ଯଦି ଆମେ ପ୍ରକୃତରେ ଏକ ବିକଶିତ ଭାରତ ପାଇଁ ଲକ୍ଷ୍ୟ ରଖିଛୁ,  ତେବେ ଆମକୁ ନିଶ୍ଚିତ କରିବାକୁ ହେବ ଯେ, ସୁଯୋଗ କେବଳ  ଅଳ୍ପ କିଛି ଶୀର୍ଷ ସଫଳଙ୍କ ମଧ୍ୟରେ ସୀମିତ ରହିବ ନାହିଁ । ଆର୍ଥିକ  କାର୍ଯ୍ୟକଳାପ ବୃଦ୍ଧି ପାଇବା ସହିତ, ସୀମିତ ସୁଯୋଗ ପାଇଁ  ତୀବ୍ର ପ୍ରତିଯୋଗିତା ହ୍ରାସ ହେବ ଏବଂ ପ୍ରତ୍ୟେକ ନାଗରିକ ଏକ  ମର୍ଯ୍ୟାଦାଜନକ, ପୂର୍ଣ୍ଣ ଜୀବନ ବଞ୍ଚିବାର ସୁଯୋଗ ପାଇବେ । କିନ୍ତୁ  ଏହା ହେବା ପାଇଁ, ଆମକୁ ଏକ ସ୍ୱଚ୍ଛ, ସହାନୁଭୂତିଶୀଳ ଏବଂ  ସହାୟକ ସମାଜକୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ରହିଛି,  ଯେଉଁଠାରେ ପରବର୍ତ୍ତୀ ପିଢ଼ି ଉନ୍ନତି କରିପାରିବ ।

ପନ୍ଦର ଦିନ ପୂର୍ବେ, ଯେତେବେଳେ ମୁଁ ଅଫିସ୍‌ରେ  ବିଳମ୍ବ ଯାଏଁ କାମ କରୁଥିଲି, ଜଣେ ସହକର୍ମୀ  ଫୋନ କରିଥିଲେ । ତାଙ୍କ କଣ୍ଠସ୍ୱର ବିଚଳିତ ଥିଲା । ତାଙ୍କ  ପରିବାରର ଜଣେ କିଶୋର ଦ୍ୱାଦଶ ଶ୍ରେଣୀ ପରୀକ୍ଷା  ଫଳାଫଳକୁ ନେଇ ଝଗଡ଼ା ପରେ ଘର ଛାଡ଼ିଥିଲେ ।  ଜଣେ ମା' ଭାବରେ ମୁଁ କଳ୍ପନା କରିପାରିବି ଯେ  ପରିବାରଟିଏ ପରିସ୍ଥିତିରେ କେତେ ଯନ୍ତ୍ରଣା ଦେଇ ଗତି  କରିଥିବ । ମୁଁ ତୁରନ୍ତ ମୋର ପୋଲିସ୍‌ ସହକର୍ମୀମାନଙ୍କୁ  ସତର୍କ କଲି, ପୋଲିସ୍‌ କମିଶନରେଟ୍‌ ଏବଂ ପରିବହନ  କମିଶନରଙ୍କ ତତ୍କାଳ ହସ୍ତକ୍ଷେପ ଯୋଗୁଁ ଦୂର ଟ୍ରେନରେ  ଚଢ଼ିଥିବା ବାଳକକୁ ସୁରକ୍ଷିତ ଭାବରେ ଏକ ରେଳ  ଷ୍ଟେସନରେ ଉଦ୍ଧାର କରିଥିଲେ । ସେହି ସମୟ ଭିତରେ  କିଛି ଅସାମାଜିକଙ୍କ ହାତରେ ପଡ଼ିବା ଠାରୁ ଆରମ୍ଭ କରି  ଆଉ କିଛି ଚରମ ପଦକ୍ଷେପ ନେବା ପର୍ଯ୍ୟନ୍ତ କିଛି ବି  ଘଟି ପାରିଥାନ୍ତା । ଦୁଃଖର ବିଷୟ, ଏଭଳି କାହାଣୀ  ବିରଳ ନୁହେଁ। ଯଦି କେହି ଧ୍ୟାନ ଦିଅନ୍ତି, ପ୍ରାୟ ପ୍ରତିଦିନ,  ବିଶେଷ କରି