କୁଆଁପାଳ,୨୬/୦୫ : ମାହାଙ୍ଗା ବ୍ଲକ ଶ୍ରୀକୃଷ୍ଣପୁର ପଞ୍ଚାୟତ ପଶୁଲୁଣ୍ଡା ଗ୍ରାମରେ ଯାଆଁଳା ଶିଶୁକନ୍ୟା ଜନ୍ମ ଦେବାରୁ ବୋହୂ ଓ ପୁଅଙ୍କୁ ମାଡ଼ ମାରି ଘରି ତଡ଼ି ଦେବା ଘଟଣା। ଅଭିଯୁକ୍ତ ଶ୍ୱଶୁରକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଅମାନୀୟ ଘଟଣାରେ ଅନ୍ୟତମ ଅଭିଯୁକ୍ତ ଶାଶୂ ଓ ନଣନ୍ଦ ଫେରାର ହୋଇଯାଇଥିବା ଜଣାପଡ଼ିଛି ।

ସୂଚନା ଥାଉକି, ପଶୁଲୁଣ୍ଡା ଗ୍ରାମର ସମୁଲ୍ୟ ଜେନାଙ୍କ ପୁତ୍ର ଚନ୍ଦ୍ରଶେଖର ଜେନା ଜଳେଶ୍ୱରପୁର ପଞ୍ଚାୟତ କାହ୍ନୁପୁର ଗ୍ରାମର ଅଜୟ ଜେନାଙ୍କ ଝିଅ ପାର୍ବତୀ ଜେନାକୁ ୪ ବର୍ଷ ତଳେ ବିବାହ କରିଥିଲେ। ଚଳିତ ମାସରେ ପାର୍ବତୀ ଦୁଇଟି ଜାଆଁଳା କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ଏହା ଦେଖି ଡାକ୍ତରଖାନାରୁ ଶାଶୂ ମୁହଁ ବୁଲାଇ ପଳାଇ ଆସିଥିଲେ । କନ୍ୟା ସନ୍ତାନ ଜନ୍ମ ଦେବା ପରଠାରୁ ପାର୍ବତୀଙ୍କ ଉପରେ ଶାଶୂ, ନଣନ୍ଦ ଓ ଶ୍ୱଶୁର ଅଥକନୀୟ ନିର୍ଯ୍ୟାତନା ଦେଇ ଆସୁଥିଲେ । ଏନେଇ ବାପା ଓ ଭାଇଙ୍କୁ ଜଣାଇଥିଲେ ପାର୍ବତୀ । ପାର୍ବତୀଙ୍କ ବାପା ଅଜୟ ଜେନା ଓ ଭାଇ ପଶୁଲୁଣ୍ଡା ଗ୍ରାମରେ ପହଞ୍ଚି ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ । ଏଥିରେ ଶାଶୂ, ଶ୍ୱଶୁର ଓ ନଣନ୍ଦ ଉତକ୍ଷୀପ୍ତ ହୋଇ ପାର୍ବତୀଙ୍କ ବାପା ଏବଂ ଭାଇଙ୍କୁ ଗାଳିଗୁଲଜ କରିଥିଲେ । ପରିବାର ସଦସ୍ୟଙ୍କ ଏପରି ବ୍ୟବହାରକୁ ପାର୍ବତୀଙ୍କ ସ୍ୱାମୀ ଚନ୍ଦ୍ରଶେଖର ବିରୋଧ କରିଥିଲେ ।

ଏଥିରେ ଉତ୍‌କ୍ଷିପ୍ତ ହୋଇ ଉଭୟ ପୁଅ, ବୋହୂଙ୍କୁ ଅତି ନିର୍ମମ ଭାବେ ଗାଁ ଦାଣ୍ଡରେ ମାଡ଼ ମାରିଥିଲେ ପାର୍ବତୀଙ୍କ ଶାଶୂ, ଶ୍ୱଶୁର ଓ ନଣନ୍ଦ । ଏପରିକି ଦୁଇକନ୍ୟା ସନ୍ତାନ ସହ ପୁଅ, ବୋହୂଙ୍କୁ ଘରୁ ତଡ଼ି ଦେଇଥିଲେ । ଝିଅ ଜ୍ୱାଇଁଙ୍କୁ ବଞ୍ଚାଇବାକୁ ଯାଇ ପାର୍ବତୀଙ୍କ ବାପା ଓ ଭାଇ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ । ପାର୍ବତୀ ଓ ତାଙ୍କ ସ୍ୱାମୀ ଚନ୍ଦ୍ରଶେଖର ନ୍ୟାୟ ପାଇଁ ଥାନା ଦ୍ୱାରସ୍ଥ ହୋଇଥିଲେ । ପୁଲିସ ୧୯୦/୨୬ରେ ଏକ ମାମଲା ରୁଜୁ କରିବା ସହ ବିଭିନ୍ନ ସ୍ଥାନରେ ଚଢ଼ଉ କରି ରିବିବାର ରାତିରେ ବାଲିଚନ୍ଦ୍ରପୁର ଥାନା ଅଞ୍ଚଳରେ ଥିବା ସମ୍ପର୍କୀୟଙ୍କ ଘରୁ ପାର୍ବତୀଙ୍କ ଶ୍ୱଶୁର ସମୁଲ୍ୟ ଜେନାଙ୍କୁ ଗିରଫ କରିଥିଲା । ସୋମବାର ସମୂଲ୍ୟକୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହେପାଜତକୁ ପଠାଯାଇଥିବା ଜଣାଯାଇଛି । ତେବେ ଅନ୍ୟ ଅଭିଯୁକ୍ତ ଶାଶୂ ଓ ନଣନ୍ଦକୁ ଧରିବା ପାଇଁ ପୁଲସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି। 

ଏହି ଖବରଟିକୁ ପଢନ୍ତୁ- ଯାଆଁଳା ଝିଅ ହେବାରୁ ଦଣ୍ଡ, ଗାଁ ଦାଣ୍ଡରେ ପୁଅ-ବୋହୂଙ୍କୁ ଘୋଷାରି ମାଡ଼ ମାରି ଘରୁ ବିଦା କଲେ ପରିବାର ଲୋକ