ପ୍ରୀତିପୁର,୧୨/୦୫: ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ୍ ସିଂହପୁର ଉପଡାକ କାର୍ଯ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି । ବାପାର ମୃତ୍ୟୁ ପରେ ସମସ୍ତ କାଗଜପତ୍ର ଦାଖଲ ପରେ ବି ଜମା ଟଙ୍କା ଉଠାଇପାରୁନି ପୁଅ । ଯାହାକୁ ନେଇ ସେ କ୍ଷୋଭ ପ୍ରକାଶ କରିବା ସହ ପାଟଣାର ଜିତୁ ମୁଣ୍ଡା ଭଉଣୀ କଙ୍କାଳ ଧରି ବ୍ୟାଙ୍କକୁ ଯିବା ଭଳି ବାପାଙ୍କ କଙ୍କାଳ ଧରି ଡାକ କାର୍ଯ୍ୟାଳୟରେ ପହଞ୍ଚିବାକୁ ଧମକ ଦେଇଛି । ସିଂହପୁର ଗ୍ରାମର ଧ୍ରୁବଚରଣ ସାହୁଙ୍କର ପରିବାରରେ ଚାରି ପୁଅଝିଅ ଅଛନ୍ତି ।
୨୦୨୪ ଅକ୍ଟୋବର ୧୮ ତାରିଖରେ ଧ୍ରୁବଚରଣଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ସରୋଜ କୁମାର ସାହୁ ବାପାଙ୍କ ନାମରେ ଥିବା ଜମାଟଙ୍କା ଉଠାଇବାକୁ ସିଂହପୁର ଉପଡାକଘରକୁ ବାରମ୍ବାର ଦୌଡ଼ିଲେଣି । ମୃତ ବାପାଙ୍କ ଜମାଖାତାରେ ୧ଲକ୍ଷ ୮ହଜାର ଟଙ୍କା ଜମାରାଶି ଥିବା ବେଳେ କୌଣସି ନୋମିନି ନଥିବାରୁ ସରୋଜ ଡାକ କାର୍ଯ୍ୟାଳୟର ଦାବି ମୁତାବକ ମୃତ୍ୟୁ ପ୍ରମାଣପତ୍ର, ଉତ୍ତରାଧିକାରୀ ପ୍ରମାଣପତ୍ର, କୋର୍ଟ ସତ୍ୟପାଠ, ସମସ୍ତ ଭାଇଭଉଣୀ ଓ ସାକ୍ଷୀଙ୍କ ଆଧାରକାର୍ଡ ଦାଖଲ କରିଛନ୍ତି । ଏହା ଭିତରେ ଦୁଇବର୍ଷ ବିତିବାକୁ ବସିଲାଣି । ଡାକ କାର୍ଯ୍ୟାଳୟ ପକ୍ଷରୁ ସରୋଜଙ୍କୁ ତାଙ୍କ ବାପାଙ୍କ ନାମରେ ଥିବା ଜମାଟଙ୍କା ପ୍ରଦାନ କରାଯାଉନଥିବା ବେଳେ କେବଳ ମିଳିବ ବୋଲି ପ୍ରତିଶ୍ରୁତି ଦିଆଯାଉଛି । ଗରିବ ପରିବାର ହୋଇଥିବାରୁ ଟଙ୍କାର ଆବଶ୍ୟକତା ରହିଛି । ତେଣୁ ସରୋଜ ଡାକ କାର୍ଯ୍ୟାଳୟର ଏଭଳି କାର୍ଯ୍ୟ ଉପରେ କ୍ଷୋଭ ପ୍ରକାଶ କରିବା ସହ ଜିତୁ ମୁଣ୍ଡା ଘଟଣାର ପୁନରାବୃତ୍ତି କରିବେ ବୋଲି ଅଭିଯୋଗ କରିଛନ୍ତି । ବାପାଙ୍କ କଙ୍କାଳକୁ ଆଣି ଡାକ କାର୍ଯ୍ୟାଳୟରେ ଟଙ୍କା ପାଇଁ ପହଞ୍ଚିବେ ବୋଲି ଡାକ କାର୍ଯ୍ୟାଳୟରେ ଉପସ୍ଥିତ ଅଧିକାରୀ ଓ କର୍ମଚାରୀଙ୍କୁ ଧମକ ଦେଇଥିବା ସୂଚନା ଦେଇଛନ୍ତି । ଏ ସମ୍ପର୍କରେ ଡାକ କାର୍ଯ୍ୟାଳୟର ପୋଷ୍ଟ ମାଷ୍ଟର ଶରତ କୁମାର ସାହୁଙ୍କୁ ପଚାରିବାରେ ସେ କହିଛନ୍ତି, ସମସ୍ତ କାଗଜପତ୍ର ମୁଖ୍ୟାଳୟକୁ ପଠାଯାଇଥିଲା । କୌଣସି କାରଣରୁ ସେଗୁଡ଼ିକ ଫେରି ଆସିଛି । ମୁଁ ଛୁଟିରେ ଥିଲି । ଖୁବ୍ଶୀଘ୍ର ସମସ୍ତ କାଗଜପତ୍ର ଯାଞ୍ଚ କରି ମୃତକଙ୍କ ପରିବାରକୁ ଜମାଟଙ୍କା ପ୍ରଦାନର ବ୍ୟବସ୍ଥା କରିବି ।
ଅଧିକ ପଢ଼ନ୍ତୁ :- ଝାରସୁଗୁଡ଼ାରେ ଏନକାଉଣ୍ଟର, ୨ ଅପରାଧୀ ଆହତ