ବୋର୍ଡ ପରୀକ୍ଷା ଫଳାଫଳ ଘୋଷଣା ହେବା  ପରେ ଖବରକାଗଜ ପୃଷ୍ଠାରେ ପିଲାମାନଙ୍କ ଜୀବନ  ହରାଇବା କିମ୍ବା ନିଖୋଜ ହେବାର ଏଭଳି ଦୁଃଖଦ  ଖବର ପ୍ରକାଶ ପାଏ । ଅନେକ ପରିବାର ପାଇଁ, ଦଶମ  ଏବଂ ଦ୍ୱାଦଶ ଶ୍ରେଣୀ ଫଳାଫଳକୁ ଜୀବନର ନିର୍ଣ୍ଣାୟକ  ମୁହୂର୍ତ୍ତ ଭାବରେ ଦେଖାଯାଇଥାଏ, ଯାହା ଛାତ୍ରମାନଙ୍କ  ଉପରେ ଅତ୍ୟଧିକ ଚାପ ସୃଷ୍ଟି କରିଥାଏ । 

ଏପ୍ରିଲ ଏବଂ ମେ’ ମାସରେ, ସମ୍ବାଦପତ୍ରଗୁଡ଼ିକର  ପ୍ରଥମ ପୃଷ୍ଠା ଶିକ୍ଷା ପ୍ରତିଷ୍ଠାନଗୁଡ଼ିକର ବିଜ୍ଞାପନରେ  ଭରି ଯାଇଥାଏ, ଯେଉଁଥିରେ ଛାତ୍ରଛାତ୍ରୀମାନଙ୍କ ହସିବା  ଚେହେରା ପ୍ରଦର୍ଶନ କରାଯାଇଥାଏ ଏବଂ ସେମାନେ  ପାଖାପାଖି ପରଫେକ୍ଟ ନମ୍ବର ହାସଲ କରିଥାନ୍ତି । ଏହି  ଚେହେରାଗୁଡ଼ିକୁ ପ୍ରଦର୍ଶନ କରାଯାଉଥିବା ବେଳେ,  ଯେଉଁ ଛାତ୍ରଛାତ୍ରୀମାନେ ଚାପର ବଶବର୍ତ୍ତୀ ହୁଅନ୍ତି,  ଅପମାନିତ କିମ୍ବା ଆଶାର ଭାର ସହିବାକୁ ଅସମର୍ଥ  ହୁଅନ୍ତି, ସେମାନେ ନିରବରେ ଜନସାଧାରଣଙ୍କ ସ୍ମୃତିରୁ  ଅଦୃଶ୍ୟ ହୋଇଯାଆନ୍ତି । ରାଜ୍ୟରେ ତିନି ବର୍ଷ ଧରି ଶିକ୍ଷା  ସଚିବ ଭାବେ କାର୍ଯ୍ୟ କରିବା ପରେ ମୁଁ ଛାତ୍ରଛାତ୍ରୀ ଏବଂ  ସେମାନଙ୍କ ପରିବାରଗୁଡ଼ିକ ସହିଥିବା ନିରବ ଯନ୍ତ୍ରଣାକୁ  ନିଜେ ଦେଖିଛି । ପ୍ରତ୍ୟେକ ଶିଶୁର ଜୀବନରେ ଭଲ  କରିବାର କ୍ଷମତା ଅଛି, ଯଦି ସେମାନଙ୍କୁ ଭାବପ୍ରବଣ  ଭାବରେ ସମର୍ଥନ କରାଯାଏ ଏବଂ ନିଜ ବେଗରେ  ବଢ଼ିବାକୁ ଅନୁମତି ଦିଆଯାଏ । ଏହା ବିଶ୍ୱାସ କରିବା  ଅନ୍ୟାୟ ଯେ, ଏକ ଖରାପ ନମ୍ବର ଜଣେ ଛାତ୍ରଙ୍କୁ  ଜୀବନରେ ସବୁବେଳେ ବିଫଳତା ଦିଏ । ବାସ୍ତବରେ  ପ୍ରକୃତି ପରି, ବିଳମ୍ବରେ ପ୍ରସ୍ଫୁଟିତ ବ୍ୟକ୍ତିମାନେ ପ୍ରାୟତଃ  ସବୁଠାରୁ ଶକ୍ତିଶାଳୀ, ସବୁଠାରୁ ସହନଶୀଳ ବ୍ୟକ୍ତି  ଭାବରେ ଆଗକୁ ବଢ଼ିଥାନ୍ତି । 

