ରାଉରକେଲା,୦୭/୦୬: ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲ ଓ ପତ୍ନୀ ନିକିତା ଅଗ୍ରୱାଲଙ୍କୁ ଶୁକ୍ରବାର ସଂଧ୍ୟାରେ ରଘୁନାଥପାଲି ଥାନାରେ ମୁହାଁମୁହିଁ ଜେରା କରିଛି ପୁଲିସ୍‌ । ନିକିତାଙ୍କୁ  ଗୁରୁବାର ଥାନାରେ ହାଜର ହେବା ଲାଗି ପୁଲିସ୍‌ ନୋଟିସ ଜାରି କରିଥିଲା । ମାତ୍ର ସେ ଆସିନଥିଲେ ।  ହେଲେ ଶୁକ୍ରବାର ସଂଧ୍ୟା ନିକିତା ଥାନାରେ ପହଞ୍ଚିଥିଲେ । ବଡ଼ଗାଁ ଇତ୍‌ମାରେ ଥିବା ଗୋଦାମ  ନିକିତାଙ୍କ ନାମରେ ରହିଛି । ଗୋଦାମ ସିଲ୍‌  ଥିବା ସତ୍ତେ୍ୱ ଦୁଇଟି ବିସ୍ଫୋରକ ବୋଝେଇ ଗାଡ଼ି  କିପରି ବାହାରିଲା ଓ ଦେଓଗାଁ ସ୍ଥିତ ପେଟ୍ରୋଲ  ପମ୍ପ୍‌ ପାର୍କିଂକୁ କିଭଳି ଗଲା ଏବଂ କାହିଁକି ପାର୍କିଂ କରାଯାଇଥିଲା ସେ ନେଇ ପୁଲିସ୍‌ ଶ୍ରବଣ ଓ  ନିକିତାଙ୍କୁ ସାମ୍ନା ବସାଇ ଜେରା କରିଥିବା ସୂଚନା  ମିଳିଛି । ଶୁକ୍ରବାର ସକାଳେ ଅନ୍ୟ ବରିଷ୍ଠ  ପୁଲିସ୍‌ ଅଧିକାରୀମାନେ ଶ୍ରବଣଙ୍କୁ ପଚରାଉଚରା  କରିଥିଲେ । 

ଏଠାରେ  ସୂଚନା ଯୋଗ୍ୟ ଯେ, ଗତ ୩ ତାରିଖରେ  ରଘୁନାଥପାଲି ପୁଲିସ୍‌  ଶ୍ରବଣ ଓ ଗାଡ଼ି ଚାଳକ  ବିର୍ସା ସାମଦଙ୍କୁ ଗିରଫ  କରି କୋର୍ଟ ଚାଲାଣ  କରିଥିଲା । ଏସ୍‌ଡିଜେଏମ୍‌  କୋର୍ଟରେ ସେମାନଙ୍କ  ଜାମିନ୍‌ ନାମଞ୍ଜୁର ହେବାରୁ ଦୁହିଁଙ୍କୁ ବିଚାର  ବିଭାଗୀୟ ହାଜତକୁ ପୁଲିସ୍‌ ପଠାଇ ଦେଇଥିଲା । ୪  ତାରିଖରେ ଶ୍ରବଣଙ୍କୁ ଏକ ସପ୍ତାହ ପାଇଁ ରିମାଣ୍ଡରେ  ଆଣିବା ଲାଗି ପୁଲିସ୍‌ ପକ୍ଷରୁ କୋର୍ଟରେ ଆବେଦନ  କରାଯାଇଥିଲା । କୋର୍ଟ ମାତ୍ର ୨ ଦିନ ରିମାଣ୍ଡ  ଦେଇଥିଲେ । ଫଳରେ ଗୁରୁବାର ଠାରୁ ଶ୍ରବଣଙ୍କୁ  ଥାନାକୁ ଆଣି ପୁଲିସ୍‌, ଏସ୍‌ଆଇଟି ଓ ଜିଏସ୍‌ଟିର  ଅଧିକାରୀମାନେ ମାରାଥନ ଜେରା କରିଥିଲେ।