶଂସିତ ହେଉଛୁ । ମୁଁ ଯଦି ରାଗରେ ମୋର ପତ୍ନୀକୁ ମାରିଦେବି କହେ (କିନ୍ତୁ ମାରେନାହିଁ) ତାହା ଆଇନ ଆଖିରେ ଦୋଷାବହ ହେବ ଏବଂ ମୁଁ ଦଣ୍ଡ ପାଇପାରେ । କିନ୍ତୁ ସନାତନ ଧର୍ମକୁ ଧ୍ୱଂସ କରିବାକୁ ହେବ ବୋଧହୁଏ ଦୋଷାବହ ନୁହେଁ, କାରଣ ସେ ଏବଂ ତାଙ୍କ ଦଳ କ୍ଷମତାରେ ଅଛନ୍ତି । ଅର୍ଥାତ୍ କ୍ଷମତା ବାକ୍ ସ୍ୱାଧୀନତାକୁ ଏକ ଭିନ୍ନ ପ୍ରସ୍ଥ ଦିଏ । କ୍ଷମତାର ଚଉକିରେ ବସି ଜଣେ ଆଉ ଏକ ବ୍ୟକ୍ତି ବା ଦେଶ ବା ଧର୍ମଗୋଷ୍ଠୀକୁ ଅପମାନ ଧମକ ଦେଇପାରେ । ଏହା କିପରି ସମ୍ଭବ ହେଲା? ଗଲା ଅକ୍ଟୋବର ୨୪’ରେ ଭାରତରେ ଦୁଇଟି କଥା ଦେଖିବାକୁ ମିଳିଛି । ପ୍ରାୟ ପ୍ରତିଦିନ ଭାରତୀୟ ବିମାନସେବା କମ୍ପାନୀମାନଙ୍କୁ ଅମୁକ ପ୍ଲେନରେ ବୋମା ଅଛି, ସମୁକ ଏୟାରପୋର୍ଟ ଉଡ଼ିଯିବ ଧମକ ମିଳୁଛି ।
ଏପର୍ଯ୍ୟନ୍ତ ୧୫୦ ଧମକ ବିଭିନ୍ନ ବିମାନସେବା କମ୍ପାନୀକୁ ମିଳିଛି । କିନ୍ତୁ ସବୁ ଧମକ ମିଥ୍ୟା ଧମକ ପ୍ରମାଣିତ ହୋଇଛି । କିନ୍ତୁ ମିଥ୍ୟା ଧମକ ହେଲେ ମଧ୍ୟ ବିମାନ ଅନ୍ୟ ଏୟାରପୋର୍ଟରେ ଅବତରଣ କରି ବୋମା ବିଶାରଦଙ୍କ ଦ୍ୱାରା ଯାଞ୍ଚ କରାଉଛନ୍ତି । ଫଳରେ କୋଟି କୋଟି ଟଙ୍କା କ୍ଷତି ସହିବାକୁ ବାଧ୍ୟ ହେଉଛନ୍ତି ଏବଂ ଯାତ୍ରୀମାନେ ହଟହଟା ହେଉଛନ୍ତି । ଦ୍ୱିତୀୟରେ ଜଣେ ଭାରତୀୟ ଶିଖ ଜି. ପନ୍ନୁ ଭାରତରୁ ଖସିଯାଇ ଆମେରିକାର ନାଗରିକ ହେଇ ଭାରତବିରୋଧୀ ଆନ୍ଦୋଳନ ଚଳାଇଛି । କାନାଡ଼ାରେ ଶିଖମାନେ ତାଙ୍କ ଇସାରାରେ କାମ କରୁଛନ୍ତି । ଖଲିସ୍ତାନୀ ଶିଖମାନଙ୍କୁ ପନ୍ନୁ ଆର୍ଥିକ ସାହାଯ୍ୟ ଦେବା ସହିତ ଇଂଲଣ୍ଡ, ଅଷ୍ଟ୍ରେଲିଆ, କାନାଡ଼ା ଓ ଆମେରିକାରେ ଭାରତବିରୋଧୀ କାର୍ଯ୍ୟକ୍ରମ ଚଳାଇଛି । ସେ ଧମକ ଦେଉଛି ଭାରତକୁ ଖଣ୍ଡ ଖଣ୍ଡ କରିବେ । ପାକିସ୍ତାନୀ ଆଇଏସଆଇ ସହିତ ମିଶି ସେ ଭାରତବିରୋଧୀ କାର୍ଯ୍ୟ କରୁଛି ବିନା ବାଧାରେ । ଏବେ ସେ ୩ ନଭେମ୍ବରରୁ ୨୫ ନଭେମ୍ବର ମଧ୍ୟରେ ଭାରତରୁ ଆନ୍ତର୍ଜାତିକ ବିମାନଯାତ୍ରା ବନ୍ଦ କରିବାକୁ ଧମକ ଦେଇ କହିଛି ଯେ, ଯଦି ଏପରି ବିମାନ ଯାତ୍ରା କରାଯାଏ ତାହା ବୋମାରେ ଉଡ଼ାଇ ଦିଆଯିବ । ଏହା ବିରୋଧରେ ଭାରତ ଆପତ୍ତି କରିଛି । ପ୍ରଶ୍ନ କରିଛି କିପରି ଆମେରିକା ପରି ଉନ୍ନତ ରାଷ୍ଟ୍ର ପନ୍ନୁଙ୍କ ଖୋଲା ଧମକ ବିରୋଧରେ କାର୍ଯ୍ୟାନୁଷ୍ଠାନ କରୁନାହିଁ? ଆମେରିକା ଉତ୍ତର ଦେଇଛି ଯେ, ଆମେରିକାର ନାଗରିକ ଭାବେ ପନ୍ନୁଙ୍କର ଅଭିବ୍ୟକ୍ତିରୁ ଆମେ ତାଙ୍କୁ ଆତଙ୍କବାଦୀ କହିବୁ । କଥା କହିବା ଲାଗି ସେ ସ୍ୱତନ୍ତ୍ର । ଅର୍ଥାତ୍ ପନ୍ନୁର ଧମକ ଦେବାର ସ୍ୱାଧୀନତା ଅଛି, କାରଣ ତାହା ଅଭିବ୍ୟକ୍ତିର ସ୍ୱାଧୀନତା । ମୁଁ ରାଜନୀତି ବା ରାଷ୍ଟ୍ରୀୟ ସଂପର୍କ ଉପରେ ଟିପ୍ପଣୀ କରିବି ନାହିଁ । ମୁଁ କେବଳ ଔଚିତ୍ୟ ଉପରେ ପ୍ରଶ୍ନ କରିବି । କଥା କହିବାର ସ୍ୱାଧୀନତା ସମସ୍ତଙ୍କର ଅଛି । ଈଶ୍ୱରଙ୍କୁ ଗାଳିଦେଇ କବିତା ଲେଖିବାର ସ୍ୱାଧୀନତା ଅଛି କବିର । ଜଗନ୍ନାଥଙ୍କ ବିଭାବକୁ ଚିରି କବଜା କରିବି କହିବା ସ୍ୱାଧୀନତା ମଧ୍ୟ କବିର ଅଛି । କିନ୍ତୁ ଅନ୍ୟ ଜଣେ ବ୍ୟକ୍ତିର ନିନ୍ଦାଗାନ କରିବା ସ୍ୱାଧୀନତା କବିର ଅଛି କି? ସେହିପରି ଗୋଟିଏ ରାଷ୍ଟ୍ରର ସ୍ୱତନ୍ତ୍ର ନାଗରିକ ଅନ୍ୟ ଏକ ସଭ୍ୟ ଦେଶକୁ ଧମକ ଦେବାର ସ୍ୱାଧୀନତା କେମିତି ପାଏ? ଯଦି କୌଣସି ଭାରତୀୟ ଲିବର୍ଟି ମୂର୍ତ୍ତି ଭାଙ୍ଗିଦେବି ବୋଲି କୌତୁକରେ ମଧ୍ୟ କହେ, ଆମେରିକା ଭାରତ ଉପରେ ଚାପ ପକାଇ ସେହି ବ୍ୟକ୍ତିକୁ ଗିରଫ କରି ଦଣ୍ଡ ଦେବାଲାଗି କହିବ କିମ୍ବା ଆମକୁ ସମର୍ପିଦିଅ ଆମେ ତାର ଦଣ୍ଡବିଧାନ କରିବୁ କହିବ । କିନ୍ତୁ ପନ୍ନୁକୁ କିଛି କରିବନାହିଁ, ଯେହେତୁ ତାର ବାକ୍ ସ୍ୱାଧୀନତା ଅଛି ।
ଆଜିର ସଭ୍ୟ ଜଗତରେ ଏହା ହିଁ ବିଡ଼ମ୍ବନା । ଧନବଳ-ବାହୁବଳ ଥିବା ବ୍ୟକ୍ତି କହିପାରେ ତାର କଥା ହିଁ ଆଇନ, କିନ୍ତୁ ଆଇନର ଧାରା ଉଦ୍ଧାର କରି ଜଣେ ଦୁର୍ବଳ ବ୍ୟକ୍ତି କହେ ତାକୁ ଉପେକ୍ଷା କରାଯିବ । ଓଡ଼ିଆରେ ଲିଖିତ ଶିକାର ଗଳ୍ପରେ ଘିନୁଆ ଏହି କାରଣ ଲାଗି ବୁଝିପାରେନାହିଁ ତାର କ’ଣ ଭୁଲ୍ ହେଲା? ପୁରସ୍କାର କବଳରେ ସେ କାହିଁକି ଦଣ୍ଡ ପାଇଲା? ଏମିତି ଅନେକ ଉଦାହରଣ ଅଛି । ଯେଉଁ ଭାଷାରେ ରାଜନେତାମାନେ ପରସ୍ପରକୁ ଗାଳିଦିଅନ୍ତି ସେପରି ଭାଷା କିପରି ବାକ୍ ସ୍ୱାଧୀନତାର ଭାଷା ହେଇପାରେ? ଏହି ସମସ୍ୟା ଚିନ୍ତାଶୀଳ, ବୁଦ୍ଧିଜୀବୀଙ୍କୁ ବିବ୍ରତ କରିବାର କଥା । କିନ୍ତୁ ଯାହା ଲକ୍ଷ୍ୟ କରାଯାଏ ତଥାକଥିତ ଚିନ୍ତାଶୀଳ ବ୍ୟକ୍ତି ନିରବ ରହେ । କାରଣ ସେ ନିଜର ବାକ୍ ସ୍ୱାଧୀନତା ଓ ନୈତିକ ଚିନ୍ତାର ଅଭିବ୍ୟକ୍ତିଙ୍କୁ ସମର୍ପିତ କରିଦିଏ ବାହୁବଳ ଆଗରେ । ଯେଉଁମାନେ ଏପରି ସମର୍ପଣ କରନ୍ତିନାହିଁ ସେଇମାନେ କେବଳ ସକ୍ରେଟିସ ହୁଅନ୍ତି । କେବଳ ସମ୍ବିଧାନ ସମର୍ଥିତ ସାଧାରଣ ନୁହେଁ । କଥା-ଚିନ୍ତା-ପ୍ରଜ୍ଞା ଭିନ୍ନ ଭିନ୍ନ ସ୍ତରରେ ପ୍ରକାଶ ପାଏ ଯାହାର ମୂଳଭିତ୍ତି ହେଲା ମୌଳିକ ମାନବିକ ମୂଲ୍ୟବୋଧ । ନୈତିକତା ଓ ରାଜନୀତିକ ସୁବିଧାବାଦ ଦୁଇଟି ଅଲଗା କଥା । ଯେଉଁ ବ୍ୟକ୍ତି ପ୍ରକୃତ ଜ୍ଞାନର ଦୀପ୍ତି ପାଇଛି ସେଇ ଜ୍ଞାନ ସବୁବେଳେ ନୈତିକ ତରାଜୁରେ ରହୁ, ଅର୍ଥାତ୍ ପରୀକ୍ଷିତ ଆକଳିତ ଏବଂ ସର୍ବବିବେକାନୁମୋଦିତ । କଥା କହିବାର ସ୍ୱାଧୀନତା ମନର ଆବିଳତା ପ୍ରକାଶ ପାଇଁ ଏକ ଲାଇସେନ୍ସ ନୁହେଁ । ବୁଦ୍ଧିଜୀବୀମାନେ ନିରବ ରହିବାର କାରଣ ସେମାନଙ୍କ ପାଖେ ଚିନ୍ତାର ନୈତିକ ପିଣ୍ଡ ନାହିଁ, ତେଣୁ ସେମାନେ ଦୁର୍ବଳ ।
ସେମାନେ ପ୍ରତ୍ୟେକ କଥାରେ ଫାଇଦା କ’ଣ ବିଚାରକୁ ନେଇ କଥା କହନ୍ତି, ତେଣୁ ସେମାନେ ତୋଷାମଦ କରନ୍ତି, ବଳଶାଳୀର ମନ ରଖିବାଲାଗି ମିଥ୍ୟା ମଧ୍ୟ କହନ୍ତି । ଅର୍ଥାତ୍ ବାକ୍ ସ୍ୱାଧୀନତାର ଅମର୍ଯ୍ୟାଦା କରନ୍ତି । ସତ୍ୟ କହିବାର ଶକ୍ତି ସମସ୍ତଙ୍କ ପାଖେ ନାହିଁ । ଏହି କାରଣ ଲାଗି ଗାନ୍ଧିଙ୍କର ଆତ୍ମଜୀବନୀ (ମାଇଁ ଏକ୍ସପିରିଏନ୍ସ ୱିଥ ମାଇଁ ଟ୍ରୁଥ) ଅନ୍ୟ ଅନେକ ଆତ୍ମଜୀବନୀ ଠାରୁ ବେଶି ବିଶ୍ୱାସଯୋଗ୍ୟ । କାରଣ ତାଙ୍କର ବାକ୍ୟ, ବକ୍ତବ୍ୟ, ଚିନ୍ତା ଓ କର୍ମ ମଧ୍ୟରେ ଏକ ମଧୁର ସମନ୍ୱୟ ରହିଛି । ସତ୍ୟ ସ୍ୱୀକାର କରିବା ମନବଳ ଓ ଔଚିତ୍ୟବୋଧ ଉଭୟ ରହିଛି । ସାଧାରଣ ବ୍ୟକ୍ତିମାନେ ଦେଶକାଳପାତ୍ର ଦେଖି ସତ୍ୟ କହନ୍ତି । ଅନେକ ସମୟରେ ସେହି ସତ୍ୟ ଛଳନାର ଭାଷା ହୁଏ ଏବଂ ବକ୍ତା ବାକ୍ ସ୍ୱାଧୀନତାର ବିରୋଧାଚରଣ କରେ । ଆମେ ଗାଳି ଦେଉ ଉପଦେଶ, ଅନୁଶାସନ ପାଇଁ । ଛାତ୍ର ଛତରା ହେଲେ ଶୁଦ୍ଧ ଗୁରୁ କହେହଇରେ ଛତରା ଟୋକା ଖରାବେଳେ କାହିଁକି ବେଙ୍ଗମାନଙ୍କୁ ମାରୁଛୁ? କଣ ଧନ ମିଳିଯିବ ବୋଲି? କେତେଟା ମୂର୍ଖ ଏମିତି ମିଥ୍ୟା ପ୍ରଚାର କରନ୍ତି ଯେ ବେଙ୍ଗ ମାରି ପୋତିଲେ ଟଙ୍କା ହେଇଯାଏ । ତୁ ଗଧ ସେଇୟା କରୁଛୁ? ଏହା ଗାଳି ନୁହେଁ । ଯଦି ଗୁରୁ କହିବେ- ହେ କଣ୍ଡରା ପିଲା ଶଳା ଘରକୁ... ତାହା ଗାଳି ହେବ, କାରଣ ଏହି ବାକ୍ୟ ପିଲାର ମନରେ କ୍ରୋଧ, ଅପମାନ ଭାବ ସୃଷ୍ଟି କରିବ । ତେଣୁ କୌଣସି ବିଦ୍ୱାନ ଶିକ୍ଷକ ଏହି ଭାଷା ବ୍ୟବହାର କରିବେନାହିଁ ।
କିନ୍ତୁ ଆମର ରାଜନେତାମାନେ ଅପଶବ୍ଦ କହି ଲୋକଙ୍କୁ ଅପମାନିତ ଓ କ୍ରୋଧିତ କରିବାଲାଗି ଲାଇସେନ୍ସ ପାଇଛନ୍ତି । କ୍ଷମତା କ’ଣ ନବୁଝି ଯିଏ କ୍ଷମତାସୀନ ହୁଏ ସେପରି ଲୋକ ହିଁ ବାକ୍ ସ୍ୱାଧୀନତାର ଅବମାନନା କରେ । ଆଉ ବେଳେବେଳେ ଜଣେ ଯଦି କାହାର ଉପକାର ପାଇଥାଏ ସେ ତାକୁ ଗାଳି ଦିଏ । ଏହାର ମନସ୍ତାତ୍ତ୍ୱିକ କାରଣ ହେଲା ଉପକାର ନେଇଥିବା ବ୍ୟକ୍ତି ନିଜକୁ ଛୋଟ ମନେକରେ, ସେଥିପାଇଁ ସେ ତାର ମନସ୍ତାତ୍ତ୍ୱିକ ଭରଣା ପାଇଁ ଅପଶବ୍ଦ କହି ପ୍ରତିଶୋଧ ନିଏ । ଅନ୍ୟର ଉପକାର ଲାଗି କୃତଜ୍ଞତା କ୍ୱଚିତ ଦେଖାଯାଏ ।