ଭୁବନେଶ୍ୱର,୧୬/୦୨: ପ୍ରେମର ପର୍ବ ଭାଲେଣ୍ଟାଇନ୍ସ ଡେ' ସେଲିବ୍ରେସନ୍ ନାଁରେ ନିୟମ କାନୁନର ଧଜ୍ଜିଆ ଉଡ଼ାଇଲେ । ବିଳମ୍ବିତ ରାତି ଯାଏ ପବ୍ରେ ମଦ ସାଙ୍ଗକୁ ନାଚଗୀତର ଆସର ଜମିଥିଲା । ଡିଜେ ସାଉଣ୍ଡରେ ଛାତି ଥରି ଉଠୁଥିଲା । ଦୁଲୁକି ଯାଉଥିଲା ଚତୁର୍ଦିଗ । ପ୍ରେମର ନିଶା ସାଙ୍ଗକୁ ମଦ ନିଶା ଏମିତି ଚଢ଼ିଲା ଯେ ଅବକାରୀ ଅଧିକାରୀ ଓ ପୁଲିସ ଟିମ୍‌କୁ ଆକ୍ରମଣ କରିବାକୁ ବି ପଛେଇଲେନି ।

ଖାରବେଳନଗର ଥାନାଠୁ ମାତ୍ର ୨ ଶହ ମିଟର ଦୂର ‘ମ୍ୟାଡ୍ ମୁଲ୍ ତଥା ଓଡି ୦୨’ ପବ୍‌ ଏଭଳି ସାଂଘାତିକ ଦୃଶ୍ୟ ସାମ୍ନାକୁ ଆସିଛି । ପବ୍ ବାଉନ୍ସର ଓ କର୍ତ୍ତୃପକ୍ଷଙ୍କ ଆକ୍ରମଣରେ ଅବକାରୀ ବିଭାଗର କର୍ମଚାରୀ ଆହତ ହୋଇଛନ୍ତି । ଭୁବନେଶ୍ୱର ୟୁନିଟ୍ ଅବକାରୀ ଅଧୀକ୍ଷକ ଦେବାଶିଷ ପଟେଲ ମଧ୍ୟ ଦୁର୍ବ୍ୟବହାରର ଶିକାର ହୋଇଛନ୍ତି । ଖାରବେଳ ନଗର ଥାନାରେ ଅବକାରୀ ଟିମ୍ର ଏତଲାକ୍ରମେ ପବ୍ ମ୍ୟାନେଜର ଅବିନାଶ ସାହୁଙ୍କୁ ଗିରଫ କରାଯାଇଛି ।

ଶ୍ରୀ ପଟେଲଙ୍କ କହିବା ମୁତାବକ, ରାତି ୧୨ଟା ପର୍ଯ୍ୟନ୍ତ ପବ୍ ଖୋଲିବା ନେଇ ଅନୁମତି ଥିଲା । କାହିଁକି ନା, ଏହି ପବ୍ର କର୍ତ୍ତୃପକ୍ଷ ଶନିବାର ପାଇଁ ଦେଢ଼ ଘଣ୍ଟା ଅଧିକ ସମୟ ପବ୍ ଖୋଲିବାକୁ ଆବେଦନ କରିନଥିଲେ । କିନ୍ତୁ ରାତି ୧ଟା ଯାଏଁ ପବ୍ରେ ନାଚଗୀତ ଚାଲିଥିବା ନେଇ ବିଶେଷସୂତ୍ରରୁ ସୂଚନା ମିଳିଥିଲା । ଉପ-ଅଧୀକ୍ଷକ ରାଜଶେଖର ସ୍ୱାଇଁଙ୍କ ସହ ଏକ ଟିମ୍ ରାତି ସାଢ଼େ ୧ଟାରେ ଶ୍ରୀୟା ଛକ ନିକଟରେ ଥିବା ଏହି ପବ୍ରେ ପହଞ୍ଚିଥିଲା । ଖାରବେଳନଗର ଥାନାର ଏକ ଟିମ୍ ମଧ୍ୟ ସାଙ୍ଗରେ ଥିଲା । ପବ୍ର ପାର୍କିଂରେ ପ୍ରାୟ ୩୦-୪୦ଟି କାର ପାର୍କିଂ ହୋଇଥିଲା । କିନ୍ତୁ ପବ୍ର ମୁଖ୍ୟ ଫାଟକ ବାହାରପଟୁ ବନ୍ଦ ଥିଲା । ମିଳିତ ଟିମ୍ ଜବରଦସ୍ତି ସଟର ଖୋଲି ଭିତରେ ପଶି ଯାହା ଦେଖିଲା ହୋସ୍ ଉଡି଼ଯାଇଥିଲା । ଦେଢ଼ ହଜାର ବର୍ଗଫୁଟ୍ର ଏହି ପବ୍ଟିରେ ଖଚାଖଚ୍ ଭିଡ଼ ଥିଲା । ଶହେରୁ ଅଧିକ ଯୁବକ ଯୁବତୀ ନାଚଗୀତରେ ମସଗୁଲ ଥିଲେ ।

ତୁରନ୍ତ ଡିଜେ ବନ୍ଦ କରିବା ସହ ଗ୍ରାହକଙ୍କୁ ଖାଲି କରିବାକୁ ମିଳିତ ଟିମ୍ ପବ୍ କର୍ତ୍ତୃପକ୍ଷଙ୍କୁ ତାଗିଦ କଲା । ଅବିନାଶଙ୍କ ଇଙ୍ଗିତରେ ପବ୍ରେ ନିୟୋଜିତ ବାଉନ୍ସର ଓ ଅନ୍ୟ କର୍ମଚାରୀ ଅବକାରୀ ଓ ପୁଲିସ ଅଧିକାରୀଙ୍କ ବାଟ ଓଗାଳିଥିଲେ । ଡିଜେ ବନ୍ଦ କରିବା ବଦଳରେ ସେମାନଙ୍କୁ ପାଲଟା ଜବାବ୍ ଦେଲେ । ବାଉନସର ବି ନିଜ ସୀମା ଭୁଲି ବାହୁ ବଳ ଦେଖାଇଥିଲେ । ଯେଉଁଥିପାଇଁ ଢ଼େର ସମୟ ଯୁକ୍ତିତର୍କ ହେଲା । ଉଭୟ ପକ୍ଷ ଭିତରେ ଧସ୍ତାଧସ୍ତି ବି ଚାଲିଲା । ନିଶାରେ ଚୁର୍ ବାଉନ୍ସର ଓ କର୍ତ୍ତୃପକ୍ଷଙ୍କ ସଂଘବଦ୍ଧର ଆକ୍ରମଣର ଶିକାର ହୋଇଥିଲେ ମିଳିତ ଟିମ୍ ।

ଅବକାରୀ ଟିମ୍ ପବ୍‌କୁ ସାମୟିକ ସମୟ ପାଇଁ ସିଲ କରିଥିଲା । ଖାରବେଳନଗର ଥାନା ପୁଲିସ ଏକ ମାମଲା ରୁଜୁ କରିବା ସହ ବାର ମ୍ୟାନେଜର ଅବିନାଶ ସାହୁଙ୍କୁ ଗିରଫ କରିଛି । ପବ୍ର ଲାଇସେନ୍ସ ରଦ୍ଦ ପାଇଁ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି । ପବ୍ର ସିସିଟିଭି ହାର୍ଡଡିସ୍କ ମଧ୍ୟ ଜବତ କରାଯାଇଛି । ଆଇନ୍‌କୁ  ମାନି ସେଲିବ୍ରେସନ କରିବାକୁ ଶ୍ରୀ ସ୍ୱାଇଁ ଅନୁରୋଧ କରିଛନ୍ତି । କହିଛନ୍ତି, ପାଶ୍ଚାତ୍ୟ ସଂସ୍କୃତି ପଛରେ ଅନ୍ଧ ଭଳି ପଡି଼ ନିୟମକାନୁନକୁ ଫୁ କରିଦେଉଛନ୍ତି କିଛି ଅମାନିଆ । ବେପାର ନିଶାରେ ଅନ୍ଧ ହୋଇ ବାର ଓ ପବ୍ କର୍ତ୍ତୃପକ୍ଷ ସୀମାରେଖା ଡେଉଁଛନ୍ତି । ପୁଲିସ ଓ ଅବକାରୀ ନିୟମକୁ ବେଖାତିର୍ କରୁଛନ୍ତି । ଆଗକୁ ଜୋରଦାର ଧରପଗଡ଼ ହେବ ।