ନୂଆଦିଲ୍ଲୀ : ମହାରାଷ୍ଟ୍ରର ସତାରା ଜିଲ୍ଲାର ଏକ ସରକାରୀ ହସ୍ପିଟାଲରେ କାର୍ଯ୍ୟରତ ଜଣେ ୨୮ ବର୍ଷୀୟା ମହିଳା ଡାକ୍ତର ଗୁରୁବାର ବିଳମ୍ବିତ ରାତିରେ ଏକ ହୋଟେଲ ରୁମରେ ଆତ୍ମହତ୍ୟା କରି ମୃତ୍ୟୁବରଣ କରିବା ପରେ ଏକ ଭୟଙ୍କର ଦାବି ସାମ୍ନାକୁ ଆସିଛି। ପୋଲିସ ତାଙ୍କ ହାତ ପାପୁଲିରେ ଲେଖାଯାଇଥିବା ଏକ ଚିଠି ପାଇଛି ଯେଉଁଥିରେ ଗତ ପାଞ୍ଚ ମାସ ଧରି ଦୁଇ ପୋଲିସ କର୍ମଚାରୀଙ୍କ ଉପରେ ବଳାତ୍କାର ଏବଂ ମାନସିକ ନିର୍ଯାତନା ଅଭିଯୋଗ କରାଯାଇଛି।

ଘଟଣା ଜଣାପଡ଼ିବା ପରେ, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ସତାରା ପୋଲିସ ସହ କଥା ହୋଇଥିଲେ ଏବଂ ନୋଟରେ ଉଲ୍ଲେଖ ଥିବା ଅଧିକାରୀ ମାନଙ୍କୁ ତୁରନ୍ତ ନିଲମ୍ବିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଘଟଣାରେ ପୋଲିସ କହିଛି ଯେ,"ଆମେ ଏକ ମାମଲା ରୁଜୁ କରିଛୁ, ଏବଂ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ଆମେ ପୀଡିତାଙ୍କ ହାତରେ ଥିବା ସୁଇସାଇଡ ନୋଟରେ ଉଲ୍ଲେଖ କରାଯାଇଥିବା ଅଭିଯୋଗ ଗୁଡ଼ିକର ମଧ୍ୟ ତଦନ୍ତ କରୁଛୁ । ତେବେ ସୁଇସାଇଡ୍ ନୋଟରେ, ଡାକ୍ତର ଦାବି କରିଛନ୍ତି ଯେ ସବ-ଇନ୍ସପେକ୍ଟର ଗୋପାଳ ବଡାନେ ତାଙ୍କୁ ଅନେକ ଥର ବଳାତ୍କାର ଏବଂ ଯୌନ ନିର୍ଯ୍ୟାତନା ଦେଇଛନ୍ତି।

କେବଳ ଏତିକି ନୁହେଁ ନୋଟରେ ପ୍ରଶାନ୍ତ ବାଙ୍କର ନାମକ ଅନ୍ୟ ଜଣେ ଅଧିକାରୀ ତାଙ୍କୁ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ ମଧ୍ୟ କରାଯାଇଥିଲା। ଏନେଇ ମହାରାଷ୍ଟ୍ର ମହିଳା କମିଶନ ମୁଖ୍ୟ କହିଛନ୍ତି କି, "ଆମେ ଏହି ମାମଲାକୁ ଅବଗତ କରିଛୁ ଏବଂ ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସତାରା ପୋଲିସକୁ ନିର୍ଦ୍ଦେଶ ଦେଇଛୁ।"

ନ୍ୟୁଜ ଏଜେନ୍ସି ପିଟିଆଇ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଡାକ୍ତରଙ୍କ ସମେତ ଚିକିତ୍ସା ଅଧିକାରୀ ମାନେ ପୋଷ୍ଟମର୍ଟମ ରିପୋର୍ଟକୁ ମିଥ୍ୟା କରିବା ପାଇଁ ଚାପର ସମ୍ମୁଖୀନ ହୋଇଥିଲେ । ଏନେଇ ମୃତ ଡାକ୍ତରଙ୍କ ସମ୍ପର୍କୀୟ ମାନେ ଅଭିଯୋଗ କରିଛନ୍ତି। ପୀଡିତାଙ୍କ ସମ୍ପର୍କୀୟ ଭାଇ ନ୍ୟୁଜ୍ ଏଜେନ୍ସି ଏଏନଆଇକୁ ମଧ୍ୟ କହିଛନ୍ତି କି, "ଭୁଲ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ତାଙ୍କ ଉପରେ ବହୁତ ପୋଲିସ ଏବଂ ରାଜନୈତିକ ଚାପ ପଡ଼ିଥିଲା। ସେ ଏହା ବିଷୟରେ ଅଭିଯୋଗ କରିବାକୁ ଚେଷ୍ଟା କରିଥିଲେ। ମୋ ଭଉଣୀଙ୍କୁ ନ୍ୟାୟ ମିଳିବା ଉଚିତ।"

ସେପଟେ ସତାରାର ପୋଲିସ ଅଧିକ୍ଷକ ତୁଷାର ଦୋଷୀ କହିଛନ୍ତି ଯେ ସବ-ଇନ୍ସପେକ୍ଟର ବଡାନେ ଏବଂ ବାଙ୍କାରଙ୍କ ବିରୋଧରେ ବଳାତ୍କାର ଏବଂ ଆତ୍ମହତ୍ୟା ପାଇଁ ପ୍ରୋତ୍ସାହନ ଦେବା ଅଭିଯୋଗରେ ଏକ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତ ସବ-ଇନ୍ସପେକ୍ଟରଙ୍କୁ ନିଲମ୍ବିତ କରାଯାଇଛି, ଏବଂ ପୋଲିସ ଦଳ ଉଭୟ ଅଭିଯୁକ୍ତଙ୍କୁ ଖୋଜିବାକୁ ଚେଷ୍ଟା କରୁଛନ୍ତି।