ନୂଆଦିଲ୍ଲୀ,୧୪।୧୨: ତେଜୁଛି ଚାଷୀ ଆନ୍ଦୋଳନ। ଜିଦ୍ରେ ଅଟଳ କୃଷକ। ଦିଲ୍ଲୀ ଚଲୋ ଡାକରା ଦେଇ ଜାରି ରଖିଛନ୍ତି ଆନ୍ଦୋଳନ। ସେପଟେ କୃଷକଙ୍କୁ ଦିଲ୍ଲୀରେ ପୁରାଇ ନଦେବାର ସବୁ ଚେଷ୍ଟା କରୁଛି ପ୍ରଶାସନ। ସୀମାରେ ତାଙ୍କୁ ରୋକିବା ପାଇଁ ମୁତୟନ ହୋଇଛନ୍ତି ବହୁ ସଂଖ୍ୟକ ପୋଲିସକର୍ମୀ। ଶନିବାର ଶମ୍ଭୁ ବର୍ଡରରେ କୃଷକଙ୍କ ଉପରେ ହରିୟାଣା ପୋଲିସ ପକ୍ଷରୁ ଗ୍ରହଣ କରାଯାଇଛି କାର୍ଯ୍ୟାନୁଷ୍ଠାନ। । ଦିଲ୍ଲୀ ଅଭିମୁଖେ ପଦଯାତ୍ରାରେ ବାହାରି ଥିବା ୧୦୧ କୃଷକଙ୍କୁ ରୋକିଛି ପୋଲିସ। ତାଙ୍କ ଉପରେ ଲୁହବୁହା ଗ୍ୟାସ୍ ସହ କରିଛି ପାଣିମାଡ଼।
ପୁଣିଥରେ ବିଭିନ୍ନ ଦାବୀ ନେଇ ଦିଲ୍ଲୀ ଅଭିମୁଖେ କୃଷକ। ହେଲେ କୃଷକଙ୍କୁ ରୋକିବାକୁ ଚେଷ୍ଟା କରିଛି ପୋଲିସ। ଶନିବାର ଶମ୍ଭୁ ବର୍ଡର ନିକଟରେ ବ୍ୟାରିକେଡ୍ ଲଗାଇ ତାଙ୍କୁ ରୋକିବାକୁ ଚେଷ୍ଟା କରିଛି ପୋଲିସ। ପଦଯାତ୍ରାରେ ଦିଲ୍ଲୀ ଅଭିମୁଖେ ବାହାରିଥିବା ୧୦୧ କୃଷକଙ୍କୁ ରୋକିଛି ପୋଲିସ। ଏପରିକି ତାଙ୍କ ଉପରେ ଲୁହବୁହା ଗ୍ୟାସ୍ ସହ କରିଛି ପାଣିମାଡ଼। ପୋଲିସ କାର୍ଯ୍ୟାନୁଷ୍ଠାନରେ ଆହତ ହୋଇଥିବା କୃଷକଙ୍କୁ ଆମ୍ବୁଲାନ୍ସରେ ଚିକିତ୍ସା ପାଇଁ ନିଆଯାଇଛି। ଏହାପରେ କୃଷକ ଓ ପ୍ରଶାସନ ଭିତରେ ହୋଇଥିଲା ଆଲୋଚନା। କୃଷକ ନେତାମାନେ କହିଛନ୍ତି,ସେମାନେ ନିଜର ଦାବି ନେଇ ରାଜଧାନୀ ଯିବାକୁ ଚାହାନ୍ତି। ସେଠାରେ ଶାନ୍ତିପୂର୍ଣ୍ଣ ଭାବରେ ନିଜର କଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଗରେ ରଖିବେ। ଏହି ସମୟରେ ତାଙ୍କର ତଲାସୀ ମଧ୍ୟ ନେଇପାରିବେ। ଏବେ ତାଙ୍କ ପାଖରେ ନା ଟ୍ରାକ୍ଟର ଅଛି ନା ଟ୍ରଲି ରହିବ।
ସେପଟେ ପ୍ରଶାସନ କୃଷକଙ୍କୁ କହିଛି ଆଇନ ବ୍ୟବସ୍ଥା ବଜାୟ ରଖିବାକୁ ଆମେ ଚେଷ୍ଟା କରୁଛି। ସୁପ୍ରିମକୋର୍ଟ ଯେଉଁ ନିର୍ଦେଶ ଦେଇଛନ୍ତି ତାକୁ ମଧ୍ୟ ପାଳନ କରୁଛି। ଯଦି କୃଷକ ଦିଲ୍ଲୀ ଯିବାକୁ ଚାହାନ୍ତି ତେବେ ସେମାନେ ପ୍ରଥମେ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ ପାଇଁ ଅନୁମତି ନିଅନ୍ତୁ। ଏହାପରେ ପରେ ପୋଲିସ ତାଙ୍କୁ ସେଠାକୁ ଛାଡିବାକୁ ଯିବ।