ନୂଆଦିଲ୍ଲୀ : ୯୦ ଦଶକର ବ୍ଲକବଷ୍ଟର ଫିଲ୍ମ "ଜୁଦାଇ"ର କାହାଣୀ ଆପଣ ମାନେ ଦେଖିଥିବେ ନିଶ୍ଚୟ। ସେତେବେଳେ ସିନେମାର କାହାଣୀ, ଆଉ ଏବେ ବାସ୍ତବ ଜୀବନର କାହାଣୀ ପ୍ରାୟ ସମାନ। କାହିଁକି ନା, ଭୋପାଳର ପରିବାର ଅଦାଲତରେ ଏମିତି ଏକ ସାମ୍ପ୍ରତିକ ମାମଲା ଘଟିଛି, ଯାହା ସିନେମାର କାହାଣୀକୁ ଆଉ ଟିକେ ତାଜା କରିଦେଇଛି । ଭୋପାଳର ଏକ ପରିବାର ଶାନ୍ତି ଫେରାଇ ଆଣିବା ପାଇଁ ଏକ ଆର୍ଥିକ ସମାଧାନରେ ପହଞ୍ଚିଛନ୍ତି। ଜଣେ ମହିଳା ତାଙ୍କ ସଉତୁଣୀଙ୍କ ଠାରୁ ପ୍ରାୟ ଦେଢ କୋଟି ଟଙ୍କାର ସମ୍ପତ୍ତି ଏବଂ କ୍ୟାସ ନେଇ ତାଙ୍କ ସ୍ୱାମୀଙ୍କୁ ସ୍ଥାୟୀ ଭାବରେ ତାଙ୍କ ପାଖକୁ ପଠାଇ ଦେଇଛନ୍ତି। ଏହି "ମହାଙ୍ଗା ଛାଡପତ୍ର"କୁ ନେଇ ସହରର ନ୍ୟାୟିକ ମହଲରେ ଏବେ ଜୋରଦାର ଆଲୋଚନା ହେଉଛି।
ସରକାରୀ ବିଭାଗରେ କାର୍ଯ୍ୟରତ...
ଏହି ମାମଲା କେନ୍ଦ୍ର ସରକାରଙ୍କ ଏକ ବିଭାଗ ସହିତ ଜଡିତ। ସେଠାରେ ନିୟୋଜିତ ଜଣେ ୪୨ ବର୍ଷୀୟ ଅଧିକାରୀ ତାଙ୍କ ସହକର୍ମୀଙ୍କୁ ସେଠାରେ ଭଲ ପାଇ ତାଙ୍କ ସମ୍ପର୍କ ଆରମ୍ଭ କରିଥିଲେ। ଯିଏକି ପୂର୍ବରୁ ମଧ୍ୟ ବିବାହିତ ଥିଲେ । ଆଶ୍ଚର୍ଯ୍ୟଜନକ କଥା ହେଉଛି, ପ୍ରେମିକାଙ୍କ ବୟସ ୫୪ , ଯିଏକି ତାଙ୍କ ପ୍ରେମିକଙ୍କ ଠାରୁ ୧୨ ବର୍ଷ ବଡ଼। ତେବେ ସେମାନଙ୍କ ପ୍ରେମ ଆଗକୁ ବଢିବା ସହିତ ଅଧିକାରୀ ଜଣକ ତାଙ୍କ ଘର, ସ୍ତ୍ରୀ ଏବଂ ଦୁଇ ଝିଅଙ୍କୁ ଅବହେଳା କରିବା ଆରମ୍ଭ କଲେ। ଏଥିପାଇଁ ଘର ଭିତରେ ପ୍ରତିଦିନ ବିବାଦ ହୋଇଥିଲା ଆଉ ଏକ ଉତ୍ତେଜନାପୂର୍ଣ୍ଣ ପରିବେଶ ସୃଷ୍ଟି ହେଉଥିଲା।
ଝିଅମାନେ ପ୍ରଭାବିତ ହେଉଥିଲେ...
