ନୂଆଦିଲ୍ଲୀ, ୯।୬: ଆଜିର ଡିଜିଟାଲ୍ ଯୁଗରେ ପ୍ରାୟ ପ୍ରତ୍ୟେକ ବ୍ୟକ୍ତି ମୋବାଇଲ୍ ରିଚାର୍ଜଠାରୁ ଆରମ୍ଭ କରି ବିଭିନ୍ନ ବିଲ୍ ପେମେଣ୍ଟ ପାଇଁ ୟୁପିଆଇ ଆପ୍‌ର ବହୁଳ ବ୍ୟବହାର କରୁଛନ୍ତି । ମାତ୍ର ଅନେକ ସମୟରେ ଏଭଳି ସମସ୍ୟା ଦେଖାଦିଏ, ଯେଉଁଠି ଆପଣ ରିଚାର୍ଜ କରନ୍ତି କିନ୍ତୁ ତାହା ସଫଳ ହୁଏନାହିଁ, ଅଥଚ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା କଟିଯାଏ । ଏଭଳି ସ୍ଥିତିରେ ବ୍ୟସ୍ତ ବା ଆତଙ୍କିତ ହେବାର କୌଣସି ଆବଶ୍ୟକତା ନାହିଁ । ଭାରତୀୟ ରିଜର୍ଭ ବ୍ୟାଙ୍କର ନିୟମ ଅନୁଯାୟୀ ଆପଣଙ୍କ କଟିଥିବା ଟଙ୍କା ସୁରକ୍ଷିତ ଭାବେ ଫେରସ୍ତ ମିଳିବ । ଏଥିପାଇଁ କେବଳ ସଠିକ୍ ପ୍ରକ୍ରିୟା ଏବଂ ସମୟ ସୀମା ବିଷୟରେ ଜାଣିବା ଜରୁରୀ ।

ଟଙ୍କା କଟିବା ପରେ ବି କାହିଁକି ଫେଲ୍ ହୁଏ ରିଚାର୍ଜ ?

ଭାରତରେ ପ୍ରତି ମାସରେ କୋଟି କୋଟି ୟୁପିଆଇ କାରବାର ହେଉଛି । ଏହି ବିଶାଳ ନେଟୱର୍କରେ କେତେବେଳେ ବ୍ୟାଙ୍କ ସର୍ଭର ଉପରେ ଅଧିକ ଚାପ ପଡ଼ିବା, ଇଣ୍ଟରନେଟ୍ ସଂଯୋଗରେ ବାଧା ସୃଷ୍ଟି ହେବା କିମ୍ବା ବୈଷୟିକ ତ୍ରୁଟି ଯୋଗୁଁ କାରବାର ଅଧାରେ ଅଟକି ଯାଏ । ଯେତେବେଳେ ପେମେଣ୍ଟ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇପାରେ ନାହିଁ ଏବଂ ଟଙ୍କା ସମ୍ପୃକ୍ତ ଟେଲିକମ୍ କମ୍ପାନୀ ପାଖରେ ପହଞ୍ଚେ ନାହିଁ, ସେତେବେଳେ ତାହାକୁ 'ଫେଲ୍ ଟ୍ରାଞ୍ଜାକସନ୍' ବୋଲି ଧରାଯାଏ । ଏଭଳି କ୍ଷେତ୍ରରେ ଗ୍ରାହକଙ୍କର କୌଣସି ଭୁଲ୍ ନଥାଏ, କେବଳ ବୈଷୟିକ ତ୍ରୁଟି ହିଁ ଏଥିପାଇଁ ଦାୟୀ ଥାଏ ।

ରିଚାର୍ଜ ଫେଲ୍ ହେଲେ ତୁରନ୍ତ କ’ଣ କରିବେ ?

ଯଦି ଆପଣଙ୍କ ମୋବାଇଲ୍ ରିଚାର୍ଜ ହୋଇନାହିଁ ଏବଂ ଆକାଉଣ୍ଟରୁ ଟଙ୍କା କଟିଯାଇଛି, ତେବେ ଭୁଲ୍‌ରେ ବି ତୁରନ୍ତ ଦ୍ୱିତୀୟ ଥର ପେମେଣ୍ଟ କରନ୍ତୁ ନାହିଁ । ଥମେ ନିଜର ବ୍ୟାଙ୍କ ଆକାଉଣ୍ଟ ଷ୍ଟେଟମେଣ୍ଟ ଏବଂ ୟୁପିଆଇ ଆପ୍‌ର 'ହିଷ୍ଟ୍ରି' ବିଭାଗକୁ ଯାଇ ଟ୍ରାଞ୍ଜାକସନ୍ ଷ୍ଟାଟସ୍ ଯାଞ୍ଚ କରନ୍ତୁ । କାରବାର ସହ ଜଡ଼ିତ ଟ୍ରାଞ୍ଜାକସନ୍ ଆଇଡି, ତାରିଖ, ସମୟ ଏବଂ ଟଙ୍କାର ପରିମାଣକୁ ନୋଟ୍ କରି କିମ୍ବା ସ୍କ୍ରିନସଟ୍ ରଖି ସୁରକ୍ଷିତ ରଖନ୍ତୁ । ପରବର୍ତ୍ତୀ ସମୟରେ ଅଭିଯୋଗ କରିବା ପାଇଁ ଏହା ଅତ୍ୟନ୍ତ ଜରୁରୀ । ଆଜିକାଲି ପ୍ରାୟ ସମସ୍ତ ୟୁପିଆଇ ଆପ୍‌ରେ 'ଚେକ୍ ଷ୍ଟାଟସ୍' ବିକଳ୍ପ ଥାଏ । ଏହା ଉପରେ କ୍ଲିକ୍ କଲେ ବ୍ୟାଙ୍କ ସର୍ଭରରୁ ସଠିକ୍ ସୂଚନା ମିଳିଯାଏ ଏବଂ ଅଧିକାଂଶ କ୍ଷେତ୍ରରେ ଟଙ୍କା ସ୍ୱତଃପ୍ରବୃତ୍ତ ଭାବେ ଆକାଉଣ୍ଟକୁ ଫେରିଆସେ ।

କ’ଣ କହୁଛି ଆରବିଆଇର ନିୟମ ?

ଡିଜିଟାଲ୍ କାରବାର କରୁଥିବା ଗ୍ରାହକଙ୍କ ସୁରକ୍ଷା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ସ୍ପଷ୍ଟ ଗାଇଡଲାଇନ୍ ପ୍ରସ୍ତୁତ କରିଛି । ଯଦି କୌଣସି ବ୍ୟକ୍ତିଗତ କାରବାରରେ ସମସ୍ୟା ଆସେ, ତେବେ ନେକ୍ସଟ ୱାର୍କିଂ ଡେ ମଧ୍ୟରେ ଟଙ୍କା ଫେରସ୍ତ ମିଳିବା ଉଚିତ୍ । ମାତ୍ର ମୋବାଇଲ୍ ରିଚାର୍ଜ ଭଳି ମର୍ଚ୍ଚାଣ୍ଟ ପେମେଣ୍ଟ କ୍ଷେତ୍ରରେ ବ୍ୟାଙ୍କ ପାଖରେ ରିଫଣ୍ଡ ଜାରି କରିବା ପାଇଁ ସର୍ବାଧିକ ୫ଟି କାର୍ଯ୍ୟଦିବସ ସମୟ ଥାଏ । ଯଦି ନିର୍ଦ୍ଧାରିତ ୫ ଦିନ ମଧ୍ୟରେ ଗ୍ରାହକଙ୍କୁ ତାଙ୍କ ଟଙ୍କା ଫେରସ୍ତ ନମିଳେ, ତେବେ ଆରବିଆଇ ନିୟମ ଅନୁଯାୟୀ ବିଳମ୍ବ ପାଇଁ ବ୍ୟାଙ୍କ ଗ୍ରାହକଙ୍କୁ ପ୍ରତିଦିନ ୧୦୦ ଟଙ୍କା ହିସାବରେ କ୍ଷତିପୂରଣ ଦେବାକୁ ବାଧ୍ୟ ।

ଟଙ୍କା ଫେରସ୍ତ ନ ମିଳିଲେ କେଉଁଠି କରିବେ ଅଭିଯୋଗ ?

