ଭୁବନେଶ୍ବର: ବାପା, ଯିଏ ନିଜ ଇଚ୍ଛାକୁ ଚାପି ରଖି ସନ୍ତାନର ସ୍ୱପ୍ନକୁ ଡେଣା ଦିଏ । ଯିଏ ନିଜ କଷ୍ଟକୁ ହସର ଆଢୁଆଳରେ ଲୁଚାଇ ପରିବାର ପାଇଁ ପାହାଡ଼ ପରି ଠିଆହୁଏ । ସେଥିପାଇଁ କଥାରେ ଅଛି ମା’ ପେଟ ହେଲେ ବାପା ପିଠି । ଆଜି ସେହି ବାପାଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ପାଳନ କରାଯାଉଛି ପିତୃ ଦିବସ । ଏହି ଦିବସ ଅବସରରେ ଆମେ ଭେଟିଥିଲୁ ଜଣେ ଏମିତି ପୁଅକୁ, ଯିଏ ଗତ ୧୦ ମାସ ହେବ ହଜିଲା ବାପାଙ୍କୁ ଖୋଜୁଛନ୍ତି । କେତେବେଳେ ରାସ୍ତାକଡ଼ରେ ତ କେତେବଳେ ଚା’ ଖଟିରେ କି ମନ୍ଦିରରେ । ପଚାରିଲେ କୁହନ୍ତି, ଆଶା ବୈତରଣୀ... ସେହି ଆଶାରେ ମୁଁ ବାପାଙ୍କୁ ଖୋଜୁଛି ।

ଘଟଣା ସେପ୍ଟେମ୍ବର ମାସ ୨୦୨୫ ମସିହାର । ୮୬ ବର୍ଷୀୟ ବାଉରୀବନ୍ଧୁ ସେଠୀ ପୁଅ ମନୋଜଙ୍କ ପାଖରେ ପୋଖରୀପୁଟସ୍ଥିତ ଭଡ଼ାଘରେ ରହୁଥିଲେ । ହଠାତ୍ ଦିନେ ଖରାବେଳେ କେଉଁଆଡ଼େ ଚାଲିଗଲେ, ଆଉ ଫେରିଲେ ନାହିଁ । ଘରେ ତାଙ୍କୁ ନପାଇ ପୁଅ ମନୋଜ ଓ ବୋହୂ ଆଖପାଖ ଅଞ୍ଚଳ ଢେର୍ ଖୋଜିଲେ । ହେଲେ ଅନେକ ଖୋଜିଲା ପରେ ମଧ୍ୟ ସେମାନେ ପାଇଲେନାହିଁ । ଏନେଇ ନିକଟବର୍ତ୍ତୀ ଥାନାରେ ନିଖୋଜ ଅଭିଯୋଗ ମଧ୍ୟ ଦେଲେ । ନିଜ ସାଧ୍ୟ ମୁତାବକ କିଛି କିଛି ସ୍ଥାନରେ ବାପାଙ୍କ ନିଖୋଜ ହେବାର ପୋଷ୍ଟର ମଧ୍ୟ ଲଗାଇଲେ, ହେଲେ ତାହା କିଛି କାମ କଲାନି । ବାଉରୀବନ୍ଧୁଙ୍କ ପତ୍ତା ମିଳିଲାନି ।

ହେଲେ ବାପା ନିଶ୍ଚୟ ଦିନେ ଘରକୁ ଫେରିବେ ବୋଲି ଆଶା ରଖି ପ୍ରତିଦିନ ରାତିରେ ଖୋଜିବାକୁ ବାହାରିପଡୁଛନ୍ତି ପୁଅ ମନୋଜ । ମନୋଜ ସ୍ୱଳ୍ପ ବେତନରେ ଏକ ଘରୋୟୀ ସଂସ୍ଥାରେ କାମ କରନ୍ତି । ସକାଳ ୯ରୁ ରାତି ୭ ଟା ପର୍ଯ୍ୟନ୍ତ ତାଙ୍କ କାମ ଚାଲେ । କେବେ କେବେ ଅଧିକ ଡେରି ମଧ୍ୟ ହୋଇଯାଏ । ହେଲେ କାର୍ଯ୍ୟକ୍ଷେତ୍ରରୁ ଯେତେବେଳେ ଫେରନ୍ତି, ପ୍ରତିଦିନ ରାଜଧାନୀର ବିଭିନ୍ନ ସ୍ଥାନ ବୁଲି ବାପାଙ୍କୁ ଖୋଜନ୍ତି । କେତେବେଳେ ବସ୍ଷ୍ଟାଣ୍ଡରେ ଖୋଜନ୍ତି ତ କେତେବେଳେ ଚା’ ଖଟି ତ ଆଉ କେତେବେଳେ ମନ୍ଦିର । ଏହିଭଳି ଭାବେ ବାପାଙ୍କୁ ଖୋଜି ଖୋଜି ଘରକୁ ଫେରିଲା ବେଳକୁ ତାଙ୍କୁ ରାତି ୧୦ ଟା ବାଜିଯାଏ । ଏମିତିକି କାଳେ ବାପା ଫେରିଆସିବେ ସେଥିପାଇଁ ଠାକୁରଙ୍କ ପାଖରେ ମାନସିକ ରଖିବାଠୁ ଗୁଣିଆ ପାଖକୁ ଯିବା ପର୍ଯ୍ୟନ୍ତ ସବୁକିଛି ଆପଣେଇ ସାରିଲେଣି ।

ମନୋଜଙ୍କୁ ବାପାଙ୍କ କଥା ପଚାରିଲେ ଛଳଛଳ ଆଖିରେ କୁହନ୍ତି, ଆଶା ବୈତରଣୀ... ସେହି ଆଶାରେ ମୁଁ ବାପାଙ୍କୁ ଖୋଜୁଛି । ମୋର ବିଶ୍ୱାସ ବାପା ମିଳିବେ । ହଠାତ୍ ଦିନେ ବାପାଙ୍କର ଘରୁ ପଳେଇବା ମୋତେ ଆଜିବି ଆଚମ୍ବିତ କରୁଛି । ବାପା ଗାଁ (ପୁରୀ)ରେ ରହିବାକୁ ସବୁବେଳେ ପସନ୍ଦ କରନ୍ତି । ହେଲେ କିଛିମାସ ତଳେ ମା’ ଚାଲିଗଲେ । ପରେ ପାଖରେ ରହି ପଢୁଥିବା ନାତୁଣୀଙ୍କୁ ମଧ୍ୟ ଦୁର୍ଘଟଣାରେ ହରାଇଲେ । ସେବେଠୁ ତାଙ୍କ ମାନସିକ ସ୍ଥିତି ଠିକ୍ ରହିଲାନି । ଧୀରେ ଧୀରେ ଦେହ ମଧ୍ୟ ଅସୁସ୍ଥ ହେବାକୁ ଲାଗିଲା । ଏସୁବୁ ଘଟଣା ପରେ ବାପାଙ୍କୁ ଗାଁରୁ ଭୁବନେଶ୍ୱରକୁ ନେଇଆସିଲି । ସେବେଠୁ ଆମେ ତାଙ୍କର ଟିକେ ଅଧିକ ଯତ୍ନ ନେଉ । ହେଲେ ଦିନେ ଅପରାହ୍ଣରେ ଗୋଟେ ବ୍ୟାଗ୍ ଧରି ବାପା ଯାଇଛନ୍ତି ଆଉ ଫେରିନାହାନ୍ତି । ମୋର କିନ୍ତୁ ବିଶ୍ୱାସ ମୁଁ ତାଙ୍କୁ ଦିନେ ନିଶ୍ଚୟ ଖୋଜିକରି ପାଇବି ।

ଏହାସହ ପଢ଼ନ୍ତୁ: Fake Army Officer Caught: ଶ୍ରୀମନ୍ଦିର ଭିତରୁ ଧରାପଡ଼ିଲେ ଫେକ୍ ଆର୍ମି ଅଫିସର