ନୂଆଦିଲ୍ଲୀ, ୧୪/୧୦ : ସାଇବର୍ ଲୁଟେରାଙ୍କ ନୂଆ ଫଣ୍ଡା। ଠକେଇ ପାଇଁ ସ୍କାମର୍ସଙ୍କ ନୂଆ ଟ୍ରିକ୍। ୟୁଜରଙ୍କ ପାଇଁ ବୁଣିଛନ୍ତି ଭ୍ରମଜାଲ। ଜାଣିପାରିବେନି, କ୍ଲିକ୍ କରିଦେବା ମାତ୍ରେ ଉଡ଼ିଯିବ ଟଙ୍କା। ଖାଲି ହୋଇଯିବ ଆକାଉଣ୍ଟ। ଏଥର ଠକଙ୍କ ନୂଆ ଟାର୍ଗେଟ୍ କ୍ୟାପ୍ଚା ଭେରିଫିକେସନ। ‘I am Not Robot’ ଉପରେ କ୍ଲିକ୍ କରୁଛନ୍ତି କି ? ତାହେଲେ ଭୁଲ୍ କରୁଛନ୍ତି... ଏହି ଭେରିଫିକେସନ କରିବା ପୂର୍ବରୁ ସାବଧାନ୍। ନହେଲେ ଗୋଟିଏ ଠିକ୍ ବଦଳରେ ହୋଇଯିବେ ସ୍କାମର୍ସଙ୍କ ଶିକାର।
କୌଣସି ୱେବସାଇଟ୍ ଖୋଲିବା ପୂର୍ବରୁ ସୁରକ୍ଷା ପାଇଁ ବ୍ୟବହାର ହେଉଛି କ୍ୟାପ୍ଚା ଭେରିଫିକେସନ। ମଣିଷ ଓ ମେସିନ୍ ଭିତରେ ଅନ୍ତର ଜାଣିବା ପାଇଁ ବ୍ୟବହାର ହେଉଛି ଏହି ଉପାୟ। ଏବେ ଏହି ସୁରକ୍ଷା ଟୁଲ୍କୁ ଅସ୍ତ୍ର କରି ଲୁଟ୍ କରୁଛନ୍ତି ସାଇବର୍ ଲୁଟେରା। କ୍ୟାପ୍ଚା ଜରିଆରେ କମ୍ପ୍ୟୁଟର, ଲାପଟପ୍, ଟ୍ୟାବ୍, ମୋବାଇଲ୍ ସମେତ ବହୁ ଗ୍ୟାଜଟ୍ସ୍ରେ ଏବେ ସହଜରେ ମେଲୱେୟର ଡାଉନଲୋଡ୍ ହୋଇଯାଉଛି। ସାଇବର୍ ଅପରାଧୀମାନେ ଏବେ ନକଲି ୱେବସାଇଟ୍ ତିଆରି କରି କ୍ୟାପ୍ଚା ଭେରିଫିକେସନ ମାଧ୍ୟମରେ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି।
ଭରସଲ, ନେଟଲିଫି ଭଳି ଫ୍ରି ହୋଷ୍ଟିଂ ପ୍ଲାଟଫର୍ମ ସାହାଯ୍ୟରେ ଯେକୌଣସି ବ୍ୟକ୍ତି ଏବେ ମାତ୍ର କେଇ ମିନିଟ୍ରେ ଅସଲି ଦେଖାଯାଉଥିବା ଭଳି ନକଲି ୱେବସାଇଟ୍ ତିଆରି କରିପାରୁଛି। ଏଆଇର ବହୁଳ ବ୍ୟବହାର ପାଇଁ ଏହି ଫିସିଂ ସାଇଟ୍ ଗୁଡ଼ିକୁ ଚିହ୍ନିବା କଷ୍ଟସାଧ୍ୟ ହୋଇପଡୁଛି। ଫିସିଂ ସାଇଟ୍ ଗୁଡ଼ିକର ଡିଜାଇନ୍, ଟେକ୍ସଟ୍, ଓ ସିକ୍ୟୁରିଟି ଆଲର୍ଟ ମେସେଜ୍ ପୁରା ରିଅଲ୍ ଭଳି ନଜର ଆସୁଛି। ଯେଉଁଥିପାଇଁ ୟୁଜରମାନେ ଅସଲି ନକଲି ଭିତରେ ଫରକ ଜାଣିବା ମୁସ୍କିଲ ହୋଇପଡିଛି।
ଅସଲି କ୍ୟାପ୍ଚାରେ ସହଜ ଚିତ୍ର ବାଛିବା, ଅକ୍ଷର ଟାଇପ୍ କରିବା କିମ୍ଵା ଚେକ୍ବକ୍ସରେ ଟିକ୍ କରିବା ଭଳି ନିର୍ଦ୍ଦେଶ ଆସେ। ହେଲେ ନକଲି କ୍ୟାପ୍ଚାରେ ଅଜବ ଗଜବ ଜିନିଷ କରିବା ପାଇଁ ନିର୍ଦ୍ଦେଶ ଆସେ। ଯେପରି ନୋଟିଫିକେସନ ପାଇଁ ଆଲାଓ ବଟନ୍ ରେ ଟିକ୍ କରିବା, ଫାଇଲ୍ ଡାଉନଲୋଡ୍ କରିବା କିମ୍ଵା ବ୍ୟକ୍ତିଗତ ତଥ୍ୟ ଦେବା। ନକଲି କ୍ୟାପ୍ଚା ଚିହ୍ନିବା ପାଇଁ ୟୁଆରଏଲ୍କୁ ଯାଞ୍ଚ କରନ୍ତୁ। ଯଦି ସେଥିରେ ଭୁଲ୍ ସ୍ପେଲିଂ ଅଛି, ଅଲଗା ଚିହ୍ନ ଅଛି କିମ୍ଵା ଅଜଣା ଡୋମେନ ରହିଛି ତେବେ ତାହାକୁ ଅଣଦେଖା କରନ୍ତୁ। ସାଇବର୍ ଲୁଟେରାଙ୍କ କବଳରୁ ମୁକୁଳିବାକୁ କମ୍ପ୍ୟୁଟର ଓ ଲାପଟପ୍ରେ ଆଣ୍ଟି ଭାଇରସ୍ ଅପଡେଟ୍ ରଖନ୍ତୁ। ମୋବାଇଲ୍ ଭଳି ଗେଜଟ୍ ଗୁଡ଼ିକରେ ସପ୍ଟଓୟାର ଅପଡେଟ୍ ରଖନ୍ତୁ। httpsରୁ ଆରମ୍ଭ ହେଉଥିବା ୱେବସାଇଟ୍ ଉପରେ ଭରସା କରନ୍ତୁ। ଯଦି ଅଜାଣତରେ ଅସୁରକ୍ଷିତ ୱେବସାଇଟ୍ କ୍ୟାପ୍ଚା ଉପରେ କ୍ଲିକ୍ କରି ଦେଇଛନ୍ତି ତେବେ ବ୍ରାଉଜର୍ ଡାଟା କ୍ଲିଅର୍ କରିଦିଅନ୍ତୁ।