ଭୁବନେଶ୍ୱର,୩୧/୦୫: ଏଣିକି ଚାଷୀଙ୍କୁ ମିଳିବ ଅନନ୍ୟ ଚାଷୀ ପରିଚୟପତ୍ର ବା ୟୁନିକ୍‌ ଫାର୍ମର୍‌ ଆଇଡି । ଏହି  ପରିଚୟପତ୍ରରେ ଆଧାର ନମ୍ବର ଓ ମୋବାଇଲ୍‌ ନମ୍ବର ସହ  ରହିବ ଚାଷୀର ଜମିର ମାଲିକାନା ସମେତ ବିସ୍ତୃତ ବିବରଣୀ । ଏହି  ପରିଚୟପତ୍ର ଥିବା ଚାଷୀଙ୍କୁ ସହଜରେ ପିଏମ୍‌ କିଷାନ ସହାୟତା  ମିଳିପାରିବ । ହେଲେ ସେଥିପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ । 

ସେହିପରି ଆଗାମୀ ଦିନରେ ଚାଷୀ ମଣ୍ଡିରେ ଧାନ ବିକ୍ରି  କରି ସର୍ବନିମ୍ନ ସହାୟତା ରାଶି(ଏମଏସପି) ପାଇବାକୁ ଏହି  ପରିଚୟପତ୍ର ଦ୍ୱାରା ମିଳିବ ଯୋଗ୍ୟତା । ପରିଚୟପତ୍ର ନଥିଲେ  ମଣ୍ଡିରେ ଧାନ ବିକ୍ରି କରିବାକୁ ଚାଷୀ ଅସୁବିଧାରେ ପଡ଼ିବେ ।  କିଷାନ କ୍ରେଡିଟ୍‌ କାର୍ଡ ଋଣ ମିଳିବାକୁ ସହଜ ହେବ । ଏହା ସହିତ  ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସମେତ ୭ ଯୋଜନାର  ଚାଷୀମାନେ ଲାଭ ନେଇପାରିବେ । ତେବେ କୃଷକ ପଞ୍ଜୀକରଣ  ଡିଜିଟାଲ ସିଷ୍ଟମକୁ ଉଭୟ ଓଡ଼ିଶା ଏବଂ ଭାରତ ସରକାରଙ୍କ ମିଳିତ  ଭାବେ ବିକାଶ କରିଛନ୍ତି । ଏହା ଦ୍ୱାରା ଚାଷୀ ନିଜ ଅଞ୍ଚଳର କୃଷି  ଆଧାରିତ ପରାମର୍ଶ, ଇନପୁଟ୍‌ ଏବଂ ସତର୍କ ବାର୍ତ୍ତା ପାଇପାରିବ ।  

ଫସଲ ସର୍ଭେ, ଅଭିଯୋଗ ସମାଧାନ ଏବଂ ଯୋଜନା ଯୋଗ୍ୟତା  ବ୍ୟବସ୍ଥାରେ ଭାଗ ନେଇପାରିବ । ଚାଷୀମାନେ ଚାଷୀ ପଞ୍ଜୀକରଣ  ପୋର୍ଟାଲ୍‌ କିମ୍ୱା ମୋବାଇଲ୍‌ ଆପ୍‌ରେ ପଞ୍ଜୀକରଣ କରିପାରିବେ ।  ନଚେତ୍‌ ଜନ ସେବା କେନ୍ଦ୍ର ଯାଇ ପଞ୍ଜୀକରଣ କରିପାରିବେ ।  ରାଜ୍ୟ କୃଷି ବିଭାଗ ପକ୍ଷରୁ ଏ ନେଇ ବିଭିନ୍ନ ଶିବିର ମଧ୍ୟ ଅନୁଷ୍ଠିତ ହେବ । ସେଠାରେ ସହାୟକମାନେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟାରେ  ସାହାଯ୍ୟ କରିବେ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି ।