ମୋଟଙ୍ଗା,୦୪/୦୧: ଢ଼େଙ୍କାନାଳ ମୋଟଙ୍ଗା ଥାନା ରାଣିବଣିଆ ଅଞ୍ଚଳରେ ଅଘଟଣ। ମେଟାଲ ପଥର ଖଣିରେ ବିସ୍ଫୋରଣ । ପଥର ଅତଡ଼ା ପଡ଼ି ଦୁଇ ଶ୍ରମିକଙ୍କ ମୃତ୍ୟୁ ଆଶଙ୍କା। ଶ୍ରମିକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଆରମ୍ଭ ହୋଇଥିବା ବେଳେ ଉଦ୍ଧାର କାର୍ଯ୍ୟରେ ପୁଲିସ, ଓଡ୍ରାଫ ଏବଂ ଅଗ୍ନିଶମ ଟିମ୍ ସାମିଲ ଅଛନ୍ତି । ତେବେ ବେଆଇନ୍ ଖଣି ଖନନ ବେଳେ ଏହି ଦୁର୍ଘଟଣା ଘଟିଛି।
ସୂଚନା ମୁତାବକ,ବିସ୍ପୋରଣ ପାଇଁ ଡିନା ମାଇଡ଼ ଖଞ୍ଜିବା ପାଇଁ ବଡ଼ ବଡ଼ ପଥରେ ହୋଲ ବା ଡ୍ରିଲ କରୁଥିବା ବେଳେ ଉପରୁ ବଡ ବଡ ପଥର ଖଣ୍ଡ ମାନ ତଳକୁ ଖସି ପଡିଥିଲା। ଫଳରେ ଚାପି ହୋଇ ୨ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଖବର ପାଇ ଘଟଣାସ୍ଥଳକୁ ମୋଟଙ୍ଗା ପୁଲିସ, ଓଡ଼ପଡା ତହସିଲ ଅଧିକାରୀ ଓ ହିନ୍ଦୋଳ ଉପଜିଲ୍ଲାପାଳ ପ୍ରମୁଖ ପହଁଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଘଟଣାସ୍ଥଳରୁ ଖଣି ଖନନ କରାଉଥିବା ଖଣି ମାଲିକ ଓ ତାଙ୍କ କର୍ମଚାରୀ ତଥା ଶ୍ରମିକମାନେ ଫେରାର ଅଛନ୍ତି। ଫଳରେ ଏହି ଦୁର୍ଘଟଣା ଘଟିବା ବେଳେ ଖଣିରେ ସଠିକ କେତେଜଣ ଶ୍ରମିକ କାମ କରୁଥିଲେ ଓ କେତେଜଣ ଦୁର୍ଘଟଣାର ଶିକାର ହୋଇଛନ୍ତି ତାହା ତଦନ୍ତ ପରେ ଜଣାପଡିବ। ତେବେ ସ୍ଥାନୀୟ ଗୋପାଳପୁର ଗ୍ରାମରେ ରହି ଏହି ଖଣିରେ କାମ କରୁଥିବା ଦୁଇଜଣ ଶ୍ରମିକ ଗତ କାଲିଠାରୁ ଘରକୁ ଫେରି ନଥିବା ସୂଚନା ମିଳିଛି। ଫଲରେ ଏହି ଦୁର୍ଘଟଣାରେ ଏହି ଦୁଇଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି।