ପୁରୀ, ୧୦/୧୨ : ପର୍ଯ୍ୟଟନ ଋତୁର ପ୍ରଭାବ ପଡ଼ି ସାରିଛି । ଶୀତ ଋତୁ ଆରମ୍ଭ ସହ ଚିଲିକାରେ ପ୍ରତିବର୍ଷ ଅଗଷ୍ଟ ମାସରୁ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥାଏ । ଯାହା ମାର୍ଚ୍ଚ ଆରମ୍ଭ ପର୍ଯ୍ୟନ୍ତ ଲାଗି ରହିଥାଏ । ହେଲେ ଏ ପର୍ଯ୍ୟନ୍ତ ଚିଲିକାକୁ ବିଦେଶୀ ପକ୍ଷୀଙ୍କ ଆଗମନରେ ବିଳମ୍ବ ହୋଇଛି । ଚିଲିକାର ନଳବଣ ଓ ଏହାର ବାହାର ପାର୍ଶ୍ୱରେ ଖୁବ୍‌ କମ୍‌ ସଂଖ୍ୟକ ବିଦେଶୀ ପକ୍ଷୀଙ୍କ ଉପସ୍ଥିତି ନଜର ଆସିଛି । ଏହାକୁ ନେଇ ପରିବେଶବିତ୍‌ ଚିନ୍ତାରେ ପଡ଼ିଛନ୍ତି ।ଏ ବର୍ଷ ବିଦେଶୀ ପକ୍ଷୀ କୁଆଡ଼େ ଗଲେ ବୋଲି ପ୍ରଶ୍ନ କରିଛନ୍ତି ।

ଚିଲିକା ହେଉଛି ଏସିଆ ମହାଦେଶର ବୃହତମ ଲୁଣା ହ୍ରଦ । ପୂର୍ବ ପାର୍ଶ୍ୱରେ ପୁରୀ, ଉତ୍ତର ପାର୍ଶ୍ୱରେ ଖୋର୍ଦ୍ଧା ଓ ଦକ୍ଷିଣରେ ଗଞ୍ଜାମ ଜିଲ୍ଲାକୁ ଲାଗି ଏହି ହ୍ରଦ ରହିଛି । ପୁରୀରୁ ୪୦ କିଲୋମିଟର ଦୂର ବ୍ରହ୍ମଗିରିର ସାତପଡ଼ା ଠାରେ ପହଞ୍ଚିବା ପରେ ଚିଲିକାରେ ଡଙ୍ଗାରେ ବୁଲିବାର ନିଆରା ଅନୁଭୂତି ମିଳିଥାଏ । ଏଠାରେ ରହୁଥିବା ଇରୱାଡ଼ି ଡଲଫିନ୍‌ ପର୍ଯ୍ୟଟକଙ୍କ ମୁଖ୍ୟ ଆକର୍ଷଣ ହୋଇଥାଏ । ସମଗ୍ର ବିଶ୍ୱରେ ଏହି ପ୍ରକାର ଡଲଫିନ୍‌ ହଜାରେରୁ କମ୍‌ ଦେଖିବାକୁ ମିଳୁଥିବା ବେଳେ ଚିଲିକାରେ ପ୍ରାୟ ୧୪୦ରୁ ଅଧିକ ଦେଖାଯାଆନ୍ତି । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ସି’ ମାଉଥ୍‌, ସମୁଦ୍ର-ଚିଲିକା ମଧ୍ୟରେ ଥିବା ଟାପୁ ଯଥା ନଳବଣ, ହନିମୁନ୍‌ ବ୍ରେକ୍‌ଫାଷ୍ଟ, ରାଜହଂସ ବେଳାଭୂମିର ସୌନ୍ଦର୍ଯ୍ୟ ଯାତ୍ରୀଙ୍କୁ ଆକର୍ଷିତ କରିଥାଏ ।

ବିଶ୍ୱରେ ସବୁଠାରୁ ଅଧିକ ବିଦେଶାଗତ ପକ୍ଷୀଙ୍କ ଶୀତକାଳୀନ ଆଗମନ ପରିସଂଖ୍ୟାରେ ଚିଲିକା ଦ୍ୱିତୀୟ ସ୍ଥାନ ନେଇଛି । ନଳବଣ ବିଦେଶୀ ପକ୍ଷୀଙ୍କ ସମାଗମର ପେଣ୍ଠ ସ୍ଥଳ ହୋଇଥାଏ । ତେଣୁ ଶୀତ ଦିନେ ଅଧିକ ସଂଖ୍ୟକ ପର୍ଯ୍ୟଟକ ପୁରୀକୁ ଆସିବା ପରେ ସାତପଡ଼ା ଯାଇ ଚିଲିକାରେ ନୌବିହାର କରି ପ୍ରାକୃତିକ ସମ୍ଭାର ସହ ବିଦେଶାଗତ ପକ୍ଷୀ ଓ ଡଲଫିନ୍‌ ଦେଖିବା ସହ ବଣଭୋଜିର ମଜା ନିଅନ୍ତି । ଏଠାକୁ କାସପିଆନ୍‌ ସି’, ଲେକ୍‌ ବାଇକାଲ, ଏରଲ ସି’ ସମେତ ଋଷ, ମଙ୍ଗୋଲିଆ, ମଧ୍ୟ ଓ ଦକ୍ଷିଣ ପୂର୍ବ ଏସିଆର ଦେଶଗୁଡ଼ିକ ସମେତ ଲଦାଖ ଓ ହିମାଳୟରୁ ପକ୍ଷୀମାନେ ଆସନ୍ତି । ଏସବୁକୁ ନେଇ ପୁରୀର ସାତପଡ଼ା ସଂଲଗ୍ନ ଚିଲିକା ସାମୁଦ୍ରିକ ପର୍ଯ୍ୟଟନର ମୁଖ୍ୟ ସ୍ଥଳ ହୋଇଛି । ଚିଲିକାର ବିଶାଳ ମତ୍ସ୍ୟ ଭଣ୍ଡାର ବିଦେଶୀ ପକ୍ଷୀଙ୍କ ଖାଦ୍ୟଭାବ ପୂରଣ କରିଥାଏ । ଏଥିସହ ବ୍ରହ୍ମଗିରି ଓ କୃଷ୍ଣପ୍ରସାଦର ପ୍ରାୟ ୧୩୨ ଗାଁର ଦେଢ଼ ଲକ୍ଷ ମତ୍ସ୍ୟଜୀବୀଙ୍କ ଗୁଜୁରାଣ ମେଣ୍ଟାଉଛି । ସାତପଡ଼ାରେ ପହଞ୍ଚିବା ପରେ ଯାତ୍ରୀମାନେ ଏସବୁ ସ୍ଥାନ ଦେଖିବା ପରେ ଚିଲିକା ମଧ୍ୟସ୍ଥ ଏକ ଟାପୁରେ ଥିବା ପ୍ରସିଦ୍ଧ ମା’ କାଳିଜାଇ ମନ୍ଦିର ଦର୍ଶନ କରିଥାନ୍ତି ।

