ଭୁବନେଶ୍ବର/ ନବରଙ୍ଗପୁର,୯।୬( ଆ ପ୍ର) : ଧାନର ପ୍ରାପ୍ୟ ପାଇଁ ନବରଙ୍ଗପୁର ଜିଲ୍ଲା ରାଇଘର ଚାଷୀଙ୍କର ରାଜଧାନୀରେ ଅହୋରାତ୍ର ଆନ୍ଦୋଳନକୁ ୪ ଦିନ ବିତିଛି। ଏହି ପ୍ରସଙ୍ଗରେ ବିଜେଡି ପରେ ଆମଆଦମି ପାର୍ଟି ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ କରିଛି । ଆମ ଆଦମି ପାର୍ଟିର ରାଜ୍ୟସଭାପତି ନିଶିକାନ୍ତ ମହାପାତ୍ର, ରାଜ୍ୟ ସଂଗଠନ ସଂପାଦକ ସଦୀପ୍ତ ଦାସ, ରାଜ୍ୟସଂଗଠନ ସଂପାଦକ ଶ୍ରୀକାନ୍ତ ପାଣି ପ୍ରମୁଖ ବିଜେଡି ନେତା ପ୍ରଦୀପ ମାଝୀଙ୍କ ଉପସ୍ଥିତିରେ ଚାଷୀଙ୍କୁ ଭେଟି ଆମଆଦମି ପାର୍ଟି ସମର୍ଥନ ଜଣାଇଛନ୍ତି। ମଙ୍ଗଳବାର ଠାରୁ ଏହି ଆନ୍ଦୋଳନରେ ଆମ୍ ଆଦମି ପାର୍ଟି ମଧ୍ୟ ସାମିଲ ହେବ ବୋଲି ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର କହିଛନ୍ତି। ଦିନକୁ ଦିନ ଚାଷୀଙ୍କ ପ୍ରସଙ୍ଗକୁ ନେଇ ଗୋଟିଏ ପରେ ଗୋଟିଏ ବିରୋଧ ଦଳ ଏକାଠି ହୋଇ ରାଜ୍ୟସରକାରଙ୍କ ଚାଷୀଙ୍କ ପ୍ରସଙ୍ଗରେ ଘେରିବାକୁ ବ୍ୟାପକ ଯୋଜନା ପ୍ରସ୍ତୁତ କରୁଛନ୍ତି। ଅନ୍ୟପକ୍ଷରେ ବିଜେଡି ନେତା ପ୍ରଦୀପ ମାଝୀ ଚାଷୀଙ୍କ ଧାନର ପ୍ରାପ୍ୟ ନ ମିଳିବା ପର୍ଯ୍ୟନ୍ତ ଚାଷୀଙ୍କ ସହିତ ଆନ୍ଦୋଳନ ଜାରୀ ରହିବ ବୋଲି ସ୍ପଷ୍ଟ କରିଦେଇଛନ୍ତି।
ସୂଚନାଯୋଗ୍ୟ, ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଳକରେ ଖରିଫ ଋତୁରେ ଫେବୃଆରୀ ମାସରେ ରାଇଘର ଲ୍ୟାମ୍ପସ୍ ପକ୍ଷରୁ ୩୪୪ଜଣ ଚାଷୀଙ୍କ ଠାରୁ ୧୪ହଜାର ୨୫୨ କୁଇଣ୍ଟାଲ ଧାନ କିଣାଯାଇଥିଲା । ଧାନର ମୂଲ୍ୟ ୪କୋଟି ୪୧ଲକ୍ଷ ୮୨ହଜାର ୮୨୨ଟଙ୍କା । ଧାନ କିଣିବାର ୪ ମାସ ବିତିଯାଇଥିଲେ ମଧ୍ୟ ଚାଷୀ ଧାନର ପ୍ରାପ୍ୟ ମିଳିନଥିବା ଯୋଗ ଗତ ୬ତାରିଖରୁ ରାଇଘରର ଶତାଧିକ ଚାଷୀ ଭୁବନେଶ୍ଵର ଲୋୟର ପିଏମଜି ଠାରେ ଅହୋରାତ୍ର ଧାରଣା ଦେଇଛନ୍ତି।