ନୂଆଦିଲ୍ଲୀ, ୧୭/୦୨: ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ) ଆସନ୍ତା ଏକ ବର୍ଷ ମଧ୍ୟରେ ଦେଶର ପ୍ରଥମ ‘ଫେସ୍‌ ଟ୍ରାନ୍ସପ୍ଲାଣ୍ଟ’ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି । ଏହି ସୁବିଧା ଏସିଡ୍‌ ଆକ୍ରମଣ ପୀଡିତ, ଗମ୍ଭୀର ଭାବେ ଜଳି ଯାଇଥିବା ଲୋକ, ଦୁର୍ଘଟଣାରେ ଚେହେରା ବିଗିଡି ଯାଇଥିବା ରୋଗୀଙ୍କ ଲାଗି ବରଦାନ ସାବ୍ୟସ୍ତ ହେବ । ସେମାନଙ୍କୁ ଏହାଦ୍ୱାରା ନୂଆ ଜୀବନ ମିଳିବ । ଏମ୍ସର ବର୍ନ ଆଣ୍ଡ ପ୍ଲାଷ୍ଟିକ୍‌ ସର୍ଜରି ବିଭାଗ ଏହି ଜଟିଳ ସର୍ଜରି ଲାଗି ଡାକ୍ତରଙ୍କୁ ସ୍ୱତନ୍ତ୍ର ତାଲିମ ଦେଇଛି । ଖୁବ୍‌ ଶୀଘ୍ର ‘ଫେସ୍‌ ଟ୍ରାନ୍ସପ୍ଲାଣ୍ଟ’ କରାଇବାକୁ ଥିବା ରୋଗୀଙ୍କ ତାଲିକା ପ୍ରସ୍ତୁତ କରାଯିବ । ଆବଶ୍ୟକୀୟ ଅନୁମତି ମିଳିବା ପରେ ଭାରତରେ ପ୍ରଥମ ଥର ପାଇଁ ‘ଫେସ୍‌ ଟ୍ରାନ୍ସପ୍ଲାଣ୍ଟ’ ସୁବିଧା ଆରମ୍ଭ ହେବ । ବୈଶ୍ୱିକ ସ୍ତରରେ କଡ଼ା ନିୟମ ମଧ୍ୟରେ ହାତଗଣତି କିଛି ଦେଶରେ ଏହି ସୁବିଧା ଉପଲବ୍ଧ । ସେଥିମଧ୍ୟରୁ ସର୍ବାଧିକ ‘ଫେସ୍‌ ଟ୍ରାନ୍ସପ୍ଲାଣ୍ଟ’ ଆମେରିକାରେ କରାଯାଇଛି । ଏସୀୟ ଦେଶ ମଧ୍ୟରୁ ଚୀନ୍‌ ଏବଂ ତୁର୍କୀ ଏ ଦିଗରେ ସଫଳ ହୋଇଛନ୍ତି ।

‘ଫେସ୍‌ ଟ୍ରାନ୍ସପ୍ଲାଣ୍ଟ’ ହେଉଛି ଏଭଳି ଏକ ପ୍ରକ୍ରିୟା ଯାହାଦ୍ୱାରା ରୋଗୀଙ୍କର ମୁହଁର ଏକ ଅଂଶ କିମ୍ବା ପୂରା ମୁହଁକୁ ମୃତ ଡୋନରଙ୍କ ଟିସ୍ୟୁ ଦ୍ୱାରା ବଦଳା ଯାଇଥାଏ । ପାରମ୍ପରିକ ରିକନ୍‌ଷ୍ଟ୍ରକ୍ଟିଭ୍‌ ସର୍ଜରି ଦ୍ୱାରା ଯେଉଁମାନେ କୌଣସି ସୁଫଳ ପାଆନ୍ତି ନାହିଁ ଏହି ସର୍ଜରି ସେମାନଙ୍କ ପାଇଁ ଉପଯୋଗୀ ହୋଇଥାଏ । ‘ଫେସ୍‌ ଟ୍ରାନ୍ସପ୍ଲାଣ୍ଟ’ ସେହି ରୋଗୀଙ୍କ କଥା କହିବା, ଶ୍ୱାସକ୍ରିୟା, ଖାଦ୍ୟ ଖାଇବା, ଆଖିର ପଲକ ପକାଇବା, ଚେହେରାର ଅଭିବ୍ୟକ୍ତି ଭଳି ଜରୁରି କାର୍ଯ୍ୟକୁ ପୁନଃସ୍ଥାପିତ କରିବାରେ ସହାୟତା କରିଥାଏ ।

