ମନମୁଣ୍ଡା, ୨୬/୬(ଆପ୍ର): ମନମୁଣ୍ଡା ମଣ୍ଡିରେ ଚାଷୀମାନେ ଧାନ ବିକ୍ରି କରି ନପାରି ବହୁତ ହଇରାଣ ଓ ହନ୍ତସନ୍ତ ହୋଇଥିବା ଦେଖିବାକୁ ମିଳିଛି। ପ୍ରାୟ ୮୩ ଜଣ ଚାଷୀଙ୍କ ଧାନ ଅଦ୍ୟାବଧି କ୍ରୟ କରାଯାଇନାହିଁ। ଟାର୍ଗେଟ ସରି ଗଲାଣି, ସରକାର ଟାର୍ଗେଟ ନଦେଲେ କେମିତି କିଣିବି କହି ଚାଷୀ ମାନଙ୍କୁ ମଣ୍ଡି ସମ୍ପାଦକ ଧାନ କିଣିବାକୁ ମନା କରିଦେଇଥିଲେ। ଏହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ଦେଖାଯିବା ସହ ସେମାନେ ଧାନବିକ୍ରି ପାଇଁ ଚିନ୍ତିତ ହୋଇ ପଡ଼ିଥିଲେ। 

ଚାଷୀମାନେ ଏଥିରେ ବିରକ୍ତ ହୋଇ ଆଜି ରାସ୍ତାରୋକ କରିବାକୁ ଥାନାକୁ ଜଣାଇବାକୁ ଯାଇଥିଲେ। ରାସ୍ତାରୋକ କଲେ କିଛି ଲାଭ ହେବ ନାହିଁ, ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ସମାଧାନ କରିବାକୁ ଉପସ୍ଥିତ ପୁଲିସ ଅଧିକାରି ଚାଷୀମାନଙ୍କୁ ବୁଝାଇଥିଲେ। ତାପରେ ୪ଟି ଗାଡ଼ିରେ ଚାଷୀମାନେ ୫୦ କିମି ଦୂର ବୌଦ୍ଧ ଜିଲ୍ଲାପାଳଙ୍କ ନିକଟକୁ ଗୁହାରି କରିବାକୁ ଯାଇଥିଲେ। ଜିଲ୍ଲାପାଳ ଅନୁପସ୍ଥିତ ଥିବାରୁ ସେମାନେ ସିଏସଓ ଶ୍ରୀନାଥ ହାଁସଦାଙ୍କ ଅଫିସକୁ ଯାଇ ଅଭିଯୋଗ କରିଥିଲେ। ସମସ୍ତଙ୍କ ଧାନ କିଣାଯିବ ବୋଲି ସିଏସଓ ପ୍ରତିଶୃତି ଦେଇଥିଲେ। 

ଚାଷୀମାନେ ଏନେଇ କଣ୍ଟାମାଳ ବିଧାୟକ କହ୍ନେଇ ଚରଣ ଡ଼ାଙ୍ଗଙ୍କ ନିକଟକୁ ଯାଇ ମଧ୍ୟ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। ଚାଷୀ ମାନେ ଯେପରି ହଇରାଣ ନ ହେବେ ଓ ସମସ୍ତଙ୍କ ଧାନ କିଣା ଯିବ ସେନେଇ ସେ ଚେଷ୍ଟା କରିବେ ବୋଲି କହିଥିଲେ। ତେବେ ସେମାନଙ୍କ ଧାନ ଯଥା ଶୀଘ୍ର କ୍ରୟ କରା ନଗଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି।