ଭଦ୍ରକ, ୨୪/୧୦: ଘରେ ପଶି ଚାନ୍ଦା ଆଦାୟ ଓ ଚାନ୍ଦା ନଦେବାରୁ ଆକ୍ରମଣ ମାମଲାରେ ଅଭିଯୁକ୍ତକୁ ବର୍ଷେ କାରାଦଣ୍ଡ ସହ ୨ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ । ଅଭିଯୁକ୍ତ ଭଦ୍ରକ ଗ୍ରାମାଞ୍ଚଳ ଥାନା ବନ୍ଧ ଗାଁର ଘନଶ୍ୟାମ ରାଉତ (୪୫ ବର୍ଷ)କୁ ଏକ ବର୍ଷ ଜେଲଦଣ୍ଡ ହୋଇଛି। ଭଦ୍ରକର ସହକାରୀ ଦୌରା ଜଜ ଜ୍ୟୋତି ରଞ୍ଜନ ଦାସ ଏହି ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ହେଲେ ୧ ମାସ ଅଧିକ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି । 

ସୂଚନା ଅନୁଯାୟୀ, ୨୦୨୩ ମସିହା ଏପ୍ରିଲ ୨୪ ତାରିଖ ଦିନ ପ୍ରାୟ ସାଢେ ୧୧ଟା ବେଳେ ବନ୍ଧ ଗାଁର ଘନଶ୍ୟାମ ରାଉତ ତାଙ୍କର ପଡୋଶୀ ପବିତ୍ରା ରାଉତଙ୍କ ଘର ଭିତରକୁ ଜୋର ଜବରଦସ୍ତି ପଶି ୩ ହଜାର ଟଙ୍କା ଚାନ୍ଦା ମାଗିଥିଲେ। ସେ ନଦେବାରୁ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ଜୀବନରୁ ମାରି ଦେବାକୁ ଉଦ୍ୟମ କରିଥିଲେ। ମାଡ଼ ମାରି ଲହୁ ଲୁହାଣ କରିଥିଲେ। ଏଣୁ ସେ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଲୋଖିତ ଅଭିଯୋଗ କରିଥିଲେ। ଏହାପରେ ପୁଲିସ ଘନଶ୍ୟାମକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲାରେ ବିଚାର କରିବା ପରେ ଭଦ୍ରକର ସହକାରୀ ଦୌରା ଜଜ୍ ଘନଶ୍ୟାମକୁ ଦୋଷୀ ସାବ୍ୟସ୍ତ କରିବା ସହ ଏକ ବର୍ଷ ଜେଲଦଣ୍ଡ ଓ ୨ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି । ଏତଲାକାରୀଙ୍କ ପକ୍ଷରୁ ଓକିଲ ଅତିସ ବେହେରା ଓ ଜିତନ ପଣ୍ଡା ମାମଲାର ପରିଚାଳନା କରୁଥିଲେ।