ଭୁବନେଶ୍ୱର, ୨୮/୦୫ : ଓଡ଼ିଶାରେ ଚାଲିବ ଇଭି (ବୈଦ୍ୟୁତିକ) ବୋଟ୍‌ । ପ୍ରଥମ ପର୍ଯ୍ୟାୟରେ ୫ଟି ସ୍ଥାନରେ ପାରମ୍ପରିକ ବୋଟ୍‌ ବା ଡିଜେଲ୍‌ ବୋଟ୍‌କୁ ଇଭି ବୋଟ୍‌ରେ ପରିଣତ କରାଯିବ । ଏନେଇ ଓଡ଼ିଶା ପର୍ଯ୍ୟଟନ ବିଭାଗ ଯୋଜନା କରିଛି । ଏପରିକି ଟେଣ୍ଡର ମଧ୍ୟ ଆହ୍ୱାନ କରାଯାଇଛି । ବର୍ତ୍ତମାନ ଦେଖାଯାଇଥିବା ତୈଳ ସଙ୍କଟ ଏବଂ ପରିବେଶ ସୁରକ୍ଷା ପାଇଁ ସରକାର ପରିବେଶ ଅନୁକୂଳ ବୋଟ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ।

ରାଜ୍ୟରେ ପ୍ରାୟ ୧୦୦ଟି ପର୍ଯ୍ୟଟନସ୍ଥଳୀ ତଥା ଜଳ ଉତ୍ସ ଥିବା ସ୍ଥାନରେ ବୋଟିଂ ସୁବିଧା ରହିଛି । ବିଶେଷକରି ଚିଲିକା, ତାମ୍ପରା, ଅଂଶୁପା, ସିଲ୍‌ଭର୍‌ ସିଟି ବୋଟ୍‌ କ୍ଲବ୍‌, ସାତକୋଶିଆ, ଡେବ୍ରିଗଡ଼, ହୀରାକୁଦ, ଭିତରକନିକାରେ ସୁବିଧା ଉପଲବ୍ଧ ରହିଛି । ପର୍ଯ୍ୟାୟକ୍ରମେ ଇଭି ବୋଟ୍‌ ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ସେଥିପାଇଁ ପ୍ରଥମ ପର୍ଯ୍ୟାୟରେ ୫ଟି ସ୍ଥାନକୁ ନିଆଯାଇଛି । ଓଡ଼ିଶା ପର୍ଯ୍ୟଟନ ବିଭାଗ ଅଧୀନ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ଟେଣ୍ଡର ଆହ୍ୱାନ କରିଛି । ଯେଉଁ ଏଜେନ୍ସି ଟେଣ୍ଡର ପାଇବ ସେ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଲାଗି ୫ଟି ବିଳାସପୂର୍ଣ୍ଣ କାଟାମାରାନ୍‌, ସୋଲାର ତଥା ଇଭି ବୋଟ୍‌ ଚଲାଇବ ।

ଏହି ଖବରଟିକୁ ପଢନ୍ତୁ- ତାତିରୁ ଆଶ୍ୱସ୍ତି ଦେଲା କାଳବୈଶାଖୀ, ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ, ୨୯ରୁ ଖସିବ ତାପମାତ୍ରା

ଟେଣ୍ଡର ଅନୁସାରେ କୋରାପୁଟ ଜିଲ୍ଲାର କୋଲାବ ପାଇଁ ୩୦ ଆସନ ବିଶଷ୍ଟ ବୋଟ୍‌, ସମ୍ବଲପୁର ଜିଲ୍ଲାର ହୀରାକୁଦର ୨ଟି ସ୍ଥାନ ପାଇଁ (ଗୋଟିଏରେ ୨୦ ଓ ଅନ୍ୟଟି ୧୦ ଆସନ୍‌ ବିଶିଷ୍ଟ), କେନ୍ଦ୍ରାପଡ଼ା ଜିଲ୍ଲା ଭିତରକନିକା ପାଇଁ ୨୦ ଆସନ ବିଶିଷ୍ଟ ଏବଂ ଖୋର୍ଦ୍ଧା ଜିଲ୍ଲାର ଚିଲିକା ବରକୁଳ ପାଇଁ ୮ ଆସନ ବିଶିଷ୍ଟ ବୋଟ୍‌ ବ୍ୟବସ୍ଥା ରହିଛି । ବଡ଼ କଥା ହେଲା³ ପର୍ଯ୍ୟଟକଙ୍କୁ ଯେଭଳି କୌଣସି ଅସୁବିଧା ନହେବେ ଏବଂ ପରିବେଶ ସୁରକ୍ଷା ଦୃଷ୍ଟିରୁ ବୋଟ୍‌ରେ ଇଭି ସହିତ ସୋଲାର ବା ସୌରଶକ୍ତି ଓ ସିଏନ୍‌ଜି ବ୍ୟବହାର ଉପଯୋଗୀ ବ୍ୟବସ୍ଥା ମଧ୍ୟ ରହିବ । ଖୁବ୍‌ଶୀଘ୍ର ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ ବୋଲି ବିଭାଗୀୟ ପର୍ଯ୍ୟଟନ ଅଧିକାରୀ ସୂଚନା ଦେଇଛନ୍ତି ।