କଟକ,୦୯/୦୫: କାଠଯୋଡ଼ିର ଖାନ୍‌ନଗର ପାଖରେ  ରାସ୍ତା ସଂପ୍ରସାରଣ ବେଳେ କ୍ରେନ୍‌ ଭାଙ୍ଗି ସ୍ଲାବ୍‌ ଭୁଶୁଡ଼ିବା ଘଟଣାର  ଉଚ୍ଚସ୍ତରୀୟ ତଦନ୍ତ ଏହା ମଧ୍ୟରେ ଶେଷ ହୋଇଛି । କଟକ ସଦର  ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ତଦନ୍ତ ରିପୋର୍ଟ  ଶନିବାର ଦିନ ସରକାରଙ୍କୁ ପ୍ରଦାନ କରିବ ବୋଲି ସୂଚନା ମିଳିଛି । ପୂର୍ତ୍ତ  ବିଭାଗ ଓ ଶ୍ରମ ବିଭାଗ ପକ୍ଷରୁ ଦିଆଯାଇଥିବା ତଥ୍ୟ ଓ ପ୍ରଶାସନିକ  ଯାଞ୍ଚ୍‌ ତଥ୍ୟକୁ ଆଧାର କରି ଉପଜିଲ୍ଲାପାଳ ରିପୋର୍ଟ ପ୍ରଦାନ କରିବେ ।  ଜିଲ୍ଲାପାଳଙ୍କ ଜରିଆରେ ଏହି ରିପୋର୍ଟ ରାଜ୍ୟ ସରକାରଙ୍କୁ ଦିଆଯିବ । 

ଗତ ଶନିବାର ୩ ତାରିଖ ସନ୍ଧ୍ୟାରେ ଅଘଟଣ ପରେ ମୁଖ୍ୟମନ୍ତ୍ରୀ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ତୁରନ୍ତ କଟକ  ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ତିନି ଜଣିଆ ତଦନ୍ତ କମିଟି  ଗଠନ କରିଥିଲେ । ସଦର ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପୂର୍ତ୍ତ  ବିଭାଗ ଡିଭିଜନ୍‌-୨ର ଅଧୀକ୍ଷଣ ଯନ୍ତ୍ରୀ ଓ ଜିଲ୍ଲା ଶ୍ରମ ଅଧିକାରୀ  (ଏନ୍‌ଫୋର୍ସମେଣ୍ଟ) ଏଥିରେ ସଦସ୍ୟ ଥିଲେ । କମିଟି ଗଠନ ପରେ  ତୁରନ୍ତ ତଦନ୍ତ ଆରମ୍ଭ ହୋଇଥିଲା । ପ୍ରଥମ ତିନି ଅଧିକାରୀ ଘଟଣା  ସ୍ଥଳ ଅନୁଧ୍ୟାନ କରିଥିଲେ । ଏହାପରେ ଦୁର୍ଘଟଣାରେ ରହିଥିବା  ବୈଷୟିକ ତ୍ରୁଟି ସମ୍ପର୍କରେ ପୂର୍ତ୍ତ ବିଭାଗ ଓ ଶ୍ରମିକଙ୍କ କାର୍ଯ୍ୟକୁଶଳତା  ଏବଂ ଶ୍ରମ ବିଭାଗ ସମ୍ପର୍କୀୟ କାଗଜପତ୍ର ଜିଲ୍ଲା ଶ୍ରମ ବିଭାଗ ଅନୁଧ୍ୟାନ  କରିଥିଲା । ପୂର୍ତ୍ତ ବିଭାଗ ସଂପୃକ୍ତ କ୍ରେନ୍‌ ଅପରେଟର, ଅନ୍ୟତମ  କ୍ରେନ୍‌ର ଅପରେଟର, ଦୁର୍ଘଟଣା ସ୍ଥଳରେ ଥିବା ଅନ୍ୟ କର୍ମଚାରୀ,  ଠିକା ସଂସ୍ଥାର ବରିଷ୍ଠ ଅଧିକାରୀ, କ୍ରେନ୍‌ ନିର୍ମାଣକାରୀ ସଂସ୍ଥାର  ଇଂଜିନିୟରଙ୍କ ସହିତ ବିସ୍ତୃତ ଭାବେ ଆଲୋଚନା କରି ତଥ୍ୟ  ସଂଗ୍ରହ କରିଥିଲେ । ତେବେ ଛିଣ୍ଡିଥିବା ବେଲ୍ଟର ତ୍ରୁଟି ସମ୍ପର୍କରେ  ବହୁ ତଥ୍ୟ ଏକାଠି କରାଯାଇ ରିପୋର୍ଟ ଜରିଆରେ ଉପଜିଲ୍ଲାପାଳଙ୍କୁ  ପ୍ରଦାନ କରାଯାଇଛି । 

ସେହିପରି ଦୁର୍ଘଟଣାରେ ଆହତ ହୋଇଥିବା  ଶ୍ରମିକଙ୍କ ବୟାନ, ସେମାନଙ୍କ ଦକ୍ଷତା, କାର୍ଯ୍ୟକୁଶଳତା ସମ୍ପର୍କୀୟ  କାଗଜପତ୍ର ଓ ଠିକା ସଂସ୍ଥା ପକ୍ଷରୁ ଶ୍ରମିକଙ୍କୁ ପ୍ରଦାନ କରାଯାଉଥିବା  ସୁରକ୍ଷା କିଟ୍‌ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଇଥିଲା । ଏହି ତଥ୍ୟକୁ  ମଧ୍ୟ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଶୁକ୍ରବାର ଦିନ କମିଟି  ପୁଣି ଏକାଠି ହେବ । ସବୁ ତଥ୍ୟର ନିର୍ଯ୍ୟାସକୁ ରିପୋର୍ଟ ଆକାରରେ  ପ୍ରସ୍ତୁତ କରାଯିବ । ଉପଜିଲ୍ଲାପାଳ ଏହା ଆସନ୍ତାକାଲି ପ୍ରସ୍ତୁତ କରିବେ ।  ଶନିବାର ଦିନ ତଦନ୍ତର ଡେଡ୍‌ଲାଇନ୍‌ ବା ସମୟସୀମା ପୂରୁଥିବାରୁ  ସେଦିନ ଉପଜିଲ୍ଲାପାଳ ରିପୋର୍ଟକୁ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ  ସରକାରଙ୍କୁ ପ୍ରଦାନ କରିବେ । ମିଳିଥିବା ସୂଚନା ଅନୁସାରେ,  ବେଲ୍ଟ ଛିଣ୍ଡିବା ଘଟଣାରେ ଠିକାସଂସ୍ଥାକୁ ବୈଷୟିକ ରିପୋର୍ଟରେ  ଦାୟୀ କରାଯାଇଛି । ତେବେ ରିପୋର୍ଟରେ କିଛି ବିଷୟରେ  ତ୍ରୁଟି ସୁଧାରିବାକୁ ସୁପାରିସ କରାଯିବ ବୋଲି ସୂଚନା ମିଳିଛି ।  

ସୂଚନାଯୋଗ୍ୟ, ଖାନ୍‌ନଗର ମଲାଚଣ୍ଡିଆ ଛକ-ଖାନ୍‌ନଗର  ମଣି ମନ୍ଦିର ୬ ଲେନ୍‌ ରାସ୍ତା ସଂପ୍ରସାରଣ ନିମନ୍ତେ କାଠଯୋଡ଼ିରେ  ରାସ୍ତା ସହ ସମାନ୍ତରାଳ ଭାବେ ଏକ ବ୍ରିଜ୍‌ ନିର୍ମାଣ ହେଉଛି । ଏହି  ବ୍ରିଜ୍‌ର ଗାର୍ଡର ବା କଂକ୍ରିଟ୍‌ ବିମ୍‌ ଗତ ଶନିବାର କ୍ରେନ୍‌ ଦ୍ୱାରା  ଖୁଣ୍ଟ ଉପରେ ରଖାଯାଉଥିଲା । ଏହି ସମୟରେ କ୍ରେନ୍‌ର ବେଲ୍ଟ  ଛିଡ଼ିଯିବାରୁ ବିମ୍‌ ତଳେ ପଡ଼ିବା ସହିତ କ୍ରେନ୍‌ ଭାଙ୍ଗିଯାଇଥିଲା । ଏହି  ସମୟରେ ତଳେ ଥିବା ୫ ଜଣ ଚାପି ହୋଇଯାଇଥିଲେ । ତନ୍ମଧ୍ୟରୁ  ଦୁଇ ଜଣ ଇଂଜିନିୟର ଓ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା ।