କେନ୍ଦ୍ରାପଡ଼ା/ରାଜନଗର, ୨୭/୦୨: ସରୁନି ମଣ୍ଡି ଯନ୍ତ୍ରଣା । ଧାନମଣ୍ଡିରେ ଅବହେଳା ଓ ଉପେକ୍ଷା ଯୋଗୁଁ ଆଖି ବୁଜିଛନ୍ତି ଚାଷୀ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ଅଧୀନ ଜୁଣଗଡ଼ି ଗାଁରୁ ଏଭଳି ଅଭିଯୋଗ ସାମ୍ନାକୁ ଆସିଛି । ଡାଙ୍ଗମାଳ ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ)ର ସମ୍ପାଦକଙ୍କ ଅବହେଳା ଓ ପ୍ରଶାସନର ଭୁଲ୍ ଯୋଗୁଁ ତାଙ୍କ ଭାଇ ତ୍ରିଲୋଚନ ନାୟକଙ୍କର ମୃତ୍ୟୁ ଘଟିଥିବା ବଡ଼ଭାଇ ଦୁର୍ଯ୍ୟୋଧନ ନାୟକ ଅଭିଯୋଗ ଆଣିଛନ୍ତି ।
ଅନ୍ୟପକ୍ଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ, ତ୍ରିଲୋଚନ ନାୟକ ଚଳିତ ମାସ ୧୪ ତାରିଖରେ ୩୮ କୁଇଣ୍ଟାଲ ୯୦ କିଲୋ ଧାନ ମଣ୍ଡିରେ ବିକ୍ରି କରିଥିଲେ । ୧୮ ତାରିଖରେ ତାଙ୍କ ସମ୍ବନ୍ଧିତ ବ୍ୟାଙ୍କକୁ ଅର୍ଥ ପ୍ରଦାନ ପାଇଁ ସୁପରିସ କରାଯାଇଥିଲା । ୨୩ ତାରିଖରେ ନିର୍ଦ୍ଧରିତ ପ୍ରକ୍ରିୟା ଅନୁସାରେ ଧାନ ବିକ୍ରି ଟଙ୍କା ତାଙ୍କ ବ୍ୟାଙ୍କ୍ ଖାତାରେ ଜମା ହୋଇଥିଲା । ୨୫ ତାରିଖରେ ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଛି ବୋଲି ପ୍ରଶାସନ ତରଫରୁ ଜାରି ପ୍ରେସ୍ ବିଜ୍ଞପ୍ତିରେ ସୂଚନା ପ୍ରଦାନ କରାଯାଇଛି ।
ଅଧିକ ପଢ଼ନ୍ତୁ :- ସର୍ଭାଇକାଲ୍ କ୍ୟାନସର ମୁକ୍ତ ହେବେ ମହିଳା: ରାଜ୍ୟର ଅଢ଼େଇ ଲକ୍ଷ କିଶୋରୀ ନେବେ ଏଚ୍ପିଭି ଟିକା, ଶନିବାର ଏଇଠୁ ହେବ ଆରମ୍ଭ
ଅଭିଯୋଗ ମୁତାବକ, ଜାନୁୟାରୀ ୧୬ରେ ଧାନ ଦେବାକୁ ମେସେଜ୍ ଆସିଥିବାବେଳେ ଦୀର୍ଘ ୪୦ଦିନ ଧରି ଦୌଡ଼ି ଦୌଡ଼ି ନିରାଶ ହୋଇ ତ୍ରିଲୋଚନ ପ୍ରାଣ ହରାଇଛନ୍ତି । ମଣ୍ଡି ବଦଳରେ ମିଲ୍କୁ ଧାନ ନେଇଯିବାକୁ ପ୍ୟାକ୍ସ ସମ୍ପାଦକ କହିଥିବାବେଳେ ରାମଚଣ୍ଡୀ ମିଲ୍କୁ ଧାନ ନେଇଯାଇଥିଲେ ତ୍ରିଲୋଚନ । ମିଲ୍ରେ ମଧ୍ୟ ଯନ୍ତ୍ରଣା କମିନଥିଲା । ୩ଦିନ ଅଖିଆ ଅପିଆ ଧାନ ଜଗି ରହିଥିଲେ । ତଥାପି ଧାନ ବିକ୍ରି କରି ପାରିନଥିଲେ । ଶେଷରେ ମିଲର୍ଙ୍କ ସର୍ତ୍ତ ମୁତାବକ କଟ୍ନି ଛଟ୍ନି ପାଇଁ କୁଇଣ୍ଟାଲ ପିଛା ୬ କିଲୋ ସହ ଅଧିକ ୩ କୁଇଣ୍ଟାଲ୍ ଧାନ ଦେବାକୁ ପଡ଼ିବ ବୋଲି ତାଙ୍କୁ କୁହାଯାଇଥିଲା । ଏଥିରେ ତ୍ରିଲୋଚନ ରାଜି ହେବାରୁ ତାଙ୍କ ଧାନ ଓଜନ ହୋଇଥିଲା । ତ୍ରିଲୋଚନ ଧାନ ବିକ୍ରି କରିବା ପାଇଁ ଆଗୁଆ ୧୮ ହଜାର ଟଙ୍କା ଖର୍ଚ୍ଚ କରିଥିଲେ । ମିଲର ଓ ସମ୍ପାଦକଙ୍କ ନିର୍ଯାତନା ଯୋଗୁଁ ଗତକାଲି ମିଲ୍ର ଫେରି ଘରେ ପହଞ୍ଚିବା କ୍ଷଣି ତାଙ୍କର ପ୍ରାଣ ଚାଲି ଯାଇଥିବା ଅଭିଯୋଗ ହୋଇଛି । ତ୍ରିଲୋଚନ ଚାଷ ପାଇଁ ଋଣ ଭାରରେ ବୁଡ଼ି ରହିଥିବା ପରିବାର ପକ୍ଷରୁ କୁହାଯାଇଛି । ସେହି ଚିନ୍ତାରେ ଭାଇର ମୃତ୍ୟୁ ହୋଇଛି ବୋଲି ଦୁର୍ଯ୍ୟୋଧନ କହିଛନ୍ତି । ସେ କହିଛନ୍ତି, ଯେଉଁମାନେ ହାତଗୁଞ୍ଜା ଦେଲେ ସେମାନଙ୍କ ଧାନ ଶୀଘ୍ର ଯାଉଛି । ନହେଲେ ଧାନ ପଡ଼ିରହୁଛି । ଟୋକନ ଅବଧି ସରିଯାଉଥିଲେ ବି କେହି ଶୁଣୁନାହାନ୍ତି ।
ପ୍ୟାକ୍ସ ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ଜେନାଙ୍କୁ ପଚାରିବାରୁ ସେ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି । ସେ କହିଛନ୍ତି, ଫେବ୍ରୁଆରୀ ୧୪ ତାରିଖରେ ତାଙ୍କର ଆଖି ସ୍କାନ୍ କରି ଧାନ ଗ୍ରହଣ କରାଯାଇଛି । ତାଙ୍କର ୧୬ ତାରିଖରେ ଟୋକନ୍ ଥିଲେ ମଧ୍ୟ ୧୪ ତାରିଖରେ ଧାନ ଦେଇଥିଲେ । ଟୋକନ୍ ନଂ. ୧୮୪୩୮୩୦ରେ ୩୮ କୁଇଣ୍ଟାଲ୍୯୦ କେଜିର ଧାନ ବିକ୍ରି ଟଙ୍କା ୧୭ ତାରିଖରେ ତାଙ୍କ ବ୍ୟାଙ୍କ୍ ଖାତାକୁ ଯାଇଛି । ମଣ୍ଡିରେ ନିର୍ଯାତନା ଯୋଗୁଁ ପ୍ରାଣ ହରାଇଥିବା ଅଭିଯୋଗ ମିଥ୍ୟା । ରାଜନଗର ତହସିଲଦାର ଯୀଶୁକ୍ରିଷ୍ଣ ଦାସଙ୍କୁ ପଚାରିବାରୁ ସେ କହିଛନ୍ତି କି, ଏହି ଖବର ଜାଣିବା ପରେ ଡାଙ୍ଗମାଳ ସେବା ସମବାୟ ସମିତି କାର୍ଯ୍ୟାଳୟକୁ ଯାଇଥିଲି । ସମସ୍ତ କାଗଜପତ୍ରର ତନଖି କରିଥିଲି । ତ୍ରିଲୋଚନ ନାୟକଙ୍କୁ ଧାନ ମଣ୍ଡିରେ ଦେବାକୁ ଟୋକନ ଦିଆଯାଇଛି । ଆଖି ସ୍କାନ୍ କରାଯାଇଛି ଓ ତାଙ୍କ ଜମା ଖାତାକୁ ଟଙ୍କା ଆସିସାରିଛି । ତାଙ୍କ ଭାଇ କରିଥିବା ଅଭିଯୋଗର କୌଣସି ଭିତ୍ତି ନାହିଁ । ଚାଷୀ ତ୍ରିଲୋଚନଙ୍କ ମୃତ୍ୟୁ ପାଇଁ ମଣ୍ଡି ଅବ୍ୟବସ୍ଥା ଓ ବିଶେଷ କରି ପ୍ରଶାସନ ଦାୟୀ ବୋଲି ନବନିର୍ମାଣ କୃଷକ ସଂଗଠନର ଜିଲ୍ଲା ସଂଯୋଜକ ଦୋଳ ଗୋବିନ୍ଦ ସାହୁ ଅଭିଯୋଗ କରିଛନ୍ତି ।