ଭୁବନେଶ୍ୱର,୨୭/୦୨: ୨୦୩୦ ସୁଦ୍ଧା ଦେଶ ତଥା ରାଜ୍ୟରୁ ମହିଳାଙ୍କୁ ଜରାୟୁ କ୍ୟାନ୍ସର ମୁକ୍ତ କରାଯିବ । ଜରାୟୁ କ୍ୟାନସର୍ ପ୍ରତିରୋଧ ପାଇଁ ଓଡ଼ିଶାରେ କିଶୋରୀ ଓ ମହିଳାଙ୍କୁ ମାଗଣାରେ ଦିଆଯିବ ହ୍ୟୁମାନ ପାପିଲୋମା ଭାଇରସ୍ (ଏଚ୍ବିଭି) ଇଞ୍ଜେକ୍ସନ୍ । ପ୍ରଥମ ପର୍ଯ୍ୟାୟରେ ୩ ମାସ ଭିତରେ ରାଜ୍ୟରେ ୨.୫ ଲକ୍ଷ କିଶୋରୀ (୧୪ ବର୍ଷରୁ ଅଧିକ)ଙ୍କୁ ଟିକା ଦିଆଯିବ ।
ସେଥିପାଇଁ ବର୍ତ୍ତମାନ ସୁଦ୍ଧା ୧୮୯ ଲକ୍ଷ ଟିକା ଓଡ଼ିଶାରେ ପହଞ୍ଚିଛି । ବାକି ଟିକା ପର୍ଯ୍ୟାୟ କ୍ରମେ ପହଞ୍ଚିବ । ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଚ୍ବିଭି ଟିକା ଶୁଭାରମ୍ଭ କରିବେ । ରାଜ୍ୟରେ କୃଷି ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଉପସ୍ଥିତ ରହି ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ଯୋଡ଼ି ହେବେ ।
ଏଚ୍ବିଭି ଟିକା ମେଡିକାଲରେ ଡାକ୍ତରଙ୍କ ଉପସ୍ଥିତିରେ ଦିଆଯିବ । ଏହାର କୌଣସି ପାଶ୍ୱର୍ ପ୍ରତିକ୍ରିୟା ନାହିଁ । କିଶୋରୀଙ୍କୁ ଗୋଟିଏ ଲେଖାଏ ଡୋଜ୍ ଦିଆଯିବ । ଯେଉଁ ଜିଲ୍ଲା ହସ୍ପିଟାଲରେ କୋଲ୍ଡଚେନ୍ ବ୍ୟବସ୍ଥା ରହିଛି, ସେହି ହସ୍ପିଟାଲରେ ଟିକା ଦିଆଯିବ । ସ୍ୱତନ୍ତ୍ର ଟିକାକରଣ ଗୃହରେ ସମସ୍ତ ବ୍ୟବସ୍ଥା ହୋଇଛି । ପାନୀୟ ଜଳ ସହିତ ବିସ୍କୁଟ୍ ଆଦି ବ୍ୟବସ୍ଥା ରହିଛି । ଟିକା ନେଲା ପରେ ୩୦ ମିନିଟ୍ ବିଶ୍ରାମ ନେବା ବ୍ୟବସ୍ଥା ରହିଛି । ଯେଉଁମାନଙ୍କ ଭାଇରାଲ ଆଲର୍ଜି ରହିଛି ସେମାନଙ୍କୁ କିଛି ଦିନ ଅନ୍ତରରେ ଦିଆଯିବ ।
ଅଧିକ ପଢ଼ନ୍ତୁ :- ଓଡ଼ିଶା ଆସିବ ଶିରିଡ଼ି ସାଇବାବାଙ୍କ ଚରଣ ପାଦୁକା,ମାର୍ଚ୍ଚ ୧୪, ୧୫ରେ ଜନତା ମଇଦାନରେ ସର୍ବସାଧାରଣଙ୍କ ଦର୍ଶନ
କିଶୋରୀଙ୍କ ଜନ୍ମଗତ ପ୍ରମାଣ ପାଇଁ ବିଦ୍ୟାଳୟ ପ୍ରମାଣପତ୍ର ଆବଶ୍ୟକ । ଆଧାର କାର୍ଡ ବା ଅଭିଭାବକଙ୍କ ଲିଖିତ ପତ୍ର ଦରକାର ହେବ । ପ୍ରଥମେ କିଶୋରୀ ନାମ ପଞ୍ଜୀକରଣ କରିବେ । ସେଥିପାଇଁ ଆଶା, ସ୍ୱାସ୍ଥ୍ୟକର୍ମୀ, ଏଏନ୍ଏମ୍ ସହଯୋଗ କରିବେ । ପଞ୍ଜିକରଣ ପରେ ଅଭିଭାବକଙ୍କ ମୋବାଇଲ୍କୁ ଏକ ଓଟିପି ଯିବ । ଏହା ପରେ ଟିକା ନେବେ । ଏହି ଟିକା ପାପିଲୋମା ଭାଇରସ୍ର ୪ଟି ଷ୍ଟ୍ରେନ୍ରୁ ସୁରକ୍ଷା ଦେଇପାରିବ । ବଜାରରେ ଏହି ଟିକାର ମୂଲ୍ୟ ୬ ହଜାର ଟଙ୍କା ପାଖାପାଖି ଥିଲା ବେଳେ କିଶୋରୀଙ୍କୁ ଏହା ମାଗଣା ଦିଆଯିବ।