ନୂଆଦିଲ୍ଲୀ,୧୫/୧୨: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆର୍ବିଆଇ) ପକ୍ଷରୁ କୃଷକଙ୍କ ଲାଗି ବନ୍ଧକ ମୁକ୍ତ ଋଣ ସୀମାକୁ ବୃଦ୍ଧି କରାଯାଇଛି । ଆର୍ବିଆଇ ଶନିବାର ଏ ସମ୍ପର୍କରେ ଘୋଷଣା କରିଛି । ବନ୍ଧକମୁକ୍ତ ଋଣ ସୀମା ୧.୬ ଲକ୍ଷ ଟଙ୍କା ଥିବା ବେଳେ ୨ ଲକ୍ଷ ଟଙ୍କାକୁ ବୃଦ୍ଧି ହୋଇଛି । ଫଳରେ କୃଷକମାନେ ବିନା କୌଣସି ବନ୍ଧକ ରଖି ଋଣ ଉଠାଣ କରିପାରିବେ ।
ନୂଆ ନିୟମ ୨୦୨୫ ଜାନୁଆରୀ ପହିଲାରୁ ଲାଗୁ ହେବ । କୃଷି କ୍ଷେତ୍ରରେ ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ଏବଂ ଋଣ ସୁଲଭତାରେ ସୁଧାରକୁ ନଜରରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଏହା ଦ୍ୱାରା ୮୬% କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ଲାଭବାନ ହୋଇପାରିବେ । ସଂଶୋଧିତ ନିୟମକୁ ସାରା ଦେଶରେ ଲାଗୁ କରିବା ଲାଗି ବ୍ୟାଙ୍କ୍ଗୁଡ଼ିକୁ ଆର୍ବିଆଇ ନିର୍ଦ୍ଦେଶ ଦେଇଛି । ଏହି ଋଣ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଲାଗି ବ୍ୟାଙ୍କ ଗୁଡ଼ିକୁ କୁହାଯାଇଛି ।