ସର୍ବପ୍ରଥମେ ଆପଣ ବ୍ୟବହାର କରୁଥିବା ୟୁପିଆଇ ଆପ୍ ଯେପରିକି PhonePe, Google Pay, Paytmର ସାହାଯ୍ୟ କିମ୍ବା ସପୋର୍ଟ ସେକସନ୍‌କୁ ଯାଇ ଅଭିଯୋଗ ପଞ୍ଜୀକୃତ କରନ୍ତୁ । ପ୍ରାୟତଃ ୨୪ ଘଣ୍ଟା ମଧ୍ୟରେ ଏହାର ସମାଧାନ ହୋଇଯାଏ । ଯଦି ଆପ୍ ଜରିଆରେ ସମାଧାନ ନହୁଏ, ତେବେ ନିଜ ବ୍ୟାଙ୍କର କଷ୍ଟମର କେୟାର ନମ୍ବରରେ ଯୋଗାଯୋଗ କରି ଟ୍ରାଞ୍ଜାକସନ୍ ଆଇଡି ପ୍ରଦାନ କରନ୍ତୁ । ବ୍ୟାଙ୍କ ପକ୍ଷରୁ ସନ୍ତୋଷଜନକ ଉତ୍ତର ନମିଳିଲେ, ଆପଣ  ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ୍ ଇଣ୍ଡିଆ (NPCI)ର ଅଫିସିଆଲ୍ ୱେବସାଇଟ୍‌କୁ ଯାଇ ଅଭିଯୋଗ କରିପାରିବେ । ୫ଟି କାର୍ଯ୍ୟଦିବସ ବିତିଯିବା ପରେ ମଧ୍ୟ ସମସ୍ୟାର ସମାଧାନ ନହେଲେ, ଗ୍ରାହକ ସେମାନଙ୍କ ଅଭିଯୋଗ ଆରବିଆଇର CMS (Complaint Management System) ପୋର୍ଟାଲରେ ଦାଖଲ କରିପାରିବେ । ଏହା ହେଉଛି ଚୂଡ଼ାନ୍ତ ସ୍ତରର ଅଭିଯୋଗ ପ୍ରକ୍ରିୟା, ଯେଉଁଠାରେ ବ୍ୟାଙ୍କକୁ ଜବାବ ରଖିବା ଅନିର୍ବାଜ୍ୟ ।

ଭୟଭୀତ ନହୋଇ ସଠିକ୍ ପଦକ୍ଷେପ ନିଅନ୍ତୁ:

ରିଚାର୍ଜ ଫେଲ୍ ହେବା ଏବଂ ଆକାଉଣ୍ଟରୁ ପଇସା କଟିଯିବା ନିଶ୍ଚିତ ଭାବେ ଚିନ୍ତାର ବିଷୟ, ମାତ୍ର ଆଧୁନିକ ଡିଜିଟାଲ୍ ବ୍ୟବସ୍ଥାରେ ଗ୍ରାହକଙ୍କ ସୁରକ୍ଷା ପାଇଁ ବ୍ୟାପକ ନିୟମ ରହିଛି । କେବଳ ନିଜର କାରବାର ସମ୍ପର୍କିତ ତଥ୍ୟକୁ ପ୍ରମାଣ ସ୍ୱରୂପ ପାଖରେ ରଖନ୍ତୁ ଏବଂ ଆବଶ୍ୟକ ସ୍ଥଳେ ଅଭିଯୋଗ କରନ୍ତୁ । ଆପଣଙ୍କ ଅଧିକାରର ରକ୍ଷା ପାଇଁ RBI ର ନିୟମ ସଦାସର୍ବଦା ଆପଣଙ୍କ ସାଥୀରେ ଅଛି ।

ଆହୁରି ପଢ଼ନ୍ତୁ... ​​​​​​​Standard Packaging: ଏଣିକି ୯ ଷ୍ଟାଣ୍ଡାର୍ଡ ପ୍ୟାକ୍‌ରେ ମିଳିବ ଖାଇବା ତେଲ, ନିୟମ ପାଳନ କରିବା ଲାଗି ୩  ମାସର ସମୟ