ନୂଆଦିଲ୍ଲୀ, ୧୦।୬: ଆଜିକାଲିର ଡିଜିଟାଲ୍ ଦୁନିଆରେ ଆମେ ସମସ୍ତେ ସୋସିଆଲ ମିଡିଆ, ବିଶେଷ କରି ଫେସବୁକରେ ନିଜ ଫଟୋ ଅପଲୋଡ୍ କରିବାକୁ ଭଲ ପାଉ । କିନ୍ତୁ ଆପଣ ଜାଣିଛନ୍ତି କି ? ଫେସବୁକ୍ରେ ଥିବା ଆପଣଙ୍କର ଗୋଟିଏ ସାଧାରଣ ଫଟୋ ଆପଣଙ୍କ ପାଇଁ ବଡ଼ ବିପଦ ଆଣିପାରେ । ଆଜି ଆମେ ଆପଣଙ୍କୁ ଫେସବୁକ୍ ବିଷୟରେ ଏମିତି ଏକ ସାଙ୍ଘାତିକ ସତ୍ୟ ବିଷୟରେ କହିବୁ, ଯାହା ଶୁଣିଲେ ଆପଣ ଭୁଲରେ ବି ଫେସବୁକରେ ଫଟୋ ଅପଲୋଡ କରିବେନି । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI ଯୁଗରେ ଏହି ଫଟୋଗୁଡ଼ିକୁ ବ୍ୟବହାର କରି ଅପରାଧୀମାନେ ତିଆରି କରୁଛନ୍ତି 'ଡିପ୍ଫେକ୍' ବା ନକଲି ଆପତ୍ତିଜନକ ଭିଡିଓ । ବିଶେଷ କରି ମହିଳା ଏବଂ ଯୁବତୀମାନଙ୍କର ଫଟୋକୁ ଦୁର୍ବୃତ୍ତମାନେ ଟାର୍ଗେଟ୍ କରୁଛନ୍ତି । ଏହି ଭିଡିଓଗୁଡ଼ିକ ଏତେ ଅସଲି ଦେଖାଯାଏ ଯେ, ପ୍ରଥମ ନଜରରେ ଏହା ଅସଲି ନା ନକଲି, ତାହା ଚିହ୍ନିବା କଷ୍ଟକର ହୋଇପଡ଼େ । ତେବେ ଡରିବାର କୌଣସି ଆବଶ୍ୟକତା ନାହିଁ, ଯଦି ଆପଣ ଫେସବୁକ୍ର କିଛି ଗୁରୁତ୍ୱପୂର୍ଣ୍ଣ ସେଟିଂକୁ ତୁରନ୍ତ ବଦଳାଇ ଦେବେ, ତେବେ ଏହି ବଡ଼ ବିପଦରୁ ନିଜକୁ ରକ୍ଷା କରିପାରିବେ । ଆସନ୍ତୁ ଜାଣିବା କ’ଣ ସେହି ସେଟିଂ ଏବଂ କିପରି ରହିବେ ସୁରକ୍ଷିତ ?
୧. ଫଟୋର ଭିଜିବିଲିଟି ବଦଳାନ୍ତୁ
ସବୁଠାରୁ ପ୍ରଥମେ ଆପଣଙ୍କ ଫେସବୁକ୍ ପ୍ରୋଫାଇଲ୍କୁ ଯାଇ Photos ଏବଂ Albums ସେକ୍ସନ ଚେକ୍ କରନ୍ତୁ । ଯଦି ଆପଣଙ୍କର କୌଣସି ଆଲବମ୍ 'ପବ୍ଲିକ୍' ମୋଡ୍ରେ ଅଛି, ତେବେ ତାକୁ ତୁରନ୍ତ ବଦଳାଇ 'Friends' କିମ୍ବା 'Only Me' କରିଦିଅନ୍ତୁ । ଏହାଦ୍ୱାରା ଅପରିଚିତ ବ୍ୟକ୍ତି ଆପଣଙ୍କ ଫଟୋ ଦେଖିପାରିବେ ନାହିଁ କି ଡାଉନଲୋଡ୍ କରିପାରିବେ ନାହିଁ ।
୨. ପ୍ରାଇଭେସି ଚେକଅପ୍
ଫେସବୁକ୍ରେ ବହୁତ ବଢ଼ିଆ ଫିଚର ଅଛି, ଯାହାର ନାଁ ହେଉଛି 'Privacy Checkup'। ଏଠାକୁ ଯାଇ ଆପଣ ସହଜରେ ଦେଖିପାରିବେ ଯେ ଆପଣଙ୍କର ପୋଷ୍ଟ ଏବଂ ବ୍ୟକ୍ତିଗତ ସୂଚନା କେଉଁମାନେ ଦେଖୁଛନ୍ତି । ଏଠାରେ ଟ୍ୟାଗିଂ ଏବଂ ପୋଷ୍ଟ ଭିଜିବିଲିଟିକୁ କେବଳ ସାଙ୍ଗମାନଙ୍କ ମଧ୍ୟରେ ସୀମିତ ରଖନ୍ତୁ ।