ଜାନୁଆରୀରେ ସର୍ଭେ ପରେ ଜଣାପଡ଼ିବ: ଡିଏଫ୍‌ଓ

ବିଦେଶୀ ପକ୍ଷୀଙ୍କ ସଂଖ୍ୟା କମିବା ନେଇ ପରିବେଶବିତ୍‌ ରମାଶଙ୍କର ପାତ୍ର କହିଛନ୍ତି, ଏପର୍ଯ୍ୟନ୍ତ ଯାତ୍ରୀଙ୍କ ପ୍ରମୁଖ ଆକର୍ଷଣ ସାଜୁଥିବା ଏରାପକ୍ଷୀ ବା ଗ୍ରେଟର ଫ୍ଲେମିଙ୍ଗୋ ଆସିନାହାନ୍ତି । ସୁନାମୁହିଁରୁ କ୍ଷେତାଙ୍ଗି ପର୍ଯ୍ୟନ୍ତ ବିଶାଳ ଆର୍ଦ୍ରଭୂମିକୁ ଜବରଦଖଲ କରି ୬୦୦ ପୋଖରୀ କରାଯିବା ଫଳରେ ଏଠାକୁ ଆସୁଥିବା ୫୦ ହଜାରରୁ ୧ ଲକ୍ଷ ପକ୍ଷୀ ଆଉ ଦେଖାଯାଆନ୍ତି । ଆର୍ଦ୍ରଭୂମି ଭିତରେ ଉଠୁଥିବା ଲମ୍ବାଲମ୍ବା ଘାସ ଭିତରେ ରହୁଥିବା ମାଛ, ଗେଣ୍ଡା ଖାଇ ବିଦେଶୀ ପକ୍ଷୀମାନେ ଭୋକ ମେଣ୍ଟାଇ ଥାଆନ୍ତି । ସେମାନଙ୍କ ଏହି ବାସ ସ୍ଥାନ ନଷ୍ଟ କରିଦିଆଗଲା । ବିଦେଶୀ ପକ୍ଷୀମାନେ ପ୍ରତିବର୍ଷ ଆସୁଥିବା ସ୍ଥାନକୁ ମନେରଖନ୍ତି । ଏହା ପରିବର୍ତ୍ତନ ପରେ ସେମାନେ ଜାଗା ଚିହ୍ନଟ କରିନପାରି ଏଣେତେଣେ ଚାଲି ଯାଉଛନ୍ତି । ପକ୍ଷୀଗଣନା ପରେ ଜଙ୍ଗଲ ବିଭାଗକୁ ଏନେଇ ରିପୋର୍ଟ ଦିଆଯାଇଛି । ହେଲେ ଠୋସ୍‌ ପଦକ୍ଷେପ ନିଆଗଲାନାହିଁ । ପୁରୀ ଡିଏଫ୍‌ଓ ମଗର ଧନଜ ରାଓସା କହିଛନ୍ତି, ଗତବର୍ଷ ତୁଳନାରେ ଏପର୍ଯ୍ୟନ୍ତ ବ୍ରହ୍ମଗିରି ଉପକଣ୍ଠ ଅଞ୍ଚଳ ସମେତ ଏହା ସଂଲଗ୍ନ ଚିଲିକାରେ ଖୁବ୍‌ କମ୍‌ ସଂଖ୍ୟକ ପକ୍ଷୀ ଆସିଛନ୍ତି । ଏହାର ପ୍ରକୃତ କାରଣ କହିବା କଷ୍ଟକର । ଆସନ୍ତା ଜାନୁଆରୀ ପ୍ରଥମ ସପ୍ତାହରେ ପକ୍ଷୀ ଗଣନା ହେବ । ଯାହା ପରେ ସ୍ଥିତି ସ୍ପଷ୍ଟ ହେବ ।

ଯେତିକି ଆସିବା କଥା, କମ୍‌ ଆସିଛନ୍ତି

​​​​​​​