ନୂଆଦିଲ୍ଲୀ, ୧୬/୧୨ : ବଢୁଛି ମାନସିକ ନିର୍ଯାତନା। ପ୍ରତାଡ଼ନାର ଶିକାର ହୋଇ ଜୀବନ ହାରୁଛନ୍ତି ପୁରୁଷ। WHO ଏବଂ NCRB ରିପୋର୍ଟରେ ହେଲା ଚାଞ୍ଚଲ୍ୟକର ଖୁଲାସା। ପୁରୁଷଙ୍କ ଆତ୍ମହତ୍ୟା ସଂଖ୍ୟା ଶୁଣିଲେ ଉଡିଯିବ ହୋସ୍। ପ୍ରତିବର୍ଷ ଆତ୍ମହତ୍ୟା କରୁଛନ୍ତି ୭ ଲକ୍ଷରୁ ଉର୍ଦ୍ଧ୍ଵ ଲୋକ। ମହିଳାଙ୍କ ତୁଳନାରେ ଅଧିକ ଅତ୍ମହତ୍ୟା କରୁଛନ୍ତି ପୁରୁଷ। ଭାରତରେ ୧୦୦ ପୁରୁଷଙ୍କ ମଧ୍ୟରେ ଜିବନ ହାରୁଛନ୍ତି ୭୦ ଜଣ। 

ଏନସିଆରବି ରିପୋର୍ଟ ମୁତାବକ, ୨୦୨୧ରେ ଭାରତରେ ୧ ଲକ୍ଷ ୬୪ ହଜାର ୩୩ ଜଣ ଲୋକ ଆତ୍ମହତ୍ୟା କରିଥିଲେ। ସେମାନଙ୍କ ମଧ୍ୟରେ ୧ ଲକ୍ଷ ୧୮ ହଜାର ୯୮୯ ପୁରୁଷ ଥିବା ବେଳେ ମହିଳାଙ୍କ ସଂଖ୍ୟା ଥିଲା ୪୫ ହଜାର ୨୬। ଅର୍ଥାତ୍ ୭୩ ପ୍ରତିଶତ ପୁରୁଷ ଆତ୍ମହତ୍ୟା କରିଥିଲେ। ଏଥିରୁ ବିବାହିତ ପୁରୁଷଙ୍କ ସଂଖ୍ୟା ଥିଲା ୧ ଲକ୍ଷ ୯ ହଜାର ୭୪୯। ଏହି ଆକଳନକୁ ଦେଖିଲେ ପ୍ରତି ୫ ମିନିଟ୍‌ରେ ଜଣେ ଲେଖାଏଁ ପୁରୁଷ କରୁଛନ୍ତି ଆତ୍ମହତ୍ୟା। ଆହୁରି ଚିନ୍ତାଜନକ ବିଷୟ, ଭାରତରେ ୩୦ ରୁ ୪୫ ବର୍ଷୀୟ ପୁରୁଷ କରୁଛନ୍ତି ସର୍ବାଧିକ ଆତ୍ମହତ୍ୟା। ଏହାପରେ ରହିଛନ୍ତି ୧୮ ରୁ ୩୦ ବର୍ଷୀୟ ପୁରୁଷ। ତେବେ ୪୫ ରୁ ୬୦ ବର୍ଷୀୟ ପୁରୁଷଙ୍କ ଆତ୍ମହତ୍ୟା ସଂଖ୍ୟା ସବୁଠୁ କମ୍। 

ରିପୋର୍ଟ ଅନୁଯାୟୀ, ୨୦୨୧ରେ ୩୦ ରୁ ୪୫ ବର୍ଷୀୟ ପୁରୁଷଙ୍କ ଆତ୍ମହତ୍ୟା ସଂଖ୍ୟା ଥିଲା ୫୨ ହଜାର ୫୪। ସେହିପରି ୧୮ ରୁ ୩୦ ବର୍ଷୀୟଙ୍କ ସଂଖ୍ୟା ଥିଲା ୫୬ ହଜାର ୫୪୩। ୪୫ ରୁ ୬୦ ବର୍ଷୀୟ ପୁରୁଷଙ୍କ ସଂଖ୍ୟା ଥିଲା ୩୦ ହଜାର ୧୬୩।