ବାପା,ମା’ଙ୍କ ମଧ୍ୟରେ ଦୈନିକ ଏହି "ମହାଭାରତ" ସେମାନଙ୍କ ୧୬ ଏବଂ ୧୨ ବର୍ଷ ବୟସର ଦୁଇ ଝିଅଙ୍କ ଉପରେ ସବୁଠାରୁ ଖରାପ ପ୍ରଭାବ ପକାଉଥିଲା। ବଡ଼ ଝିଅ ବହୁ ଦିନ ଡିପ୍ରେସନରେ ରହିବା ପରେ,ଏହି ମାମଲାକୁ ସାହସ ସଂଗ୍ରହ କରି ପରିବାର ଅଦାଲତକୁ ନେଇଗଲେ। ଏକ ଫାମିଲି କାଉନସିଲିଂ ସମୟରେ, ସ୍ୱାମୀ ସ୍ପଷ୍ଟ ଭାବରେ କହିଥିଲେ ଯେ, ସେ ତାଙ୍କ ସ୍ତ୍ରୀଙ୍କ ଉପରେ ଅସନ୍ତୁଷ୍ଟ ଏବଂ କେବଳ ତାଙ୍କ ସହକର୍ମୀ (ପ୍ରେମିକା) ସହିତ ମନର ଶାନ୍ତି ପାଉଛନ୍ତି।
ବିବାଦ ଭିତରେ କ’ଣ ହେଲା ବୁଝାମଣା...
ଅଧିକାରୀଙ୍କ ପତ୍ନୀ ଝିଅ ମାନଙ୍କ ଭବିଷ୍ୟତ ଏବଂ ଜୀବିକା ପାଇଁ ତାଙ୍କୁ ଏକ ବିଳାସପୂର୍ଣ୍ଣ ଡୁପ୍ଲେକ୍ସ ଘର ଏବଂ ୨୭ ଲକ୍ଷ ଟଙ୍କା ନଗଦ ଦେବାକୁ ଦାବି କଲେ। ଆଶ୍ଚର୍ଯ୍ୟଜନକ ଭାବରେ, ସ୍ୱାମୀଙ୍କ ପ୍ରେମିକା ବିନା ଦ୍ୱିଧାରେ ଏହି ସର୍ତ୍ତ ଗ୍ରହଣ କଲେ। ପ୍ରେମିକା ଯୁକ୍ତି ଦେଇଥିଲେ ଯେ, ସେ ତାଙ୍କ ସାଥୀଙ୍କ ପରିବାରକୁ ନିଃସହାୟ ଦେଖିବାକୁ ଚାହାଁନ୍ତି ନାହିଁ, ତେଣୁ ସେ ଏହି ଚୁକ୍ତିରେ ତାଙ୍କର ଜୀବନ ସଞ୍ଚୟ ବିନିଯୋଗ କରିବାକୁ ଇଚ୍ଛୁକ ।
ଫାମିଲି କାଉନସିଲର ମାନେ ବିଶ୍ୱାସ କରନ୍ତି ଯେ, ଯେତେବେଳେ ଭାବନା ହଜିଯାଏ, ସେତେବେଳେ ବାଧ୍ୟତାମୂଳକ ସହବାସ ଅପେକ୍ଷା ଏକ ସମ୍ମାନଜନକ ପୃଥକୀକରଣ ପସନ୍ଦଯୋଗ୍ୟ। ଯଦିଓ ଏହି ନିଷ୍ପତ୍ତି ସମାଜକୁ ଅଜବ ମନେହୁଏ, ଏହା ପିଲାମାନଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ ଆର୍ଥିକ ସୁରକ୍ଷା ଦୃଷ୍ଟିକୋଣରୁ ଏକ ଯୁକ୍ତିଯୁକ୍ତ ପଦକ୍ଷେପ। ଯେତେବେଳେ ଏକ ସମ୍ପର୍କ ବୋଝ ହୋଇଯାଏ, ସେତେବେଳେ ଶାନ୍ତି ପାଇଁ ପୃଥକୀକରଣ ସର୍ବୋତ୍ତମ।