ଭିନ୍ନକ୍ଷମ ଛାତ୍ରମାନଙ୍କ ପାଇଁ ଆହ୍ୱାନଗୁଡ଼ିକ  ଆହୁରି ତୀବ୍ର । ଯେଉଁମାନଙ୍କ ପାଖରେ ପ୍ରାୟତଃ  ତାଲିମପ୍ରାପ୍ତ ସ୍ୱତନ୍ତ୍ର ଶିକ୍ଷକ କିମ୍ବା ସମାବେଶୀ ବ୍ୟବସ୍ଥା  ଉପଲବ୍ଧ ନଥାଏ । ତଥାପି, ପାଠପଢ଼ାରେ ଉତ୍କର୍ଷତା  ପାଇଁ ଆମର ନିରନ୍ତର ଦୌଡ଼ରେ  ଆମେ ପ୍ରାୟତଃ ଆତ୍ମବିଶ୍ୱାସ ଏବଂ ସୃଜନଶୀଳତାକୁ ପୋଷଣ କରିବାକୁ  ଭୁଲିଯାଉ । କିଶୋର ଆତ୍ମହତ୍ୟାର  ଉଦ୍‌ବେଗଜନକ ହାର ଅଧ୍ୟୟନରୁ  ଜଣାପଡିଛି ଯେ, ପ୍ରତି ଛଅଜଣରେ  ଜଣେ କିଶୋର ଅତିକମ୍‌ରେ ଥରେ  ଏ ବିଷୟରେ ଚିନ୍ତା କରିଛନ୍ତି, ଯାହା  ବିପଦର ଏକ ଭୟଙ୍କର ଚିହ୍ନ । 

ଆମର ଶିକ୍ଷାବ୍ୟବସ୍ଥା, ଯାହା  ଔପନିବେଶିକ କଠୋରତାର ଏକ ପରମ୍ପରା, ସଫଳତାର ମାପ କେବଳ ନମ୍ବର ଦ୍ୱାରା  ଜାରି ରଖିଛି । ଶିକ୍ଷାର ବ୍ୟାବସାୟୀକରଣ ଦ୍ୱାରା ଏହା  ଆହୁରି ଜଟିଳ ହୋଇଛି, ଯେଉଁଠାରେ ପ୍ରତ୍ୟେକ ପିଲାକୁ  ଆଇଆଇଟିଆନ ଇତ୍ୟାଦି କରିବାର ପ୍ରତିଶ୍ରୁତି ସହିତ  ସ୍ୱପ୍ନ ବିକ୍ରି ହୁଏ, ଯେପରିକି ଏଗୁଡ଼ିକ ସଫଳତାର  ଏକମାତ୍ର ଚିହ୍ନ । ଜାତୀୟ ଶିକ୍ଷା ନୀତି (ଏନଇପି)  ଏହି ମାନସିକତାକୁ ବଦଳାଇବାକୁ ଚେଷ୍ଟା କରୁଛି,  କିନ୍ତୁ ପୁରୁଣା ଅଭ୍ୟାସ ଛାଡ଼ିବା ପାଇଁ ସମୟ ଲାଗୁଛି ।  ମୁଁ ଶୁଣିଛି ଯେ, ପିତାମାତା ଅଭିଯୋଗ କରିଛନ୍ତି ଯେ ଏକ ବିଦ୍ୟାଳୟ ‘ଯଥେଷ୍ଟ କଠୋର' ନୁହେଁ, କାରଣ  ଏହା ସେମାନଙ୍କ ପିଲାମାନଙ୍କୁ ଭଲ ସ୍କୋର କରିବାକୁ  ଚାପ ପକାଏନାହିଁ । ଅନେକ ସମୟରେ ପିତାମାତା  ପିଲାମାନଙ୍କର ସଫଳତାକୁ ନିଜର ବିଜୟ (ଭିକ୍ଟ୍ରି  ଟ୍ରଫି)ରେ ପରିଣତ କରୁଛନ୍ତି । ଅନେକ ପିତାମାତା  ସେମାନଙ୍କର ଅସମ୍ପୂର୍ଣ୍ଣ ଆକାଂକ୍ଷାଗୁଡ଼ିକୁ ସେମାନଙ୍କ  ପିଲାମାନଙ୍କ ଉପରେ ଲଦି ଦିଅନ୍ତି ଏବଂ ଏହାଦ୍ୱାରା  ପିଲାମାନଙ୍କର ନିଜର ଅଜାଣତରେ  ବ୍ୟକ୍ତିତ୍ୱକୁ ଦମନ କରନ୍ତି । 

ଏହାର ଅର୍ଥ ନୁହେଁ ଯେ,  ପିତାମାତା ସେମାନଙ୍କ ପିଲାମାନଙ୍କ  ପାଇଁ ବଡ଼ ସ୍ୱପ୍ନ ଦେଖିବା ଭୁଲ୍‌ ।  ଆକାଂକ୍ଷାଗୁଡ଼ିକ ଭଲ, କିନ୍ତୁ  ସେଗୁଡ଼ିକ ଜଳନ୍ତା ଚୁଲି ନୁହେଁ, ବରଂ  ପଥପ୍ରଦର୍ଶକ ଆଲୋକ ଭାବେ କାର୍ଯ୍ୟ  କରିବା ଉଚିତ । ଆମେ ସମସ୍ତେ  ଏକଦା କିଶୋର ଥିଲୁ ଏବଂ ଆମେ ଜାଣୁ ଯେ ସେହି କୋମଳ ବୟସରେ  କେତେ ବିଫଳତାରୁ ଅପମାନର ଅନୁଭବ ହୁଏ ।  ତଥାପି, ବୟସ୍କ ଭାବରେ ଆମେ ପ୍ରାୟତଃ ସମାନ ଭୁଲ୍‌  ପୁନରାବୃତ୍ତି କରୁ, ବିଶ୍ୱାସ କରୁ ଯେ କଠୋର ଶବ୍ଦ, ଦଣ୍ଡ  କିମ୍ବା ନିରନ୍ତର ଚାପ କୌଣସି ପ୍ରକାରେ ଏକ ଉନ୍ନତ  ଭବିଷ୍ୟତ ଗଠନ କରିବ । 

ଯାହାକୁ ଆମେ ଅଣଦେଖା କରୁଛୁ ତାହା ହେଉଛି  କିଶୋରାବସ୍ଥାର ଜଟିଳ ବିଦ୍ରୋହର ମାନସିକତା ଏବଂ  ଶରୀରର ହରମୋନ୍‌ର ଏକ ଝଡ଼ । ସମସ୍ତ ପିଲା ସମାନ  ନୁହଁନ୍ତି କିମ୍ବା ସେମାନେ ସମାନ ହେବା ବି ଉଚିତ୍‌ ନୁହେଁ ।  ସେମାନଙ୍କୁ ନିଜ ବେଗରେ ବିକାଶ କରିବାକୁ ସହଯୋଗ  ଦିଆଯିବା ଆବଶ୍ୟକ । ସବୁଠାରୁ ବଡ଼ ଉପହାର, ଯାହା  ଆମେ ଆମ ପିଲାମାନଙ୍କୁ ଦେଇପାରିବା ତାହା ହେଉଛି  ଏକ ନିରାପଦ, ପୋଷଣକାରୀ ପରିବେଶ³ ଯେଉଁଠାରେ  ସେମାନେ ଆତ୍ମବିଶ୍ୱାସୀ, ସହାନୁଭୂତିଶୀଳ ବ୍ୟକ୍ତି  ଭାବରେ ସମାଜରେ ଯୋଗଦାନ କରିପାରିବେ । 

ଏକ ସମାଜ ଭାବରେ ମଧ୍ୟ ଆମର କିଶୋରମାନେ  ବିଫଳ ହେବାରୁ ବାରଣ କରିବାକୁ ପଡ଼ିବ, କାରଣ  ସେମାନେ ସଂକୁଚିତ ଭାବରେ ପରିଭାଷିତ ଶିକ୍ଷା ଢାଞ୍ଚାରେ  ଖାପଖୁଆଇ ନାହାଁନ୍ତି । ଏହି ଦୁନିଆରେ ପ୍ରତ୍ୟେକ  ପ୍ରକାରର ପ୍ରତିଭାର ସ୍ଥାନ ରହିଛି । ସେଥିପାଇଁ ପରୀକ୍ଷା  ପେ ଚର୍ଚ୍ଚା ଭଳି ପଦକ୍ଷେପ, ଯେଉଁଥିରେ ପ୍ରଧାନମନ୍ତ୍ରୀ  ବୋର୍ଡ ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀ, ଅଭିଭାବକ ଏବଂ  ଶିକ୍ଷକମାନଙ୍କ ସହ କଥାବାର୍ତ୍ତା କରିଥାନ୍ତି ତାହା ଅତ୍ୟନ୍ତ  ମୂଲ୍ୟବାନ । ବାର୍ତ୍ତାଟି ସ୍ପଷ୍ଟ ଯେ ପରୀକ୍ଷା ଜୀବନର ଏକ  ଅଂଶ, ଏହାର ଅନ୍ତ ନୁହେଁ । ସେହିଭଳି ଯେତେବେଳେ  ଆମେ ଗେମର, କୁଶଳୀ କାରିଗର, କ୍ରୀଡ଼ାବିତ୍‌, ଷ୍ଟାର୍ଟଅପ୍‌  ପ୍ରତିଷ୍ଠାତା, ଲକ୍ଷପତି ଦିଦି ଏବଂ ଭଲ ମଣିଷମାନଙ୍କୁ  ସମ୍ମାନ କରୁ, ଆମେ ଏକ ବାର୍ତ୍ତା ପଠାଉଛୁ ଯେ ପ୍ରତ୍ୟେକ  ସଚ୍ଚୋଟ ବୃତ୍ତି ଗୁରୁତ୍ୱପୂର୍ଣ୍ଣ । ଅର୍ଥନୀତି ଏବଂ ଗଣିତ  ଅଧ୍ୟୟନ କରିଥିବା ମାଆ ପୁଅ ମୋତେ ଥରେ ମନେ  ପକାଇ ଦେଇଥିଲେ ଯେ, ପରିସଂଖ୍ୟାନ ଦୃଷ୍ଟିରୁ ସମସ୍ତଙ୍କ  ପାଇଁ ଶ୍ରେଷ୍ଠ ୧୦ ପ୍ରତିଶତ ମଧ୍ୟରେ ରହିବା ଅସମ୍ଭବ ।  ହେଲେ ସଂଜ୍ଞା ଅନୁସାରେ, ଅବଶିଷ୍ଟ ୯୦ ପ୍ରତିଶତ  ସାମୂହିକ ଭାବେ ଏକ ସମ୍ପୂର୍ଣ୍ଣ, ସମୃଦ୍ଧ ସମାଜ ଗଠନ ଏବଂ  ଏହାକୁ ସୁଦୃଢ଼ କରିବାରେ ସେତିକି ଗୁରୁତ୍ୱପୂର୍ଣ୍ଣ । 

ଯଦି ଆମେ ପ୍ରକୃତରେ ଏକ ବିକଶିତ ଭାରତ  ପାଇଁ ଲକ୍ଷ୍ୟ ରଖିଛୁ, ତେବେ ଆମକୁ ନିଶ୍ଚିତ କରିବାକୁ  ହେବ ଯେ, ସୁଯୋଗ କେବଳ ଅଳ୍ପ କିଛି ଶୀର୍ଷ ସଫଳଙ୍କ  ମଧ୍ୟରେ ସୀମିତ ରହିବ ନାହିଁ । ଆର୍ଥିକ କାର୍ଯ୍ୟକଳାପ  ବୃଦ୍ଧି ପାଇବା ସହିତ, ସୀମିତ ସୁଯୋଗ ପାଇଁ ତୀବ୍ର  ପ୍ରତିଯୋଗିତା ହ୍ରାସ ହେବ ଏବଂ ପ୍ରତ୍ୟେକ ନାଗରିକ  ଏକ ମର୍ଯ୍ୟାଦାଜନକ, ପୂର୍ଣ୍ଣ ଜୀବନ ବଞ୍ଚିବାର ସୁଯୋଗ  ପାଇବେ । କିନ୍ତୁ ଏହା ହେବା ପାଇଁ, ଆମକୁ ଏକ ସ୍ୱଚ୍ଛ,  ସହାନୁଭୂତିଶୀଳ ଏବଂ ସହାୟକ ସମାଜକୁ ପ୍ରୋତ୍ସାହିତ  କରିବାର ଆବଶ୍ୟକତା ରହିଛି, ଯେଉଁଠାରେ ପରବର୍ତ୍ତୀ  ପିଢ଼ି ଉନ୍ନତି କରିପାରିବ । ଆମେ ଜାଣୁ ଯେ ପ୍ରତ୍ୟେକ  ପିଲା ନମ୍ବର ବାହାରେ ଏକ ସୁଯୋଗ ପାଇବାକୁ ଯୋଗ୍ୟ  ଏବଂ ଆମେ ସେମାନଙ୍କୁ ଏଥିରୁ ବଞ୍ଚିତ କରିବା ଆଦୌ  ଉଚିତ୍‌ ନୁହେଁ ।