ଭୁବନେଶ୍ୱର,୨୩/୦୮: ବୈଦ୍ୟୁତିକ ଯାନ ବା ଇଭି ସବ୍‌ସିଡିରେ ବଡ଼ ଜାଲିଆତି ।  ଓଡି଼ଶାରେ ମିଳୁଥିବା ସବ୍‌ସିଡିର ଲାଭ ଉଠାଉଛନ୍ତି ଛତିଶଗଡ଼ ସମେତ ଅନ୍ୟ ପଡ଼ୋଶୀ ରାଜ୍ୟ ବାସିନ୍ଦା। ଓଡି଼ଶାରେ ପଞ୍ଜିକୃତ ମାଳ ମାଳ ଇଭି ପଡ଼ୋଶୀ ରାଜ୍ୟର ରାସ୍ତାରେ ଗଡୁଛି । ମାଲେମାଲ ହେଉଛନ୍ତି ଇଭି ବିକ୍ରେତା ଡିଲର । ଏମାନେ ନକଲି ଠିକଣା, ବିଲ୍‌ ଜାଲିଆତି, ଗାଡି଼ର କାଗଜପତ୍ରରେ ହେରଫେର୍‌ କରି ହଜାର ହଜାର ସଂଖ୍ୟାରେ ଇଭି ବିକିଥିବା ଅଭିଯୋଗ ହୋଇଛି ।

ବଡ଼ଗଡ଼ ଜିଲ୍ଲା ଭଟ୍‌ଲି ବ୍ଲକର ସାଗରିକା ତ୍ରିପାଠୀ ଏନେଇ ପରିବହନ ବିଭାଗରେ ଅଭିଯୋଗ କରିଥିଲେ । ସେ ୩ଟି ଇଭିର ସବିଶେଷ ତଥ୍ୟ ଦେଇଥିଲେ । ଏସବୁ ଗାଡି଼ କିଣିଥିବା ଛତିଶଗଡ଼ ବାସିନ୍ଦା ପଞ୍ଜିକରଣ ବେଳେ ଓଡି଼ଶାର ନକଲି ଠିକଣା ଦେଇଥିଲେ । ଡିଲରଙ୍କ ପକ୍ଷରୁ ଗାଡି଼ର କାଗଜପତ୍ର ଓ ବିଲ୍‌ରେ ହେର୍‌ଫେର୍‌ କରାଯାଇଥିଲା । ସାଗରିକାଙ୍କ ଅଭିଯୋଗ ମୁତାବକ, ୨୦ ଲକ୍ଷରୁ ଅଧିକ ଟଙ୍କା ମୂଲ୍ୟର ଚାରିଚକିଆ ଇଭି କିଣିବା ପାଇଁ ଛତିଶଗଡ଼ରେ କୌଣସି ସବ୍‌ସିଡି ମିଳୁନାହିଁ । କୌଣସି ଟିକସ ବି ଛାଡ଼ ନାହିଁ । କିନ୍ତୁ ଓଡି଼ଶାରେ ଗୋଟିଏ ଗାଡି଼ ପିଛା ପାଖାପାଖି ଦେଢ଼ ଲକ୍ଷ ଟଙ୍କାର ସବ୍‌ସିଡି ମିଳୁଛି । ଛତିଶଗଡ଼ ବାସିନ୍ଦା ବେଆଇନ୍‌ ଭାବେ ଇଭି କିଣିବା ପାଇଁ ଓଡି଼ଶା ମୁହାଁ ହେଉଛନ୍ତି । ସେମାନେ ଦଲାଲମାନଙ୍କ ଜରିଆରେ ନକଲି ଠିକଣା ଯୋଗାଡ଼ କରି ଗାଡି଼ କିଣୁଛନ୍ତି । 

ମୋଟରଯାନ ଆଇନ୍‌ ୧୯୮୮ ଅନୁସାରେ ଏହା ବେଆଇନ୍‌ ଓ ଓଡି଼ଶା ସରକାର ଢ଼େର୍‌ କ୍ଷତି ସହୁଛନ୍ତି ବୋଲି ସଡ଼କ ସୁରକ୍ଷା ବିଶେଷଜ୍ଞ ସୁବ୍ରତ ନନ୍ଦ ଦର୍ଶାଇଛନ୍ତି । ଡିଲର ଓ ଆର୍‌ଟିଓମାନେ ଅସାଧୁ ଉପାୟରେ ମାଲେମାଲ୍‌ ହେଉଥିବାର ସେ ଅଭିଯୋଗ ବାଢ଼ିଛନ୍ତି । ସେ କହିଛନ୍ତି, ଗତ ସରକାର ବେଳେ ଇଭି କିଣା ବେଳେ ପଞ୍ଜୀକରଣର କ୍ଷମତା ଡିଲରମାନଙ୍କୁ ଦିଆଯାଇଥିଲା । ଆର୍‌ଟିଓମାନେ କେବଳ ଅନୁମତି ଦେଉଛନ୍ତି । ଡିଲରମାନେ ବେପାର ଲୋଭରେ ଠିକଣା କି କାଗଜପତ୍ରର ସଠିକ୍‌ ଯାଞ୍ଚ କରୁନାହାନ୍ତି । ଏଭଳି ଅସାଧୁ ଉପାୟରେ କେତେ ପରିମାଣର ଇଭି ପଡ଼ୋଶୀ ରାଜ୍ୟକୁ ଯାଇଛି? ବାସିନ୍ଦା ଚଢ଼ୁଛନ୍ତି? ସେନେଇ ନିରପେକ୍ଷ ତଦନ୍ତ କରିବାକୁ ଦାବି ଉଠିଛି । ଜାଲିଆତି ଅଭିଯୋଗ ପରେ ପରିବହନ ବିଭାଗ ତତ୍ପର ହୋଇଉଠିଛି । ଯେଉଁମାନେ ଜାଲିଆତିରେ ସମ୍ପୃକ୍ତ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି । ଜାଲିଆତିର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ପରିବହନ କମିଶନର ଆଦେଶିତ ହୋଇଛନ୍ତି ।