୩. ପ୍ରୋଫାଇଲ୍ ଏବଂ ଟ୍ୟାଗିଂ ରିଭ୍ୟୁ
ଅନେକ ସମୟରେ ଆପଣଙ୍କ ସାଙ୍ଗମାନେ ନିଜ ପୋଷ୍ଟରେ ଆପଣଙ୍କୁ ଟ୍ୟାଗ୍ କରିଦିଅନ୍ତି ଏବଂ ସେହି ଫଟୋ ସର୍ବସାଧାରଣରେ ଦେଖାଯାଏ । ଏଥିପାଇଁ Settings କୁ ଯାଇ 'Review tags on your posts' ବିକଳ୍ପକୁ ଅନ୍ କରନ୍ତୁ । ଏହାଦ୍ୱାରା ଆପଣଙ୍କ ଅନୁମତି ବିନା କେହି ବି ଆପଣଙ୍କ ପ୍ରୋଫାଇଲ୍ରେ ଟ୍ୟାଗ୍ ହୋଇଥିବା ଫଟୋ ଦେଖାଇପାରିବେ ନାହିଁ ।
ଏହା ସହିତ ସାଇବର ବିଶେଷଜ୍ଞମାନେ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ମଧ୍ୟ ଦେଇଛନ୍ତି:
ଛୋଟ ପିଲାମାନଙ୍କର ଫଟୋ କଦାପି ସୋସିଆଲ ମିଡିଆରେ ପବ୍ଲିକ୍ କରନ୍ତୁ ନାହିଁ ।
ନିଜର ହାଇ-କ୍ୱାଲିଟି କ୍ଲୋଜ୍-ଅପ୍ ଫଟୋ ସେୟାର କରିବାରୁ ବଞ୍ଚନ୍ତୁ ।
ଅପରିଚିତ ଲୋକଙ୍କ ଫ୍ରେଣ୍ଡ୍ ରିକ୍ୱେଷ୍ଟ ଆଦୌ ଗ୍ରହଣ କରନ୍ତୁ ନାହିଁ ।
ଆପଣଙ୍କ ଫଟୋ ଏଆଇ ମଡେଲ ଟ୍ରେନିଂ ପାଇଁ ଯେପରି ବ୍ୟବହାର ନହେବ, ସେଥିପାଇଁ ଡାଟା ୟୁସେଜ୍ ସେଟିଂକୁ ଲିମିଟେଡ୍ କରନ୍ତୁ ।
ଯଦି ଆପଣ ଶିକାର ହୋଇଛନ୍ତି, କ’ଣ କରିବେ ?
ଯଦି କୌଣସି ପରିସ୍ଥିତିରେ ଆପଣ ଜାଣିବାକୁ ପାଉଛନ୍ତି ଯେ ଆପଣଙ୍କର କୌଣସି ନକଲି ଡିପ୍ଫେକ୍ ଭିଡିଓ ତିଆରି କରାଯାଇଛି, ତେବେ ଜମାରୁ ଭୟଭୀତ ହୁଅନ୍ତୁ ନାହିଁ । ସେହି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭିଡିଓକୁ ରିପୋର୍ଟ କରନ୍ତୁ । ଏହା ସହିତ ସେହି ଭିଡିଓର ସ୍କ୍ରିନସଟ୍ ଏବଂ ଲିଙ୍କ୍ ସଂଗ୍ରହ କରି ଭାରତ ସରକାରଙ୍କ ଅଫିସିଆଲ୍ ସାଇବର କ୍ରାଇମ୍ ପୋର୍ଟାଲ୍ cybercrime.gov.in ରେ ତୁରନ୍ତ ଅଭିଯୋଗ ଦାଖଲ କରନ୍ତୁ । ମନେରଖନ୍ତୁ, ଆପଣଙ୍କର ସାମାନ୍ୟ ସଚେତନତା ହିଁ ଆପଣଙ୍କୁ ଏହି ବଡ଼ ବିପଦରୁ ରକ୍ଷା କରିପାରିବ । ଆଜି ହିଁ ନିଜ ମୋବାଇଲରେ ଫେସବୁକ୍ ପ୍ରାଇଭେସି ସେଟିଂକୁ ବଦଳାନ୍ତୁ । ସୋସିଆଲ ମିଡିଆ ବ୍ୟବହାର ବେଳେ ସଚେତନ ରୁହନ୍ତୁ, ସାଇବର ଅପରାଧ ପ୍ରତି ସଜାଗ ରୁହନ୍ତୁ ।
ଆହୁରି ପଢ଼ନ୍ତୁ... RBI Refund Rule: ମୋବାଇଲ୍ ରିଚାର୍ଜ ଫେଲ୍ ହେଲା କିନ୍ତୁ ଆକାଉଣ୍ଟରୁ କଟିଗଲା ଟଙ୍କା ? ଜାଣନ୍ତୁ RBIର ଏହି ନିୟମ, ତୁରନ୍ତ ମିଳିବ ରିଫଣ୍ଡ !