ଉଦଳା ୧/୯(ଆ. ପ୍ର ): ବାପା ପୁଅ ସାଙ୍ଗରେ ଯାଇଥିଲେ ଗୋରୁ ଚରାଇବାକୁ। ଗୋରୁ ଚରାଇ ନଦୀ ପାର ହୋଇ ଫେରୁଥିବା ବେଳେ ପୁଅ ସାମ୍ନାରେ ଭାସିଗଲା ବାପା। ଏଭଳି ଘଟଣା ଘଟିଛି ଉଦଳା ଥାନା କାଳୀମେଘା ଗ୍ରାମରେ। ପରେ ଅଗ୍ନିଶମ ବାହିନୀ ନଦୀରୁ ବାପାର ମୃତଦେହ ଉଦ୍ଧାର କରିଛି।
ଗ୍ରାମ ପାର୍ଶ୍ଵରେ ପ୍ରବାହିତ ଦେଓ ନଦୀ ପାର ହୋଇ ଗୋରୁ ନେଇ ଆସୁଥିଲେ ଗ୍ରାମର ଭୁଆ ମୁର୍ମୁ ଏବଂ ତାଙ୍କ ପୁଅ କୁସୁନ ମୁର୍ମୁ। ପୁଅ ନଦୀ ପାର ହୋଇଯାଇଥିବା ବେଳେ ନଦୀର ସୁଅରେ ବାପା ଭୁଆ ଭାସି ଯାଇଥିଲେ। ହେଲେ ଆଖି ସାମ୍ନାରେ ବାପା ଭାସି ଯାଉଥିଲେ ସୁଦ୍ଧା ବଞ୍ଚାଇ ପାରି ନ ଥିଲା ପୁଅ। ସ୍ଥାନୀୟ ଲୋକେ ଭୁଆ ଭାସି ଯାଉଥିବା ଦେଖିବା ପରେ ଏ ନେଇ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ। ଦୀର୍ଘ ୩ ଘଣ୍ଟା କାଳ ଅଗ୍ନିଶମ ବିଭାଗ ଏବଂ ସ୍ଥାନୀୟ ଲୋକେ ଖୋଜାଖୋଜି କରିବା ପରେ ନଦୀ ଭିତରେ ଏକ ଗଛରେ ଭୁଆର ମୃତଦେହ ଲାଗିଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇଥିଲା। ଉଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛି।