ନୂଆଦିଲ୍ଲୀ,୧୭/୫ : ଉତ୍ତରପ୍ରଦେଶର ଫତେହପୁର ଅଞ୍ଚଳରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କ ଆଶ୍ଚର୍ଯ୍ୟ କରି ଦେଇଛି । ମୃତବ୍ୟକ୍ତି ନିଜେ ଯାଇ ବଞ୍ଚିଛନ୍ତି ବୋଲି ପ୍ରମାଣ ଦେଉଛନ୍ତି । ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣାଟି ଏଭଳି କିଛି ଥିଲା ।

ଶନିବାର ଖାଗା ତହସିଲରେ ସମ୍ପୂର୍ଣ୍ଣ ସମାଧାନ ଦିବସ ଆୟୋଜିତ ହେଉଥିଲା । ମାତ୍ର ଏହି ସମୟରେ ଏକ ଭାବବିହ୍ବଳ ଘଟଣା ଦେଖିବାକୁ ମିଳିଥିଲା । ଯେତେବେଳେ ଜଣେ ୭୦ବର୍ଷୀୟ ବୃଦ୍ଧ ଜିଲ୍ଲାଧିକାରୀଙ୍କ ସାମ୍ନାରେ ଛିଡ଼ା ହୋଇ କହିଥିଲେ, ବାବୁ ମୁଁ ବଞ୍ଚିଛି । ବାସ୍ ତା‘ପରେ ସମ୍ପୂର୍ଣ୍ଣ ମାହୋଲ ଭିନ୍ନ ହୋଇଯାଇଥିଲା । ବୃଦ୍ଧଙ୍କ ଏହି କଥା ଶୁଣି ସେଠାରେ ଥିବା ଅଧିକାରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହାପରେ ଜିଲ୍ଲାପାଳ ନିଧି ବତ୍ସ ତହସିଲ କର୍ମଚାରୀଙ୍କୁ ଭର୍ତ୍ସନା କରିଥିଲେ ଏବଂ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେ ବୃଦ୍ଧ ବ୍ୟକ୍ତିଙ୍କୁ ସମସ୍ତ ପ୍ରକାରର ସାହାଯ୍ୟର ପ୍ରତିଶ୍ରୁତି ଦେଇଥିଲେ ।

ସୂଚନା ଅନୁସାରେ, ଖାଗା ତହସିଲ ଅଞ୍ଚଳର ୱଲିପୁର ଏକଡଲା ଗ୍ରାମର ବାସିନ୍ଦା ଭୂରା ଜିଲ୍ଲାପାଳଙ୍କ ସମ୍ମୁଖରେ ଠିଆ ହୋଇ କହିଥିଲେ କି, ମୁଁ ମରିନାହିଁ, ବଞ୍ଚିଛି । ଯାହା ଶୁଣି ଜିଲ୍ଲାପାଳ ରାଗି ଯାଇ କର୍ମଚାରୀମାନଙ୍କୁ ଭର୍ତ୍ସନା କରିଥିଲେ । ବୃଦ୍ଧ ଭୂରା ଜିଲ୍ଲାପାଳ ନିଧି ଗୁପ୍ତା ବତ୍ସଙ୍କୁ ଅଭିଯୋଗ କରିଥିଲେ କି ଆକାଉଣ୍ଟାଣ୍ଟ ଏବଂ ତହସିଲର କିଛି କର୍ମଚାରୀଙ୍କ ମଧ୍ୟରେ ସଲାସୁତୁରା ଦ୍ୱାରା ତାଙ୍କୁ ସରକାରୀ ରେକର୍ଡ଼ରେ ମୃତ ଘୋଷଣା କରାଯାଇଛି। ଖାଲି ଏତିକି ନୁହେଁ ତାଙ୍କର ପ୍ରାୟ ଗୋଟିଏ ବିଘା ଏବଂ ଦୁଇ ବିସୱା ଜମି ମଧ୍ୟ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ୱିଲ୍ କରାଯାଇଛି । ବୃଦ୍ଧ ବ୍ୟକ୍ତି ଜଣଙ୍କ କହିଛନ୍ତି ଯେ, ଯେତେବେଳେ ସେ ଏହି ଠକେଇ ବିଷୟରେ ଜାଣିବାକୁ ପାଇଲେ, ସେ ନ୍ୟାୟ ପାଇଁ ଅଧିକାରୀଙ୍କ ପାଖରେ ଦୌଡ଼ିବାକୁ ବାଧ୍ୟ ହେଲେ। କିଛିଦିନ ଧରି ଏଣେତେଣେ ବୁଲିବା ପରେ, ସେ ଖାଗା ତହସିଲରେ ଅନୁଷ୍ଠିତ ସମ୍ପୂର୍ଣ୍ଣ ସମାଧାନ ଦିବସରେ ଜିଲ୍ଲାପାଳଙ୍କ ନିକଟରେ ନିଜର ଦୁଃଖ ଶୁଣାଇଥିଲେ ଏବଂ ସେ ଜୀବିତ ଥିବାର ପ୍ରମାଣ ଦେଲେ।

ଜିଲ୍ଲାପାଳ ବୃଦ୍ଧଙ୍କ କାହାଣୀ ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ। ଘଟଣାକୁ ଗମ୍ଭୀରତାର ସହ ନେଇ ସେ ତୁରନ୍ତ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଏବଂ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ବୃଦ୍ଧଙ୍କୁ ଯଥା ସମ୍ଭବ ନ୍ୟାୟ ପ୍ରଦାନ କରିବାକୁ ମଧ୍ୟ ସେ ପ୍ରତିଶ୍ରୁତି ଦେଇଥିଲେ।