​​​​​​​

ଏମ୍ସ ବର୍ନ ଡିପାର୍ଟମେଣ୍ଟର ମୁଖ୍ୟ ମନୀଷ ସିଂଘଲ କହିଛନ୍ତି, ଏହା କୌଣସି ସାଧାରଣ ସର୍ଜରି ନୁହେଁ । ‘ଫେସ୍‌ ଟ୍ରାନ୍ସପ୍ଲାଣ୍ଟ’ ପ୍ରକ୍ରିୟା ଖୁବ୍‌ ଜଟିଳ । ଏଥିଲାଗି ‘ବ୍ରେନ୍‌ ଡେଡ୍‌’ ଡୋନରଙ୍କ ଚେହେରାର ଆବଶ୍ୟକତା ପଡିଥାଏ । ଡୋନର ଏବଂ ରୋଗୀଙ୍କ ଚର୍ମର ରଙ୍ଗ, ଲିଙ୍ଗ ଏବଂ ବୟସ ମଧ୍ୟ ମିଶିବା ଜରୁରି । ଏହା ମଧ୍ୟରୁ କୌଣସି ଗୋଟିଏ ମ୍ୟାଚ୍‌ ନ ହେଲେ ଚେହେରା ସ୍ୱାଭାବିକ ଲାଗିବ ନାହିଁ । ଡୋନରଙ୍କ ଚେହେରା ମିଳିବାର ୨ ଘଣ୍ଟା ମଧ୍ୟରେ ଟ୍ରାନ୍ସପ୍ଲାଣ୍ଟ ଆରମ୍ଭ କରିବାକୁ ହୋଇଥାଏ । ପୂରା ପ୍ରକ୍ରିୟା ଲାଗି ୧୬- ୪୦ ଘଣ୍ଟା ଯାଏ ସମୟ ଲାଗେ । ଏହି ଅପରେସନ୍‌ ସମୟରେ ପ୍ଲାଷ୍ଟିକ ସର୍ଜନ, ଆନାସ୍ଥେସିଷ୍ଟ, ମାଇକ୍ରୋଭାସ୍କୁଲାର ସର୍ଜନ ଏବଂ ବହୁ ବିଶେଷଜ୍ଞ ଡାକ୍ତର ଏକ ସଙ୍ଗରେ ଟିମ୍‌ ହୋଇ କାମ କରିଥାନ୍ତି । ସେହିପରି ‘ଫେସ୍‌ ଟ୍ରାନ୍ସପ୍ଲାଣ୍ଟ’କେବଳ ଶାରିରୀକ ପରିବର୍ତ୍ତନ ନୁହେଁ । ଏହା ଭାବନାତ୍ମକ ପରିବର୍ତ୍ତନ ମଧ୍ୟ । ରୋଗୀ ଏଥିଲାଗି ମାନସିକ ଭାବେ ଦୃଢ଼ ରହିବା ଜରୁରି । ତେଣୁ ଅପରେସନ୍‌ ପୂର୍ବ ଏବଂ ପରର ସ୍ଥିତି ସଂପର୍କରେ ରୋଗୀଙ୍କୁ ସଂପୂର୍ଣ୍ଣ ସୂଚନା ଦିଆଯାଇଥାଏ । ଏହାଦ୍ୱାରା ନୂଆ ଚେହେରାକୁ ସ୍ୱୀକାର କରିବା ଏବଂ ଆତ୍ମବିଶ୍ୱାସର ସହ ନୂଆ ଜୀବନ ଆରମ୍ଭ କରିବା ଲାଗି ତାଙ୍କୁ ସହାୟତା ମିଳିଥାଏ । ବହୁ କ୍ଷେତ୍ରରେ ସର୍ଜରି ପରେ ନୂଆ ଚେହେରାକୁ ସ୍ୱୀକାର କରିବା ଲାଗି ସାରା ଜୀବନ ରୋଗୀଙ୍କୁ ଔଷଧ ଖାଇବାକୁ ହୋଇଥାଏ ।

ଆହୁରି ପଢ଼ନ୍ତୁ...ହରିୟାଣାରେ ବ୍ୟାପିଛି ରହସ୍ୟମୟ ରୋଗ, ମାସକ ଭିତରେ ଗଲାଣି ୯ ପିଲାଙ୍କ ସମେତ ୧୮ ଜଣଙ୍କ ଜୀବନ